ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଇଏମ୍‌ସିରେ ପଶୁ କଲ୍ୟାଣ ସମୀକ୍ଷା ବୈଠକ: କୁକୁର ବନ୍ଧ୍ୟାକରଣ, ପଶୁଙ୍କ ଚିକିତ୍ସା ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ

ବିଇଏମ୍‌ସିରେ ପଶୁ କଲ୍ୟାଣ ସମୀକ୍ଷା ବୈଠକ: କୁକୁର ବନ୍ଧ୍ୟାକରଣ, ପଶୁଙ୍କ ଚିକିତ୍ସା ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ

ବ୍ରହ୍ମପୁର; ୧୭/୦୭ : ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରରେ ପଶୁ କଲ୍ୟାଣ, ପଶୁ ସୁରକ୍ଷା ଏବଂ ବୁଲା ପଶୁଙ୍କ ମାନବିକ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଶୁକ୍ରବାର ନିଗମର ମିନି କନଫରେନ୍ସ ହଲ୍‌ରେ କମିଶନର ଶସ୍ୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପଶୁ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗର ଅଗ୍ରଗତି ସମୀକ୍ଷା ସହ ଆଗାମୀ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

             ସହରରେ ମୃତ ଗୋରୁଗାଈଙ୍କୁ ସ୍ୱଚ୍ଛ, ସୁରକ୍ଷିତ ଓ ବୈଜ୍ଞାନିକ ପଦ୍ଧତିରେ ଦହନ କରିବା ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରାଯାଇଥିବା ସହ ଏହି କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ସୂଚନା ଦିଆଯାଇଥିଲା। ପଶୁ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରୁଥିବା ପଶୁଙ୍କୁ ଚିକିତ୍ସାଳୟ ପରିସରରେ ପୋତିବା ପରିବର୍ତ୍ତେ ଫାର୍ଷ୍ଟ ଗେଟ୍‌, ହଳଦିଆପଦର ଓ ଆମ୍ବପୁଆ ଅଞ୍ଚଳରେ ବିଇଏମ୍‌ସି ପକ୍ଷରୁ ତୁରନ୍ତ ଚିହ୍ନଟ କରାଯାଇ ଉକ୍ତ ସ୍ଥାନରେ ପରିବେଶ ଅନୁକୂଳ ଓ ବୈଜ୍ଞାନିକ ପଦ୍ଧତିରେ ପୋତିବାକୁ ନିଷ୍ପତ୍ତି ନିଆଯାଇଛି।

             ବୁଲା କୁକୁରଙ୍କ ବନ୍ଧ୍ୟାକରଣ (ଷ୍ଟେରିଲାଇଜେସନ୍‌) କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ପାଇଁ ମାସିକ ସମୀକ୍ଷା ପରିବର୍ତ୍ତେ ପ୍ରତି ୧୫ ଦିନରେ ଅଗ୍ରଗତି ଯାଞ୍ଚ କରିବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ବନ୍ଧ୍ୟାକରଣ ସହ ରେବିସ୍‌ ଟିକାକରଣ, ଅସ୍ତ୍ରୋପଚାର ପରବର୍ତ୍ତୀ ଯତ୍ନ ଓ ପଶୁ ଜନ୍ମ ନିୟନ୍ତ୍ରଣ (ଏବିସି) ନିୟମାବଳୀ ଅନୁଯାୟୀ କୁକୁରମାନଙ୍କୁ ଯେଉଁ ସ୍ଥାନରୁ ଧରାଯାଇଥାଏ ସେହି ସ୍ଥାନରେ ପୁନର୍ବାର ଛାଡ଼ିବା ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

            ଅସ୍ତ୍ରୋପଚାର ପରେ ସୃଷ୍ଟି ହେଉଥିବା ଜୈବ ବର୍ଜ୍ୟ ଓ ଅଙ୍ଗପ୍ରତ୍ୟଙ୍ଗକୁ ପଶୁ ଚିକିତ୍ସାଳୟ ପରିସରରେ ପୋତିବା ପରିବର୍ତ୍ତେ ପ୍ରଚଳିତ ବାୟୋ-ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ନିୟମାବଳୀ ଅନୁଯାୟୀ ଅନୁମୋଦିତ ସଂସ୍ଥାକୁ ହସ୍ତାନ୍ତର କରିବାକୁ କମିଶନର ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ପରିବେଶ ସୁରକ୍ଷା ସହ ସ୍ୱାସ୍ଥ୍ୟଗତ ବିପଦକୁ ଏଡ଼ାଇବା ସମ୍ଭବ ହେବ ବୋଲି ମତ ପ୍ରକାଶ ପାଇଥିଲା।

               ରାସ୍ତାରେ ଦୁର୍ଘଟଣା କିମ୍ବା ଅନ୍ୟ କାରଣରୁ ଗୁରୁତର ଭାବେ ଆହତ ହେଉଥିବା ଗୋରୁଗାଈଙ୍କୁ ତୁରନ୍ତ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତର, ସେଠାରେ ଚିକିତ୍ସା ପରେ ଗୋଶାଳାକୁ ହସ୍ତାନ୍ତର କରିବା ପାଇଁ ଏକ ସୁସଂଗଠିତ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଗୋଶାଳାରେ ସ୍ଥାୟୀ ଭାବେ ଜଣେ ପଶୁ ଚିକିତ୍ସକ ଓ ଜଣେ ପଶୁ ନିରୀକ୍ଷକଙ୍କୁ ନିଯୁକ୍ତ କରିବାକୁ ଜଗତସିଂହପୁର ସ୍ଥିତ ପିପୁଲ ଫର୍ ଆନିମାଲ୍ସ ସଂସ୍ଥାକୁ ବିଇଏମ୍‌ସି କମିଶନର ନିର୍ଦ୍ଦେଶ ଦେଇଥିଲେ।

             ବୈଠକରେ ପଶୁ କଲ୍ୟାଣ କ୍ଷେତ୍ରରେ ବିଇଏମ୍‌ସି, ପଶୁ ସମ୍ପଦ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ମଧ୍ୟରେ ଅଧିକ ସମନ୍ୱୟ ରକ୍ଷା କରି ସହରରେ ପଶୁ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

             ଏହି ବୈଠକରେ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, କର୍ପୋରେଟର ସଞ୍ଜିତ କୁମାର ପାଣିଗ୍ରାହୀ ଓ ଟି. କିଶୋର କୁମାର ପାତ୍ର, ସିଟି ପ୍ରାଣୀସମ୍ପଦ ଚିକିତ୍ସକ ଡ଼. ସତ୍ୟନାରାୟଣ କର, ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡ଼. କିରଣ ବିଷୋୟୀ, ଜିଲ୍ଲା ଏସ୍‌ପିସିଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ, ସୀତଳ ପୂର୍ଣ୍ଣିମା, ସୁଶାନ୍ତ ବେହେରାଙ୍କ ସମେତ ବିଇଏମ୍‌ସି, ଆଶ୍ରା (ASRA) ଓ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର କର୍ମକର୍ତ୍ତା ଓ କର୍ମଚାରୀ ଉପସ୍ଥିତ ଥିଲେ।

Related posts

ଡାମରପୁର ଜେନାପାଟଣା ଗ୍ରାମର ଦୌପଦୀ ସାହୁ ଙ୍କ ପରଲୋକ

Sunil Chandra Nayak

ଇଛାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର ,  ମହିଳା ସ୍ୱାସ୍ଥ୍ୟ କର୍ମୀ ଅଭାବ ଯୋଗୁଁ ୫ ମାସ ହେଲା ପ୍ରସବ କେନ୍ଦ୍ର ବନ୍ଦ |ସମସ୍ୟାରେ ୬ଟି ପଞ୍ଚାୟତର ଗର୍ଭବତୀ ମହିଳା 

masiha

ତାଲୁକ ଆଇନ ସେବା ସମିତିର ପଦକ୍ଷେପ: ନିଶା ଦୁର୍ବ୍ୟବହାର ରୋକିବାକୁ ସଚେତନତା ଅଭିଯାନ

Sunil Chandra Nayak

Leave a Comment

error: Content is protected !!