ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଜିଲ୍ଲାରେ SIR-୨୦୨୬ ଅନ୍ତର୍ଗତ ନିର୍ବାଚନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନିର୍ବାଚନ ଚୂଡ଼ାନ୍ତ ତାଲିକାରେ ୬,୭୧,୩୭୮ ଜଣ ଭୋଟର

ରାୟଗଡ ଜିଲ୍ଲାରେ SIR-୨୦୨୬ ଅନ୍ତର୍ଗତ ନିର୍ବାଚନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ନିର୍ବାଚନ ଚୂଡ଼ାନ୍ତ ତାଲିକାରେ ୬,୭୧,୩୭୮ ଜଣ ଭୋଟର 

ରାୟଗଡ, ୨୧/୦୯/୨୦୨୬: ରାୟଗଡ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision–SIR), ୨୦୨୬ ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ବୈଠକ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ କଲେକ୍ଟରେଟ୍‌ର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।ବୈଠକରେ SIR-୨୦୨୬ ପ୍ରକ୍ରିୟାରେ ଜିଲ୍ଲାରେ ହୋଇଥିବା ଭୋଟର ତାଲିକା ସଂଶୋଧନ, ଯୋଗ, ବିୟୋଜନ ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପର୍କରେ ଅଧିକୃତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ଚୂଡ଼ାନ୍ତ ଭୋଟର ତାଲିକା ରାଜନୈତିକ ଦଳମାନଙ୍କୁ ହାର୍ଡକପି ସହିତ ପେନ୍‌ଡ୍ରାଇଭ୍‌ ମାଧ୍ୟମରେ ସଫ୍ଟକପି ମଧ୍ୟ ପ୍ରଦାନ କରାଯାଇଛି।

SIR ପ୍ରକ୍ରିୟା ପୂର୍ବରୁ ଜିଲ୍ଲାର ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀ ୧୩୮-ଗୁଣପୁର, ୧୩୯-ବିଷମକଟକ ଓ ୧୪୦-ରାୟଗଡର ପୂର୍ବତନ ଭୋଟର ତାଲିକାରେ ମୋଟ ୭,୧୪,୭୦୦ ଜଣ ଭୋଟର ଥିଲେ। ଡ୍ରାଫ୍ଟ ଭୋଟର ତାଲିକାରେ ଏହି ସଂଖ୍ୟା ୬,୬୯,୨୦୭ ରହିଥିବା ବେଳେ, ପ୍ରକ୍ରିୟା ସମାପ୍ତ ପରେ ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ୬,୭୧,୩୭୮ ଜଣ ଭୋଟର ସ୍ଥାନ ପାଇଛନ୍ତି।

SIR ପ୍ରକ୍ରିୟା ସମୟରେ ସ୍ଥାନାନ୍ତରଣ (Migration) ଏବଂ ଆବଶ୍ୟକ ଦଲିଲ ଉପଲବ୍ଧ ନଥିବା ସମ୍ପର୍କିତ ମାମଲାରେ ୧,୪୭,୩୬୭ ଜଣ ଭୋଟରଙ୍କୁ ଶୁଣାଣି ପାଇଁ ନୋଟିସ୍ ଜାରି କରାଯାଇଥିଲା। ନିର୍ଦ୍ଧାରିତ ପ୍ରକ୍ରିୟା ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଏହି ମାମଲାଗୁଡ଼ିକର ଯାଞ୍ଚ ଓ ଶୁଣାଣି କରାଯାଇଛି।

ଏହି ପ୍ରକ୍ରିୟାରେ ଫର୍ମ-୬, ଫର୍ମ-୬ଏ ଓ ଫର୍ମ-୮ ମାଧ୍ୟମରେ ୨,୫୩୭ ଜଣଙ୍କ ନାମ ଯୋଗ କରାଯାଇଛି। ସେହିପରି CEO (Election), Odishaଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରକ୍ରିୟା ମଧ୍ୟରେ ୩୬୬ ଜଣଙ୍କ ନାମ ବିୟୋଜନ କରାଯାଇଛି। ଏହା ବ୍ୟତୀତ ୫୪ ଜଣ ଭୋଟର ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛନ୍ତି। ଅଯୋଗ୍ୟ ଭୋଟରଙ୍କ ସଂଖ୍ୟା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସାରେ ୧୩୮-ଗୁଣପୁରରେ ୧୮, ୧୩୯-ବିଷମକଟକରେ ୫ ଏବଂ ୧୪୦-ରାୟଗଡରେ ୩୧ ରହିଛି।

ଚୂଡ଼ାନ୍ତ ଭୋଟର ତାଲିକାରେ ବିଦେଶରେ ରହୁଥିବା ୨ ଜଣ NRI ଭୋଟର ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ନିର୍ବାଚନମଣ୍ଡଳୀଭିତ୍ତିକ ଭୋଟର ସଂଖ୍ୟା ହେଉଛି 

୧୩୮-ଗୁଣପୁର: ୨,୦୭,୮୬୧
୧୩୯-ବିଷମକଟକ: ୨,୨୦,୯୫୦
୧୪୦-ରାୟଗଡ: ୨,୪୨,୫୬୭
ଜିଲ୍ଲା ମୋଟ: ୬,୭୧,୩୭୮

ଜିଲ୍ଲାର ଚୂଡ଼ାନ୍ତ ତାଲିକାରେ ୩,୧୭,୯୫୮ ଜଣ ପୁରୁଷ, ୩,୫୩,୨୫୨ ଜଣ ମହିଳା ଏବଂ ୧୬୮ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ଲିଙ୍ଗ ଅନୁପାତ ୧୧୧୧ ରହିଛି। ଏଥିରେ ୧୮-୧୯ ବର୍ଷ ବୟସର ୫,୨୨୫ ଜଣ ଯୁବ ଭୋଟର, ୧୪,୭୧୯ ଜଣ ଦିବ୍ୟାଙ୍ଗ ଭୋଟର, ୨୨୮ ଜଣ ସର୍ଭିସ୍ ଭୋଟର ଏବଂ ୨,୨୦୮ ଜଣ ୮୫ ବୟସରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ ଅଛନ୍ତି।

ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି କହିଥିଲେ ଯେ, SIR ପ୍ରକ୍ରିୟା ସମୟରେ ଜିଲ୍ଲାରେ କୌଣସି ବଡ଼ ଧରଣର ସମସ୍ୟା ସାମ୍ନାକୁ ଆସିନଥିଲା। ନିର୍ବାଚନ ତାଲିକା ଏକ ନିରନ୍ତର ସଂଶୋଧନ ପ୍ରକ୍ରିୟା ହୋଇଥିବାରୁ Continuous Revision ସର୍ବଦା ଖୋଲା ରହିଥାଏ। ଭୋଟରମାନେ ନିଜ ନାମ ଓ ବିବରଣୀ ଯାଞ୍ଚ କରି ଆବଶ୍ୟକ ସ୍ଥଳେ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ନାମ ଯୋଗ, ବିବରଣୀ ସଂଶୋଧନ କିମ୍ବା ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ନେଇପାରିବେ। CEO Odishaଙ୍କ ନିର୍ଦ୍ଦେଶିକାରେ Form-6 ନୂତନ ନାମ ପଞ୍ଜୀକରଣ ଏବଂ Form-8 ସଂଶୋଧନ/ଠିକଣା ପରିବର୍ତ୍ତନ ଆଦି ପାଇଁ ବ୍ୟବହୃତ ହୁଏ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ରନାଥ କହଁର, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଳ ଅଭିଷେକ ଦିଲ୍ଲୀପ, ରାୟଗଡ ଉପଜିଲ୍ଲାପାଳ ସୁଶ୍ରୀ ମୃଣାଳିକା ରାଠୋର, ନିର୍ବାଚନ ଡେପୁଟି କଲେକ୍ଟର ସୁଶ୍ରୀ ମାନୁଏଲା ପ୍ରିୟଦର୍ଶିନୀ, ନିର୍ବାଚନ ସହକାରୀ କଲେକ୍ଟର ସୁଶ୍ରୀ ବିଚିତ୍ରା ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରିଙ୍କ ସମେତ ବିଭିନ୍ନ ଅଧିକୃତ ରାଜନୈତିକ ଦଳର ଜିଲ୍ଲା ସଭାପତି, ପ୍ରତିନିଧି ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବୈଠକ ଶେଷରେ ଚୂଡ଼ାନ୍ତ ଭୋଟର ତାଲିକାର ହାର୍ଡକପି ସମ୍ପୃକ୍ତ ରାଜନୈତିକ ଦଳଗୁଡ଼ିକୁ ପ୍ରଦାନ କରାଯିବା ସହିତ ତାଲିକାର ସଫ୍ଟକପି ପେନ୍‌ଡ୍ରାଇଭ୍‌ ମାଧ୍ୟମରେ ମଧ୍ୟ ଦିଆଯାଇଥିଲା। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସତପ୍ରତିଶତ ଶ୍ରବଣଶକ୍ତିହୀନ ପ୍ରମାଣପତ୍ର ସତ୍ତ୍ୱେ ୩୫୦୦/- ଟଙ୍କା ବର୍ଦ୍ଧିତ ଭତାରୁ ବଞ୍ଚିତ 

Sunil Chandra Nayak

ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାୟଗଡ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ,ଭl.ପ୍ର.ସେଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!