ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମୀଙ୍କୁ ଉଠାଇନେଲl ପୋଲିସ
ଭୁବନେଶ୍ବର – ୨୧/୦୯ ଦୁଇଦିନିଆ ଗସ୍ତରେ ଆସିଥିବାଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ନୁଦେବ ସାଏ ଆସି ମହାନଦୀ ସଂକ୍ରାନ୍ତରେ ଯେଉଁ ବିବୃତ୍ତି ରଖିଛନ୍ତି ତାକୁ ବିରୋଧ କରିବା ସହିତ ଏକ ଶାନ୍ତିପୂର୍ଣ୍ଣ ଧାରଣା ମାଧ୍ୟମରେ ତାଙ୍କୁ କିଛି ପ୍ରଶ୍ନ ପଚାରିବା ପାଇଁ ପ୍ରୟାସ କଲାବେଳେ ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମୀମାନଙ୍କୁ ଆଜି ପୋଲିସ ଗିରଫ କରିଛି l ଆଜି ସକାଳେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ଙ୍କ ନେତୃତ୍ୱରେ ସଂଗଠନର କର୍ମୀମାନେ ଲୋକ ଭବନ ସାମ୍ନାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଏକ ଶାନ୍ତି ପୂର୍ଣ୍ଣ ପ୍ରତିବାଦ ଧାରଣା ଦେବା ପାଇଁ ସେଠାରେ ପହଞ୍ଚିଥିଲେ l ସେମାନେ ଧାରଣାରେ ବସିବା ପୂର୍ବରୁ ପୋଲିସ ସେମାନଙ୍କୁ ଜୋରଜବରଦସ୍ତ ଓଠାଇ ନେଇ କ୍ୟାପିଟାଲ ଥାନାରେ ୩ ଘଣ୍ଟା ଧରି ଅଟକ ରଖିବା ପରେ ଛାଡ଼ି ଦେଇଥିଲା l
ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଗତ କାଲି ଗଣମାଧ୍ୟମ ସାମ୍ନାରେ କହିଥିଲେ ଯେ ମହାନଦୀ ଜଳକୁ ନେଇ ଦୁଇ ରାଜ୍ୟ ଭିତରେ କୌଣସି ବିବାଦ ନାହିଁ l ପୁଣି କହିଲେ ଯେ ବହୁତ୍ ଶୀଘ୍ର ବିବାଦର ସମାଧାନ ହୋଇଯିବ l
ଯଦି ଓଡ଼ିଶା ଓ ଛତିଶଗଡ ଭିତରେ ମହାନଦୀ ଜଳକୁ ନେଇ ବିବାଦ ନାହିଁ ତେବେ ସମାଧାନ ପାଇଁ ଏତେ ନାଟକ କଣ ପାଇଁ ବୋଲି ତାଚ୍ଛଲ୍ୟ ଭରା ପ୍ରଶ୍ନ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ l ଏହା ସହିତ କଲମl ବ୍ୟାରେଜ ର ସମସ୍ତ ଗେଟ ଗୁଡିକୁ ଖରାଦିନେ କାହିଁକି ବନ୍ଦ ରଖାଯାଉଛି, ଅଣ ମୌସୁମୀ ସମୟରେ ଓଡ଼ଶାର ଯେଉଁ ୧.୭୪ ନିୟୁତ ଏକର ଫୁଟ ପାଣି ଦରକାର ତାକୁ ଛତିଶଗଡ କାହିଁକି ଛାଡୁନି, ନିର୍ଦ୍ଦିଷ୍ଟ ସଂସ୍ଥା ଗୁଡ଼ିକର ବିନା ଅନୁମତିରେ ମହାନଦୀରେ ନିର୍ମିତ ପ୍ରକଳ୍ପ ଗୁଡିକୁ ବେଆଇନ ଘୋଷଣା କରାଯିବ କି, କେତେ ପାଣି ଉପର ମୁଣ୍ଡରେ ରଖିବାକୁ ଛତିଶଗଡ ଦାବି କରୁଛି – ଇତ୍ୟାଦି ପ୍ରଶ୍ନ ସମ୍ବଳିତ ପ୍ଲାକାର୍ଡ ଧରି ଆନ୍ଦୋଳନକାରୀମାନେ ସ୍ଲୋଗାନ ଦେବା ଅବସରରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା l
ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବାରମ୍ବାର ଖୁବ୍ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହୋଇଯିବ ବୋଲି ଘୋଷଣା କରୁଛନ୍ତି l ଏହାର ସମୟ ସୀମା କେତେ ଓ କେଉଁ ଆଧାରରେ ସମାଧାନ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପ୍ରଶ୍ନ କରିଛି l ଆଜି ପର୍ଯ୍ୟନ୍ତ ସରକାର ଆପୋଷ ବୁଝାମଣା ସମ୍ବନ୍ଧୀୟ କୌଣସି ସଠିକ୍ ତଥ୍ୟ ଓଡ଼ିଶାବାସୀଙ୍କୁ ନଦେବା ଆତ୍ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଙ୍ଗଠନର କର୍ମକର୍ତ୍ତା ମାନେ କହିଛନ୍ତି l ଆଜି ଦୁଇ ମୁଖ୍ଯମନ୍ତ୍ରୀ ଭିତରେ ମହାନଦୀ ଜଳ ବିବାଦକୁ ନେଇ କଣ ଆଲୋଚନା ହେଲା ତାକୁ ପ୍ରେସ ବିଜ୍ଞପ୍ତି ଜରିଆରେ ଓଡ଼ିଶାବାସୀଙ୍କୁ ଜଣାଇବାକୁ ମଧ୍ୟ ସଂଗଠନ ଦାବି କରିଛି l
ଆଜିର ଏହି ଆନ୍ଦୋଳନରେ ଶ୍ରୀ ବାସୁଦେବ ଭଟ୍ଟ, ଗିରିଜା ଦାସ, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ମନୋଜ ଜେନା, ପ୍ରକାଶ ରଥ, ପ୍ରଦୀପ୍ତ ନାୟକ, ଅରୁଣ ଜେନା, ମୀନାରାଣୀ ଦାସ, ସର୍ବେଶ୍ୱର ମହାନ୍ତି, ବିବେକାନନ୍ଦ ବିଶ୍ୱାଳ, ସ୍ନେହଂଶୁ ଜେନା ପ୍ରମୁଖ ଯୋଗ ଦେଇଥିଲେ l
ପ୍ରସନ୍ନ ବିଷୋୟୀ
ପ୍ରବକ୍ତା, ମହାନଦୀ ବଞ୍ଚାଅ ଆନ୍ଦୋଳନର ସମସ୍ତ ସଦସ୍ଯ ସାମିଲ ଥିଲେ

