ବାଲେଶ୍ଵର,୨୧/୫/୨୨- ବାଲେଶ୍ଵର ଜିଲ୍ଲା ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥ ଖଇରା ବ୍ଲକ ଆଳଦା – ପଳସା – ଡୁଙ୍ଗୁରା ରାସ୍ତା ବିଭାଗୀୟ ଅଧିକାରୀଙ୍କ ଅବହେଳା ଚରମ ସୀମାରେ ପହଞ୍ଚିଲାଣି । କେଉଁଠି ନର୍ଦ୍ଦମା ପାଣି ତ କେଉଁଠି ବର୍ଷା ପାଣି ଜମିବା ସହିତ ଧିରେ ଧିରେ ରାସ୍ତାଟି ସଙ୍କୋଚିତ ହେବାରେ ଲାଗିଲାଣି । ଦିନକୁ ଦିନ ଏପରି ଅବହେଳା ବଢିବା ସହିତ ମରଣଯନ୍ତା ପାଲଟିବା ଆରମ୍ଭ ହୋଇଛି । ଉଦାହରଣ ସ୍ବରୂପ ପଳସା ମଠ ନିକଟ ଗେଙ୍ଗୁଟି ନଈ ପୋଲକୁ ନିଆଯାଇପାରେ ! ଦୀର୍ଘଦିନ ହେବ ଏହି ପୋଲଟି ନିର୍ମାଣ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ପୋଲ ଢଳେଇ ପାର୍ଶ୍ଵରେ ସୃଷ୍ଟି ହୋଇଛି ଗର୍ତ୍ତ । ଏହି ରାସ୍ତା ଦେଇ ଦୈନିକ ଶହଶହ ଗାଡିମୋଟର ଯାତାୟତ କରିବା ସହିତ ପ୍ରାୟ ୧୦ ଗୋଟି ପଞ୍ଚାୟତରୁ ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଯିବାଆସିବା କରିଥାନ୍ତି । ଗର୍ତ୍ତ ହେବା ଦ୍ବାରା ପୋଲଟି ଦୁର୍ବଳ ହୋଇପଡିଛି, କେତେବେଳେ ଯେ ଭୁଷୁଡି ପଡିବ, କାହା ଜୀବନ ଯିବ ତାହା କିଏ କହିପାରିବ ! ରାସ୍ତା ପ୍ରତି ସରକାରଙ୍କର ଏପ୍ରକାର ଅବହେଳା ଆଗାମୀ ନିର୍ବାଚନ ପାଇଁ ବିରୋଧୀଙ୍କ ଅସ୍ତ୍ର ହେବନି ତ ?ଏବାବଦରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ ଫଳ ଶୂନ୍ୟ । ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ପରେ ବି ଭାଙ୍ଗୁନି ନିଦ ପ୍ରଶାସନର । ତେଣୁ ବିଭାଗୀୟ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ନଚେତ୍ ଆଗାମୀ ଦିନରେ ଜନ ଆନ୍ଦୋଳନକୁ କେହି ରୋକି ପାରିବେ ନାହିଁ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ