ଆଜିର ଦିବସର ଅନୁଚିନ୍ତା: ଅଗଷ୍ଟ ୧୫ ତାରିଖ : ସ୍ୱାଧୀନତାର ମହାପର୍ବ,ଚେତନାର ଆହ୍ୱାନ, ଅସ୍ମିତା ଓ ସଂଗ୍ରାମର ଏକ ମହାନ୍ ସ୍ମାରକୀ
ଡା.ଦେବୀ ପ୍ରସାଦ ମିଶ୍ର,
ଅଗଷ୍ଟ ୧୫ ତାରିଖ କେବଳ କାଳଖଣ୍ଡର ଏକ ସାଧାରଣ ଦିନ ନୁହେଁ,ବରଂ ଏହା ମାନବ ଇତିହାସ, ସାରା ବିଶ୍ୱ,ଭାରତ ଏବଂ ଆମ ପ୍ରିୟ ଓଡ଼ିଶାର ଅସ୍ମିତା ଓ ସଂଗ୍ରାମର ଏକ ମହାନ୍ ସ୍ମାରକୀ।
ବିଶ୍ୱ ପ୍ରେକ୍ଷାପଟରେ ଅନୁଶୀଳନ କଲେ ଜଣାପଡ଼େ ଯେ ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନ୍ତ ଘଟିଥିଲା।ଏହି ଦିନ ଜାପାନର ସମ୍ରାଟ ହିରୋହିତୋ ଆତ୍ମସମର୍ପଣ କରିବା ଫଳରେ ବିଶ୍ୱବ୍ୟାପୀ ଭୟଙ୍କର ଯୁଦ୍ଧର ସମାପ୍ତି ହୋଇଥିଲା ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା।ଏହା ବ୍ୟତୀତ ୧୯୪୭ରେ ଭାରତ ସହ ଦକ୍ଷିଣ କୋରିଆ ଏବଂ ୧୯୬୦ରେ କଙ୍ଗୋ ମଧ୍ୟ ଆଜିର ଦିନରେ ନିଜର ସ୍ୱାଧୀନତା ହାସଲ କରିଥିଲେ।
ଭାରତ ଓ ଓଡ଼ିଶା କ୍ଷେତ୍ରରେ ଆଜିର ଦିନଟି ପରାଧୀନତାର ଶୃଙ୍ଖଳକୁ ଛିନ୍ନ କରି ଆତ୍ମଗୌରବର ସହ ମୁଣ୍ଡ ଟେକି ଠିଆ ହେବାର ଦିନ।୧୯୪୭ ମସିହା ଅଗଷ୍ଟ ୧୫ ଆମ ଦେଶ ପାଇଁ ଆଣିଥିଲା ସ୍ୱାଧୀନତାର ସୂର୍ଯ୍ୟୋଦୟ।ଦୀର୍ଘ ବର୍ଷର ବ୍ରିଟିଶ ଶାସନର ଅନ୍ତ ଘଟାଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା ଆମ ଦେଶ ଭାରତବର୍ଷ।ଏହି ସ୍ୱାଧୀନତା ପଛରେ ରହିଛି ମହାତ୍ମା ଗାନ୍ଧୀ,ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ଭଗତ ସିଂହଙ୍କ ଭଳି ଅଗଣିତ ବୀର ଶହୀଦ ଓ ଓଡ଼ିଶାର ବୀରପୁତ୍ର ବକ୍ସି ଜଗବନ୍ଧୁ,ଉତ୍କଳମଣି ଗୋପବନ୍ଧୁ ଦାସ,ବୀର ସୁରେନ୍ଦ୍ର ସାଏ ଏବଂ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ୱାଧୀନତା ସଂଗ୍ରାମର ରକ୍ତାକ୍ତ ଇତିହାସ।ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ପାଇଁ ଆଜିର ଦିନଟି ଅତ୍ୟନ୍ତ ଗର୍ବର ବିଷୟ,କାରଣ ୧୯୬୯ ମସିହା ଅଗଷ୍ଟ ୧୫ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପ୍ରତିଷ୍ଠା ହୋଇଥିଲା,ଯାହା ଆଜି ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ଭାରତକୁ ବିଶ୍ୱର ଶୀର୍ଷରେ ପହଞ୍ଚାଇ ପାରିଛି।ଆଜି ମଧ୍ୟ ବିଶିଷ୍ଟ ଯୋଗୀ ଓ ଦାର୍ଶନିକ ଶ୍ରୀ ଅରବିନ୍ଦଙ୍କ ଜନ୍ମ ଜୟନ୍ତୀ, ଯିଏ ଭାରତୀୟ ସଂସ୍କୃତି ଓ ଚେତନାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ଗଣିତ ଏବଂ ଜ୍ଞାନର ବିଭିନ୍ନ ଶାଖାରେ ଭାରତର ପ୍ରଗତି ଆଜି ସାରା ବିଶ୍ୱକୁ ଚମତ୍କୃତ କରୁଛି।
ଓଡ଼ିଶା ପ୍ରେକ୍ଷାପଟରେ ଅନୁଶୀଳନ କଲେ ଜଣାପଡ଼େ ଯେ ୧୯୪୭ ଅଗଷ୍ଟ ୧୫ରେ ସାରା ଦେଶ ସହ ଓଡ଼ିଶାରେ ସ୍ୱାଧୀନତାର ମହାପର୍ବ ପାଳିତ ହୋଇଥିଲା।ଏହି ସମୟରେ ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଧାନମନ୍ତ୍ରୀ (ମୁଖ୍ୟମନ୍ତ୍ରୀ) ଭାବେ କାର୍ଯ୍ୟଭାର ସମ୍ଭାଳି ପ୍ରଶାସନିକ ଓ ଆଞ୍ଚଳିକ ବିକାଶର ଏକ ନୂତନ ଯୁଗ ଆରମ୍ଭ କରିଥିଲେ। ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଓଡ଼ିଶାର ସୀମା ସୁରକ୍ଷିତ କରିବାରେ ଏହି ସମୟର ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।
ପରିଶେଷରେ ଏତିକି କୁହାଯାଇପାରେ ଯେ ଏହି ମହାନ୍ ଦିବସରେ ଆମକୁ ଆତ୍ମସମୀକ୍ଷା କରିବାକୁ ହେବ।ଆଜିର ଦିନ କେବଳ ଉତ୍ସବ ପାଳନର ଦିନ ନୁହେଁ,ବରଂ ଶହୀଦମାନଙ୍କ ତ୍ୟାଗକୁ ସ୍ମରଣ କରି ଦେଶ ଗଠନରେ ନିଜକୁ ସମର୍ପିତ କରିବାର ସଙ୍କଳ୍ପ ଦିବସ।ତେବେ ଆସନ୍ତୁ,ଆମେ ସମସ୍ତେ ଦେଶର ଏକତା,ଅଖଣ୍ଡତା,ଓଡ଼ିଶାର ପ୍ରଗତି ପାଇଁ ସଂକଳ୍ପବଦ୍ଧ ହେବା,ଭାରତକୁ ଏକ ସମୃଦ୍ଧ,ଶକ୍ତିଶାଳୀ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବା ସହ ଏକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଭିତ୍ତିକ ବିଶ୍ୱ ସମାଜ ଗଠନ କରିବା।ଏହା ହିଁ ହେବ ଆଜିର ଦିବସର ସର୍ବଶ୍ରେଷ୍ଠ ଅନୁଚିନ୍ତା ଓ ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।
ଡା.ଦେବୀ ପ୍ରସାଦ ମିଶ୍ର,

