ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍ଏସ୍ଏମ୍ଇ : ନୂଆପଡ଼ାରେ ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ
ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା, ୧୨.୯୯ ଲକ୍ଷ ଟଙ୍କାର ସହାୟତା ବଣ୍ଟନ
ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଏବଂ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ନ୍ୟାସନାଲ କଲେଜ ଅଡିଟୋରିୟମ୍ରେ “ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା ସମାବେଶ” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟବ୍ୟାପୀ ଜନସମ୍ପର୍କ ଓ ନାଗରିକ ସମ୍ପୃକ୍ତି କାର୍ଯ୍ୟକ୍ରମ (Government Outreach and Citizen Engagement Programme)ର ଏକ ଅଂଶ ଭାବେ ଏହି ସମାବେଶ ଆୟୋଜିତ ହୋଇଥିଲା। ଏହାର ଶୀର୍ଷକ ଥିଲା ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍ଏସ୍ଏମ୍ଇ”, “ବିକାଶର ଧାରା, ଓଡ଼ିଶା ସାରା”।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ମାନ୍ୟବର ବିଧାୟକ, ନୂଆପଡ଼ା ଜୟ ଢୋଲକିଆ, ମାନ୍ୟବର ବିଧାୟକ, ଖଡ଼ିଆଳ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଖଡ଼ିଆର ରୋଡ଼ ଏନ୍ଏସି ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ନ୍ୟାସନାଲ କଲେଜ, ନୂଆପଡ଼ାର ଅଧ୍ୟକ୍ଷ ହିତେଶ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାବେଶର ଶୁଭାରମ୍ଭ କରିଥିଲେ। ଏହା ସହିତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ମେଳାର ମଧ୍ୟ ଉଦ୍ଘାଟନ କରାଯାଇଥିଲା।
ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି ଏମ୍ଏସ୍ଏମ୍ଇ ବିଭାଗର ଗତ ଦୁଇ ବର୍ଷର ସଫଳତା, ବିଭିନ୍ନ ଯୋଜନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଉପସ୍ଥାପନା କରିଥିଲେ। ସେହିପରି ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି ଅଧିକାରୀ ବିନୋଦ ପ୍ରକାଶ ଲାକ୍ରା କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, ସଫଳତା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବତନ ଲିଡ୍ ବ୍ୟାଙ୍କ ମ୍ୟାନେଜର ସୀତାରାମ ମେହେର ଉଦ୍ୟୋଗିତା, ଆର୍ଥିକ ପରିଚାଳନା ଓ ସ୍ୱାବଲମ୍ବନ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ସମାବେଶରେ ସଫଳ ଉଦ୍ୟୋଗୀ ଅଭିଷେକ ଅଗ୍ରୱାଲ ଓ ବଦନ ମେହେର ନିଜର ଉଦ୍ୟୋଗିକ ସଫଳତାର ଅନୁଭୂତି ବାଣ୍ଟିଥିଲେ। ଅବସରରେ ଉଭୟ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଏମ୍ଏସ୍ଏମ୍ଇ ଓ କୌଶଳ ବିକାଶ ବିଭାଗର ବିଭିନ୍ନ ଯୋଜନା ଅଧୀନରେ ମୋଟ ୧୨ ଲକ୍ଷ ୯୯ ହଜାର ୩୮୩ ଟଙ୍କାର ସହାୟତା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଇଥିଲା। ନାନୋ ୟୁନିକର୍ଣ୍ଣ ଯୋଜନା ଅଧୀନରେ ୫ ଜଣ ଯୁବ ଉଦ୍ୟୋଗୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସେହିପରି ୧୧ ଜଣ ହିତାଧିକାରୀଙ୍କୁ ପେନ୍ସନ ସହାୟତା ପ୍ରଦାନ କରାଯାଇଥିଲା।
ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଫଳପ୍ରଦ ସାବ୍ୟସ୍ତ ହେଉଛି ବୋଲି ମତ ପ୍ରକାଶ କରିଥିଲେ। ଯୁବମାନେ ସରକାରୀ ସହାୟତା ଓ କୌଶଳ ବିକାଶର ସୁଯୋଗକୁ କାମରେ ଲଗାଇ ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିପାରିବେ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ଆଜି ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଛି ଯାହା ଦ୍ୱାରା ନୂତନ ଓ ଉଦୀୟମାନ ଉଦ୍ୟୋଗୀମାନେ ପ୍ରେରଣା ପାଇବେ। ନୂଆପଡ଼ା ଜିଲ୍ଲା ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଆହୁରି ଆଗକୁ ବଢ଼ି ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଗଢ଼ିଉଠୁ ବୋଲି ସେ ଆଶା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ଉଦ୍ୟୋଗୀ, ଛାତ୍ରଛାତ୍ରୀ, ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

