ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ପାଇଁ ଗର୍ବ: ଶିକ୍ଷୟିତ୍ରୀ ଲକ୍ଷ୍ମୀ ସାହୁଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ଅବୈତନିକ ଲେଫ୍ଟନାଣ୍ଟ ପଦବୀ ସମ୍ମାନ

ବ୍ରହ୍ମପୁର ପାଇଁ ଗର୍ବ: ଶିକ୍ଷୟିତ୍ରୀ ଲକ୍ଷ୍ମୀ ସାହୁଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ଅବୈତନିକ ଲେଫ୍ଟନାଣ୍ଟ ପଦବୀ ସମ୍ମାନ

ବ୍ରହ୍ମପୁର, ୨୯/୦୭: ଶିକ୍ଷାଦାନ ସହ ଦେଶ ସେବାର ଆଦର୍ଶକୁ ଜୀବନରେ ସାକାର କରିଥିବା ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ସାହୁ ଓ ଏନ.ବି. ଭାସ୍କରଆମାଙ୍କୁ ଜାତୀୟ କ୍ୟାଡେଟ୍ କୋର୍ପ୍ସ (ଏନସିସି) କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ସେବା, ଦକ୍ଷ ନେତୃତ୍ୱ ଓ ପ୍ରଶିକ୍ଷଣ ପାଇଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ ଅବୈତନିକ ଲେଫ୍ଟନାଣ୍ଟ ପଦବୀରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ସେମାନଙ୍କର ନିଷ୍ଠା, ଶୃଙ୍ଖଳା, କର୍ତ୍ତବ୍ୟ ପରାୟଣତା ଓ ଦେଶ ପ୍ରତି ସମର୍ପଣର ଏକ ଉଚ୍ଚ ସ୍ୱୀକୃତି ବୋଲି ମନେ କରାଯାଉଛି।

             ସୂଚନା ଅନୁଯୟୀ, ୧୯୯୧ ମସିହାରେ ଗଞ୍ଜାମ ସ୍ଥିତ ଭାରତୀୟ ବିଦ୍ୟାପୀଠରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ସାହୁ ବିଭିନ୍ନ ବିଦ୍ୟାଳୟରେ ଦକ୍ଷ ଶିକ୍ଷୟିତ୍ରୀ, ସଫଳ ପ୍ରଶିକ୍ଷକ ଓ ଶୃଙ୍ଖଳା ପରାୟଣ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଥିଲେ। ପରେ ସେ ବ୍ରହ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ।

            ୧୯୯୮ ମସିହାରେ ଏନସିସି ପ୍ରଶିକ୍ଷକ ଭାବେ ଯୋଗଦେବା ପରେ ଏବଂ ୨୦୦୦ ମସିହାରେ ଏସୋସିଏଟ ଏନସିସି ଅଫିସର (ଏଏନଓ) ଭାବେ ଦାୟିତ୍ୱ ଗ୍ରହଣ କରି ସେ ଶତାଧିକ କ୍ୟାଡେଟ୍‌ଙ୍କୁ ଶୃଙ୍ଖଳା, ନେତୃତ୍ୱ, ଦେଶପ୍ରେମ ଓ ସମାଜ ସେବାର ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ତାଙ୍କ ନେତୃତ୍ୱରେ ଅନେକ କ୍ୟାଡେଟ୍ ବିଭିନ୍ନ ରାଜ୍ୟ ଓ ଜାତୀୟସ୍ତରୀୟ ଶିବିରରେ ସଫଳତା ହାସଲ କରିଛନ୍ତି।

ସିକ୍କିମ ଓ ରାଜସ୍ଥାନରେ ଟ୍ରେକିଂ, ଗ୍ୱାଲିଅରରେ ରକ୍ କ୍ଲାଇମ୍ବିଂ, ଚିଲିକାରେ ୟାଚିଂ, ବେଙ୍ଗାଳୁରୁରେ ଏୟାର ଫୋର୍ସ ଶିବିର ସମେତ ଦିଲ୍ଲୀ, ମୁମ୍ବାଇ ଆଦି ସ୍ଥାନରେ ଆୟୋଜିତ ବିଭିନ୍ନ ଏନସିସି କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇ ସେ ନିଜର ଦକ୍ଷତା ଓ ନେତୃତ୍ୱର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

            ରାଷ୍ଟ୍ରପତିଙ୍କ ପକ୍ଷରୁ ମିଳିଥିବା ଏହି ସମ୍ମାନ ପ୍ରତିକ୍ରିୟାରେ ଶ୍ରୀମତୀ ଲକ୍ଷ୍ମୀ ସାହୁ କହିଛନ୍ତି, “ଏହି ସମ୍ମାନ କେବଳ ମୋର ନୁହେଁ; ଏହା ମୋ ସହ କାମ କରିଥିବା ସହକର୍ମୀ, ମୋର ଛାତ୍ରଛାତ୍ରୀ ଏବଂ ଏନସିସି ପରିବାରର ସାମୂହିକ ସଫଳତା। ଶିକ୍ଷକ ଜୀବନରେ ମୁଁ ସବୁବେଳେ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ଶୃଙ୍ଖଳା, ସେବାଭାବ ଓ ନେତୃତ୍ୱ ଗୁଣର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇଆସିଛି। ରାଷ୍ଟ୍ରପତିଙ୍କ ଏହି ସ୍ୱୀକୃତି ମୋତେ ଆହୁରି ସମାଜ ଓ ଯୁବପିଢ଼ି ପାଇଁ କାର୍ଯ୍ୟ କରିବାର ପ୍ରେରଣା ଦେଇଛି। ଆଗାମୀ ଦିନରେ ମଧ୍ୟ ଦେଶସେବା ଓ ଯୁବ ସମାଜର ଚରିତ୍ର ଗଠନ ଦିଗରେ ମୋର ପ୍ରୟାସ ଅବ୍ୟାହତ ରହିବ” ।

             ରାଷ୍ଟ୍ରପତିଙ୍କ ଏହି ସମ୍ମାନ ଲାଭ ପରେ ଶ୍ରୀମତୀ ସାହୁଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ଏନସିସି ମହଲ, ସହକର୍ମୀ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବର୍ଗଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟିଛି। ତାଙ୍କର ଏହି ସଫଳତା ବ୍ରହ୍ମପୁର ସହ ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।

Related posts

ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ 

masiha

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ଵାର ଉଦଘାଟିତ

masiha

କଳପଡାରେ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!