ରାଉରକେଲା କଲେଜରେ ‘ସୁନ୍ଦରଗଡ଼ର ଆଦିବାସୀ ସଂସ୍କୃତି ଓ ସମୁଦାୟ ଜୀବନର ଏକ ଅନ୍ୱେଷଣ’ ଶୀର୍ଷକ ସେମିନାର ଅନୁଷ୍ଠିତ
ରାଉରକେଲା: ରାଉରକେଲା କଲେଜ, ରାଉରକେଲାର ଇତିହାସ ବିଭାଗ ପକ୍ଷରୁ “ ଆନ ଏକ୍ସପ୍ଲୋରେସନ ଅନ ଟ୍ରାଇବାଲ କଲଚର ଆଣ୍ଡ କମୁନିଟି ଲାଇଫ ଇନ୍ ସୁନ୍ଦରଗଡ ” ଶୀର୍ଷକ ଏକ ଶିକ୍ଷାମୂଳକ ସେମିନାର ଆୟୋଜିତ ହୋଇଯାଇଛି। ସୁନ୍ଦରଗଡ଼ା ଅଞ୍ଚଳର ଆଦିବାସୀ ସମୁଦାୟର ସମୃଦ୍ଧ ସଂସ୍କୃତି, ପରମ୍ପରା, ଜୀବନଶୈଳୀ ଓ ସାମୁଦାୟିକ ଜୀବନଧାରାକୁ ଅନୁଧ୍ୟାନ କରିବା ଏହି ସେମିନାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରି ଇତିହାସ ବିଭାଗର ଅତିଥି ଅଧ୍ୟାପିକା ସ୍ୱାତିସ୍ମିତା ସାହୁ ସୁନ୍ଦରଗଡ଼ର ଆଦିବାସୀ ସଂସ୍କୃତିର ବିବିଧତା ଓ ଏହାର ଐତିହାସିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ।
ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ତରଣୀ ନାୟକ ମଞ୍ଚାସୀନ ଅତିଥି ଓ ବକ୍ତାମାନଙ୍କୁ ସ୍ୱାଗତ ଜଣାଇବା ସହ ସେମିନାରର ଉଦ୍ଦେଶ୍ୟ ଓ ବିଷୟର ପ୍ରାସଙ୍ଗିକତା ସମ୍ପର୍କରେ ନିଜର ମତ ରଖିଥିଲେ। ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ନିଜର ଅଭିଭାଷଣରେ ଆଦିବାସୀ ସମାଜର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଓ ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଯୁବପିଢ଼ି ନିଜ ଅଞ୍ଚଳର ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
ସେମିନାରର ପ୍ରଥମ ଏକାଡେମିକ୍ ଅଭିଭାଷଣ ପ୍ରଦାନ କରି ରାଉରକେଲା କଲେଜ, ରାଉରକେଲାର ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଭୂୟାଁ ଜନଜାତିର ସଂସ୍କୃତି, ପରମ୍ପରା, ସାମାଜିକ ଜୀବନ ଓ ଜୀବନଶୈଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଭୂୟାଁ ସମୁଦାୟର ସାଂସ୍କୃତିକ ପରିଚୟ, ପାରମ୍ପରିକ ରୀତିନୀତି ଓ ସାମୁଦାୟିକ ଜୀବନଧାରାର ବିଭିନ୍ନ ଦିଗ ଉପରେ ସେ ଆଲୋକପାତ କରିଥିଲେ। ସେହିପରି ପରବର୍ତ୍ତୀ ଏକାଡେମିକ୍ ଅଭିଭାଷଣରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଡ. ରଞ୍ଜିତା ଓରାମ , ଓରାମ ଜନଜାତିର ସଂସ୍କୃତି ଓ ସମୁଦାୟ ଜୀବନ ଉପରେ ଆଲୋଚନା କରିବା ସହ ଓରାମ ସମୁଦାୟର ସାମାଜିକ ପରମ୍ପରା, ଜୀବନଶୈଳୀ, ଭାଷା, ପର୍ବପର୍ବାଣୀ, ରୀତିନୀତି ଓ ସାଂସ୍କୃତିକ ପରିଚୟର ବିଭିନ୍ନ ପାର୍ଶ୍ୱକୁ ବିଶ୍ଳେଷଣ କରିଥିଲେ। ପରେ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଭାରତୀ ମୃଧା କିଷାନ ଜନଜାତିର ସଂସ୍କୃତି ଓ ସମୁଦାୟ ଜୀବନ ସମ୍ପର୍କରେ ତଥା ପାରମ୍ପରିକ ଜୀବନଧାରା, ସାମାଜିକ ସମ୍ପର୍କ, ପରମ୍ପରା, ରୀତିନୀତି ଓ ସାଂସ୍କୃତିକ ବିଶେଷତା ଉପରେ ଆଲୋକପାତ କରିଥିଲେ।
ଶେଷରେ ବିଶାଲ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପିକା ସ୍ବାତୀସ୍ମିତା ସାହୁ ସଂଯୋଜନା କରିଥିଲାବେଳେ ଆଶ୍ରିତା ଓ ଗୃପ ସ୍ବାଗତ ସଂଗୀତ ତଥା ଦିବ୍ୟା,ସନୀର, ଆୟୁଷ, ସିଦ୍ଧାର୍ଥ, ଚନ୍ଦନ,ଖୁସବୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

