ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ପରିଦର୍ଶନ 

ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ପରିଦର୍ଶନ 

ନବରଂଗପୁର:( ତା ୫.୮.୨୦୨୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଆଜି ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ନିସ୍ନାହାଣ୍ଡି ଏସ୍‌.ଏସ୍‌.ଡି. ଉଚ୍ଚ ବିଦ୍ୟାଳୟର ଆକସ୍ମିକ ପରିଦର୍ଶନ କରି ସେଠାରେ ପ୍ରଦାନ କରାଯାଉଥିବା ସେବା, ପରିମଳ ବ୍ୟବସ୍ଥା, ଭିତ୍ତିଭୂମିର ସ୍ଥିତି ଏବଂ ସାମଗ୍ରିକ କାର୍ଯ୍ୟପ୍ରଣାଳୀର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀ, ଡାକ୍ତର, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ହିତାଧିକାରୀମାନଙ୍କ ସହ ଆଲୋଚନା କରି ବିଭିନ୍ନ ବିଷୟରେ ମତାମତ ନେବା ସହ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ପ୍ରଥମେ ଜିଲ୍ଲାପାଳ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଓପିଡି, କାଜୁଆଲିଟି, ଏକ୍ସ-ରେ କକ୍ଷ ସମେତ ବିଭିନ୍ନ ବିଭାଗର କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରିଥିଲେ। ସେ ରୋଗୀ ଏବଂ ଡାକ୍ତରମାନଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟସେବାର ମାନ, ଔଷଧର ଉପଲବ୍ଧତା ଓ ହସ୍ପିଟାଲର ସାମଗ୍ରିକ ପରିଚାଳନା ସମ୍ପର୍କରେ ଅବଗତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଉପସ୍ଥାନ ରେଜିଷ୍ଟର, ଡ୍ୟୁଟି ରେଜିଷ୍ଟର ଓ ଅନ୍ୟାନ୍ୟ ଅଭିଲେଖ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କେତେକ ସଫେଇ କର୍ମଚାରୀ ଅନୁପସ୍ଥିତ ଥିବା ଏବଂ ହସ୍ପିଟାଲ ପରିସର ଓ ଶୌଚାଳୟର ପରିମଳ ବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ସେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ତୁରନ୍ତ ସ୍ୱଚ୍ଛତା ବଜାୟ ରଖିବା, ଶୌଚାଳୟରେ ଜଳ ଯୋଗାଣ ସୁନିଶ୍ଚିତ କରିବା, ସମସ୍ତ ଅଭିଲେଖ ନିୟମାନୁସାରେ ସଂରକ୍ଷଣ କରିବା ଏବଂ ରୋଗୀମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।ଏହାପରେ ଜିଲ୍ଲାପାଳ ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଉଚ୍ଚ ଲକ୍ଷ୍ୟ ସ୍ଥିର କରି ନିଷ୍ଠା, ଶୃଙ୍ଖଳା ଓ କଠିନ ପରିଶ୍ରମ ମାଧ୍ୟମରେ ସଫଳତା ହାସଲ କରିବାକୁ ପ୍ରେରଣା ଦେଇଥିଲେ। ହଷ୍ଟେଲରେ ଖାଦ୍ୟ, ରହଣି, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ଛାତ୍ରଛାତ୍ରୀଙ୍କଠାରୁ ମତାମତ ନେବା ସହ କୌଣସି ସମସ୍ୟା ହେଲେ ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ପରାମର୍ଶ ଦେଇଥିଲେ।ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ନିସ୍ନାହାଣ୍ଡି ଏସ୍‌.ଏସ୍‌.ଡି. ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ହଷ୍ଟେଲ, ରୋଷେଇ ଘର ଓ ବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମିର ସମୀକ୍ଷା କରିଥିଲେ। ବାଳିକା ହଷ୍ଟେଲର ମୁଖ୍ୟ ଫାଟକ କ୍ଷତିଗ୍ରସ୍ତ ଥିବା ଦେଖି ସେ ତୁରନ୍ତ ମରାମତି କରି ଛାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରୋଷେଇ ଘରରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଯାଞ୍ଚ କରି ଖାଦ୍ୟର ମାନ ସନ୍ତୋଷଜନକ ଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ରୋଷେଇ ଘରରେ ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ବଜାୟ ରଖିବା ଏବଂ ଖାଦ୍ୟର ଗୁଣବତ୍ତା ଅକ୍ଷୁଣ୍ଣ ରଖିବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ବିଦ୍ୟାଳୟର ଆକାଉଣ୍ଟରେ ଉପଲବ୍ଧ ଅବ୍ୟବହୃତ ଅର୍ଥକୁ ପ୍ରଚଳିତ ନିୟମାନୁସାରେ ଛାତ୍ରଛାତ୍ରୀଙ୍କ କଲ୍ୟାଣ, ଭିତ୍ତିଭୂମିର ଉନ୍ନତି ଏବଂ ଶିକ୍ଷାନୁକୂଳ ପରିବେଶର ବିକାଶ ପାଇଁ ବ୍ୟୟ କରିବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପରିଦର୍ଶନର ଶେଷରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ପାଳନ କରିବା, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦେବା, ସରକାରୀ ସମ୍ବଳର ସଦୁପଯୋଗ କରିବା ଏବଂ ସାଧାରଣ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ସେବା ପ୍ରଦାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନନ୍ଦାହାଣ୍ଡି କ୍ଷୀରୋଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାନ ପୋଡ଼ାଗୁଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି, ଉଦଘାଟନୀ ଉତ୍ସଵରେ ଯୋଗଦେଲେ ଧର୍ମଗଡ଼ ବିଧାୟକ

ସି ପି ଆଇ ଏମ୍ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳିତ

Sunil Chandra Nayak

ବୁଥ ସଂଶୋଧନ ନେଇ ନର୍ଲା ବ୍ଲକରେ ବୈଠକ

Sunil Chandra Nayak

Leave a Comment

error: Content is protected !!