ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଡେ଼ନ ବ୍ଲକ ଭଇଁସାଦାନୀରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ 

ବୋଡେ଼ନ ବ୍ଲକ ଭଇଁସାଦାନୀରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ପ୍ରବାସମୁକ୍ତ କରିବା ଲକ୍ଷ୍ୟରେ ବୋଡ଼େନ ବ୍ଲକ ଅନ୍ତର୍ଗତ ଭଇଁସାଦାନୀ ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ଗ୍ରାମାଞ୍ଚଳରେ ଉପଲବ୍ଧ ରୋଜଗାର ଓ ଜୀବିକା ସୁଯୋଗର ସଦୁପଯୋଗ କରି ପ୍ରବାସକୁ ଏଡ଼ାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ବୋଡ଼େନ ବିଡିଓ ଚିନ୍ମୟ ସାଗର, ତହସିଲଦାର ସରିତା ଗୁପ୍ତା, ସ୍ଥାନୀୟ ସରପଞ୍ଚ ଗିରିଜା ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଶିବିରରେ ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଓ କର୍ମନିଯୁକ୍ତିମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ନିଜ ଅଞ୍ଚଳରେ ଉପଲବ୍ଧ ସରକାରୀ ଯୋଜନା ଓ ଜୀବିକା ସୁଯୋଗର ଲାଭ ନେଇ ସ୍ଥାନୀୟ ସ୍ତରରେ ରୋଜଗାର ସୃଷ୍ଟି କରିବାକୁ ସେମାନେ ଆହ୍ୱାନ ଦେଇଥିଲେ।ଜିଲ୍ଲାପାଳ ନିଜ ଉଦ୍‌ବୋଧନରେ କହିଥିଲେ, ଭିବି-ଜି ରାମ-ଜି (VB-G RAM G) ଅଧୀନରେ ପ୍ରତ୍ୟେକ ଗ୍ରାମରେ ପର୍ଯ୍ୟାପ୍ତ ପରିମାଣର ବିକାଶମୂଳକ ପ୍ରକଳ୍ପ ଓ ରୋଜଗାର ସୁଯୋଗ ରହିଛି। ତେଣୁ ରୋଜଗାର ପାଇଁ ବାହାରକୁ ନଯାଇ ନିଜ ଗାଁରେ ରହି ଏହି କାର୍ଯ୍ୟରେ ନିୟୋଜିତ ହେବାକୁ ସେ ଗ୍ରାମବାସୀଙ୍କୁ ଆହ୍ୱାନ ଦେଇଥିଲେ। “ଯେଉଁ ଦିନ ନୂଆପଡ଼ା ଜିଲ୍ଲାର ଜଣେ ବି ବ୍ୟକ୍ତି ପ୍ରବାସୀ ଶ୍ରମିକ ଭାବେ ବାହାରକୁ ଯିବେ ନାହିଁ, ସେହି ଦିନ ପ୍ରଶାସନର ପ୍ରକୃତ ସଫଳତା ହେବ,” ବୋଲି ସେ କହିଥିଲେ।ପରିବାରର ସଦସ୍ୟମାନଙ୍କୁ ପ୍ରବାସକୁ ନପଠାଇ ସ୍ଥାନୀୟ ରୋଜଗାର ଓ ଜୀବିକା ସୁଯୋଗର ଲାଭ ନେବାକୁ ମହିଳାମାନଙ୍କୁ ମଧ୍ୟ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିସହ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ର ବ୍ୟବହାର ବନ୍ଦ କରି ଭଇଁସାଦାନୀକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଥିଲେ। ଶିଶୁ ଶ୍ରମ ଓ ଶିଶୁ ବିବାହକୁ ‘ନା’ କହିବା ସହ ପିଲାମାନଙ୍କୁ ଶ୍ରମରେ ନିୟୋଜିତ ନକରି ନିୟମିତ ବିଦ୍ୟାଳୟକୁ ପଠାଇବା ପାଇଁ ସେ ଅଭିଭାବକମାନଙ୍କୁ କହିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଓ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ନବଜାତ କନ୍ୟାଶିଶୁ ଦେବାଂଶୀ କଟା ଓ ରିହାଂସି ମାଝୀଙ୍କୁ କୋଳରେ ଧରି ସେମାନଙ୍କ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କ ଅଭିଭାବକଙ୍କୁ ବୃକ୍ଷଚାରା ଓ ଉପହାର ପ୍ରଦାନ କରିଥିଲେ। ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ ଅବସରରେ ଗ୍ରାମର ୪ ଜଣ ଗର୍ଭବତୀ ମହିଳାଙ୍କୁ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଓ ଉପହାର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଛାତ୍ରୀମାନେ ଗୀତ ଓ ନୃତ୍ୟ ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହୃଷୀକେଶ ଜଗତ, ବୈଷ୍ଣବ ଦୁରିଆ ଓ ବଳରାମ ବାଗଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯାଇଥିଲା। ନୀଳିମା ଦୁରିଆ ଓ ଶଙ୍କର୍ଷଣ ମହାନନ୍ଦଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ୧୨ଟି ପଞ୍ଚାୟତର ୩୧ ଜଣ ସ୍ୱଚ୍ଛତା କର୍ମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।କାର୍ଯ୍ୟକ୍ରମର ଶେଷରେ ‘ପକ୍ଷୀ ପାଇଁ ଦିନଟିଏ’ ଅଭିଯାନ ଅନ୍ତର୍ଗତ ପକ୍ଷୀମାନଙ୍କ ପାଇଁ ବାସସ୍ଥାନ, ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଥିଲା।

Related posts

ତ୍ରୟୋଦଶ ଜାତୀୟ ମତଦାତା ଦିବସ ୨୦୨୩ ପାଳିତ

Sunil Chandra Nayak

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଜୁନ ୧୯ରେ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ସଦର ବ୍ଲକ ଘେରାଉ

Sunil Chandra Nayak

ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମାରୋପ ସମାରୋହ  ସକରାତ୍ମକ ଭାବନା ନୂଆ ସମାଜ ଗଠନରେ ସହାୟକ: ଶ୍ରୀ ତନ୍ତୀ 

masiha

Leave a Comment

error: Content is protected !!