ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ସ୍ଵତନ୍ତ୍ର ବୈଠକ  ସାଂଗଠନିକ ସୁଦୃଢ଼ୀକରଣ,ଶିକ୍ଷା,ସ୍ୱାସ୍ଥ୍ୟ,ସାମାଜିକ ସେବା କାର୍ଯ୍ୟକ୍ରମ ଓ ବରିଷ୍ଠ ନାଗରିକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ

ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ସ୍ଵତନ୍ତ୍ର ବୈଠକ 

ସାଂଗଠନିକ ସୁଦୃଢ଼ୀକରଣ,ଶିକ୍ଷା,ସ୍ୱାସ୍ଥ୍ୟ,ସାମାଜିକ ସେବା କାର୍ଯ୍ୟକ୍ରମ ଓ ବରିଷ୍ଠ ନାଗରିକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ

ଢେଙ୍କାନାଳ: ତା.୨୭.୦୯.୨୦୨୬ରିଖ : ( ମ ନି ସ): ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଵତନ୍ତ୍ର ବୈଠକ ଆଜି ସ୍ଥାନୀୟ ଗାନ୍ଧୀ ମନ୍ଦିର ରୋଡ଼ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ପରିଷଦର ସଭାପତି ତଥା ପୂର୍ବତନ ଜିଲ୍ଲା ଜଜ୍ ଦୁର୍ଗା ଚରଣ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବହୁ ବିଶିଷ୍ଟ ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗଦେଇ ପରିଷଦର ମୂଳ ଲକ୍ଷ୍ୟ ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବ୍ୟାପକ ଆଲୋଚନା କରିଛନ୍ତି।ମୁଖ୍ୟ ଉପଦେଷ୍ଟା ତଥା ପ୍ରାକ୍ତନ ଅଧ୍ୟକ୍ଷ,ପ୍ରାଧ୍ୟାପକ ହରେକୃଷ୍ଣ କର ସଭାକାର୍ଯ୍ୟ ପରିଚାଳନା କରିବା ସଙ୍ଗେ ସଙ୍ଗେ ସ୍ୱୀୟର ବକ୍ତବ୍ୟରେ ସାଂଗଠନିକ ସୁଦୃଢ଼ୀକରଣ,ଶିକ୍ଷା,ସ୍ୱାସ୍ଥ୍ୟ, ସାମାଜିକ ସେବା କାର୍ଯ୍ୟକ୍ରମ ଓ ବରିଷ୍ଠ ନାଗରିକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।ଏହି ସ୍ୱତନ୍ତ୍ର ବୈଠକରେ ବରିଷ୍ଠ ନାଗରିକ ପରିଷଦ ଗଠନର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା।ସମାଜର ମାର୍ଗଦର୍ଶକ ସାଜିଥିବା ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା,ସମ୍ମାନ ଓ ଅଧିକାରକୁ ସୁନିଶ୍ଚିତ କରିବା ଏହି ପରିଷଦର ମୁଖ୍ୟ ଲକ୍ଷ୍ୟ।ଏହା ସହିତ କେବଳ ବରିଷ୍ଠ ନାଗରିକ ନୁହନ୍ତି,ବରଂ ସମାଜର ଅବହେଳିତ ଓ ଅସହାୟ ବର୍ଗଙ୍କ ସ୍ୱର ସାଜି ସେମାନଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବା ପାଇଁ ପରିଷଦ ସଂକଳ୍ପବଦ୍ଧ ବୋଲି ବୈଠକରେ ମତପ୍ରକାଶ ପାଇଛି।ବୈଠକର ପ୍ରାରମ୍ଭରେ ଯୋଗଦେଇଥିବା ସମସ୍ତ ସଭ୍ୟ ସ୍ୱ ସ୍ୱ ପରିଚୟ ପ୍ରଦାନ କରିବା ସହ ସାଂଗଠନିକ କାର୍ଯ୍ୟାବଳୀ ଓ ଆଲୋଚନା ଅବସରରେ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଅନେକ ସାରଗର୍ଭକ ପ୍ରସ୍ତାବ ଦେଇଥିଲେ।ସଂଗଠନର ପରିସରକୁ ବୃଦ୍ଧି କରିବା ପାଇଁ ନୂତନ ସଭ୍ୟ ଗ୍ରହଣ ପ୍ରକ୍ରିୟା ଏବଂ ସମସ୍ତ ସଦସ୍ୟଙ୍କୁ ବିଧିବଦ୍ଧ ଭାବେ ପରିଚୟପତ୍ର ପ୍ରଦାନ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।ଏହି ଆଲୋଚନାରେ ପରିଷଦର କାର୍ଯ୍ୟକାରୀ ସଭାପତି ଯୋଗୀନାଥ ମହାନ୍ତି,ଅକ୍ଷୟ ସାହୁ, ଉପସଭାପତି ମୋହିତ ଦାଶ,ବିନାୟକ ଶତପଥୀ,ଅମ୍ବିକା ପ୍ରସାଦ ବରାଳ,ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଶିକ୍ଷାବିତ୍ ଡା. ଦେବୀ ପ୍ରସାଦ ମିଶ୍ର,ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ତାରାପ୍ରସନ୍ନ ଶତପଥୀ,ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ବିଶ୍ୱନାଥ ମହାପାତ୍ର, ପ୍ରାଧ୍ୟାପକ କ୍ଷୀରୋଦ ଚନ୍ଦ୍ର ନାୟକ,କୈଳାଶ ଚନ୍ଦ୍ର ବେହେରା, ପିଣ୍ଡିକା ଦାସ,ବୈଜ୍ଞାନିକ ତଥା ପରିବେଶବିତ୍ ଡ.ନିରୋଦ ଚନ୍ଦ୍ର ରାଉତ,ନାରୀନେତ୍ରୀ ତଥା ସମାଜସେବୀ ସ୍ମିତା ରାଣୀ ସାମଲ,ଅସୀମା ଦାଶ,ରୁମେନା ବେଗମ୍,ସୟେଦ ସାଫିର୍ ଅଲ୍ଲୀ,ଅହମ୍ମଦ ଖାନ୍,ପ୍ରଫୁଲ୍ଲ କୁମାର ମହାନ୍ତି,ସବ୍ୟସାଚୀ ପଟ୍ଟନାୟକ,ପ୍ରୀତି ରଞ୍ଜନ ପଟ୍ଟନାୟକ,ଆକାନନ୍ଦ ଭୋଳ, ପ୍ରଶାନ୍ତ କୁମାର ମିଶ୍ର,ଛାୟାକାନ୍ତ ନାୟକ,ମଥୁରା ଚନ୍ଦ୍ର ସାହୁ,ରଥ ସେଠୀ,ଡମ୍ବରୁଧର ପୃଷ୍ଟି,ଶରତ କୁମାର ପୃଷ୍ଟି ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ସ୍ଵ ସ୍ଵ ମତ ଉପସ୍ଥାପନ କରିଥିଲେ।ଭବିଷ୍ୟତର ଯୋଜନାବଦ୍ଧ କାର୍ଯ୍ୟକ୍ରମ ମଧ୍ୟରେ ପରିଷଦ ପକ୍ଷରୁ ଆଗାମୀ ଦିନରେ ଜିଲ୍ଲାରେ ବ୍ୟାପକ ସାମାଜିକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି,ଯେଉଁଥିରେ ମୁଖ୍ୟତଃ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଦୃଢ଼ ଆହ୍ୱାନ ଦିଆଯାଇଛି।ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ସଂଗଠନକୁ ପହଞ୍ଚାଇବା ସହ ନୂତନ ସଦସ୍ୟ ଯୋଡ଼ି ସଂଗଠନର କଳେବର ବୃଦ୍ଧି କରାଯିବ।ଜିଲ୍ଲାର ସମସ୍ତ ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକମାନଙ୍କୁ ଯେପରି ସଠିକ୍ ସମୟରେ ଭତ୍ତା ମିଳିପାରିବ ସେଥିପାଇଁ ପରିଷଦ ମଧ୍ୟସ୍ଥି ସାଜିବ।ଏହାସହ ଅସହାୟ ମହିଳା,ଶିଶୁ ଏବଂ କଳାକାରମାନଙ୍କୁ ସରକାରୀ ଯୋଜନାର ଲାଭ ପ୍ରଦାନ କରିବାରେ ପରିଷଦ ସମ୍ପୂର୍ଣ୍ଣ ସହଯୋଗ କରିବ।ସମାଜକୁ କଳୁଷିତ କରୁଥିବା ନିଶା ଏବଂ ଦୁର୍ନୀତି ବିରୋଧରେ ବରିଷ୍ଠ ନାଗରିକ ପରିଷଦ ଏକ ଜନଆନ୍ଦୋଳନ ଗଢ଼ିତୋଳିବ ବୋଲି ସଭାପତି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଦୃଢ଼ ଘୋଷଣା କରିଛନ୍ତି।ଉପସଭାପତି ତଥା କବି ବାହାଦୂର ପାଟ୍ଟସାହାଣୀ ନିଜ ଅଭିଭାଷଣରେ ପରିଷଦର ସଭ୍ୟ ସଂଖ୍ୟା ବୃଦ୍ଧି କରି ଏହାକୁ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବାକୁ ଏବଂ ଅଧିକ ପ୍ରଭାବଶାଳୀ କରିବାକୁ ଆହ୍ୱାନ ଦେଇଥିଲେ ଓ ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ବ୍ଲକ୍ ରୁ,ପ୍ରତ୍ୟେକ ଗ୍ରାମ,ଟାଉନ୍,ପୌରାଞ୍ଚଳ ପ୍ରଭୃତି ଅଞ୍ଚଳରୁ ଶତାଧିକ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜ ଅଞ୍ଚଳକୁ ପ୍ରତିନିଧିତ୍ଵ କରିବା ସଙ୍ଗେ ସଙ୍ଗେ ନିଜ ନିଜ ଅଞ୍ଚଳରେ ବରିଷ୍ଠ ନାଗରିକମାନଙ୍କୁ ଚିହ୍ନଟ କରି ପରିଷଦରେ ସଭ୍ୟ କରି ପରସ୍ପରକୁ ସାହାଯ୍ୟ କରିବାକୁ ବଜ୍ରଶପଥ ନେଇଥିଲେ।ଏହାପରେ ଏକ ସାମୂହିକ ସହଭୋଜନ ଅନୁଷ୍ଠିତ ହେବା ସହ କାର୍ଯ୍ୟକ୍ରମର ସଫଳ ପରିସମାପ୍ତି ଘଟିଥିଲା।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍ ,

Related posts

୮ଦଫା ଦାବି ପୂରଣ ଦାବିରେ ପରଜଙ୍ଗ ବିଡ଼ିଓ ଙ୍କୁ ଅଙ୍ଗନବାଡି କର୍ମୀ ଙ୍କ ଦାବିପତ୍ର  

Sunil Chandra Nayak

ଜଳ ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ ରେ……

masiha

Leave a Comment

error: Content is protected !!