ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭକ୍ତଙ୍କ ଆସ୍ଥା ଓ ଭାବାବେଗକୁ ସମ୍ମାନ ଦିଆଯାଉ ଛତର ଯାତ୍ରାରେ ପ୍ରଶାସନର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ଭକ୍ତ 

ଭକ୍ତଙ୍କ ଆସ୍ଥା ଓ ଭାବାବେଗକୁ ସମ୍ମାନ ଦିଆଯାଉ

ଛତର ଯାତ୍ରାରେ ପ୍ରଶାସନର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ଭକ୍ତ 
ମାଁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ, ପ୍ରଶାସନକୁ କଲେ ଦାୟୀ

ଭବାନୀପାଟଣା, ୧୯ ଅକ୍ଟୋବର: କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ୱାସ, ଭାବାବେଗ ଓ କଳାହାଣ୍ଡିର ଗୌରବମୟ ସଂସ୍କୃତିର ଜୀବନ୍ତ ପ୍ରତୀକ। ମାଁଙ୍କ ଟିକିଏ ଝଲକ ପାଇବା ପାଇଁ କଳାହାଣ୍ଡିର କୋଣ ଅନୁକୋଣରୁ ଆରମ୍ଭ କରି ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଛୁଟି ଆସିଥାନ୍ତି। କିନ୍ତୁ ଚଳିତ ବର୍ଷ ଛତର ଯାତ୍ରାର ସମୟ ପରିଚାଳନାକୁ ନେଇ ଜିଲ୍ଲା ପ୍ରଶାସନର ଭୂମିକା ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦର ସଭାପତି ଅବିନାଶ ଠାକୁର।

ଚଳିତ ବର୍ଷ ମାଁଙ୍କ ଛତର ଜେନାଖାଲରୁ ବାହାରି ସକାଳ ୭ଟା ୫୦ ମିନିଟ୍‌ରେ ମାଁ ମାଣିକେଶ୍ୱରୀ ମନ୍ଦିରରେ ପ୍ରବେଶ କରିବା ଘଟଣାକୁ ନେଇ ଅନେକ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ବର୍ଷକର ଅପେକ୍ଷା ଓ ଅସୀମ ଭକ୍ତି ନେଇ ଦୂରଦୂରାନ୍ତରୁ ଆସିଥିବା ଅନେକ ଶ୍ରଦ୍ଧାଳୁ ମାଁଙ୍କ ଦର୍ଶନ ନପାଇ ନିରାଶ ହୋଇଥିବା ସେ କହିଛନ୍ତି।

ଛତର ଯାତ୍ରାର ସମୟସୂଚୀରେ ଏଭଳି ପରିବର୍ତ୍ତନ କାହା ନିଷ୍ପତ୍ତିରେ କରାଗଲା ଏବଂ ଯଦି ନିଷ୍ପତ୍ତି ନିଆଯାଇଥିଲା, ତେବେ ସାଧାରଣ ଭକ୍ତଙ୍କ ଅବଗତି ନିମନ୍ତେ ଏହାକୁ ବ୍ୟାପକ ଭାବେ ପ୍ରଚାର କରାଗଲା ନାହିଁ କାହିଁକି ବୋଲି ଶ୍ରୀ ଠାକୁର ପ୍ରଶ୍ନ କରିଛନ୍ତି। 

ସେହିପରି ଛତର ଯାତ୍ରା ସମନ୍ୱୟ କମିଟିର ଭୂମିକାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଯଦି ଭକ୍ତଙ୍କ ଦର୍ଶନ ସୁବିଧା, ପରମ୍ପରାର ସୁରକ୍ଷା ଓ ସଠିକ୍ ସମୟ ପରିଚାଳନା ସୁନିଶ୍ଚିତ ହୋଇପାରୁନାହିଁ, ତେବେ ସମନ୍ୱୟ କମିଟିର ଆବଶ୍ୟକତା ବି ନାହିଁ। କମିଟିର ଭୂମିକା କେବଳ ବୈଠକ କରିବା ଓ ଫଟୋ ଉଠାଇବାରେ ସୀମିତ ରହିଯାଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ଘଟଣାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଶ୍ରୀ ଠାକୁର କହିଛନ୍ତି ଯେ, ଚଳିତ ବର୍ଷର ଅନୁଭୂତି ପରେ ଆଗାମୀ ବର୍ଷ ମାଁଙ୍କ ଦର୍ଶନରୁ ବଞ୍ଚିତ ନହେବା ପାଇଁ ଭକ୍ତମାନେ ସକାଳ ୫ଟାରୁ ହିଁ ରାସ୍ତାରେ ଭିଡ଼ ଜମାଇବାର ଆଶଙ୍କା ରହିଛି। ଏହାଦ୍ୱାରା ଅନାବଶ୍ୟକ ଭିଡ଼, ଦଳାଚକଟା ଓ ସୁରକ୍ଷା ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଭକ୍ତଙ୍କ ସୁରକ୍ଷା ନାମରେ ନିଆଯାଉଥିବା ନିଷ୍ପତ୍ତି ଯେପରି ଭବିଷ୍ୟତରେ ଅଧିକ ବିପଦ ସୃଷ୍ଟି ନକରେ, ସେଥିପ୍ରତି ପ୍ରଶାସନ ସଚେତନ ରହିବା ଆବଶ୍ୟକ।

“ଛତର ଯାତ୍ରା କୌଣସି ପ୍ରଶାସନିକ କାର୍ଯ୍ୟକ୍ରମ ନୁହେଁ, ଏହା କଳାହାଣ୍ଡିବାସୀଙ୍କ ଆତ୍ମା, ଆସ୍ଥା ଓ ସ୍ୱାଭିମାନର ମହାପର୍ବ। ପ୍ରଶାସନ ଶୃଙ୍ଖଳା ରକ୍ଷା କରୁ, ସୁରକ୍ଷା ବ୍ୟବସ୍ଥା କରୁ, କିନ୍ତୁ ସୁରକ୍ଷାର ଆଳ ଦେଖାଇ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହ ଖେଳିବାର ଅଧିକାର କାହାରି ନାହିଁ।” ବୋଲି ଅବିନାଶ ଠାକୁର କହିଛନ୍ତି।

ଏଥିସହିତ ସେ ଦାବି କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ଛତର ଯାତ୍ରାର ସମୟ ପରିଚାଳନା ପଛର ପ୍ରକୃତ କାରଣ ସାର୍ବଜନୀନ କରୁ। ଆଗାମୀ ବର୍ଷଠାରୁ କଳାହାଣ୍ଡି ମହାରାଜା, ସେବାୟତ, ମନ୍ଦିର କର୍ତ୍ତୃପକ୍ଷ, ପାରମ୍ପରିକ ରୀତିନୀତି ସହ ଜଡ଼ିତ ବ୍ୟକ୍ତିବିଶେଷ ଓ ସାଧାରଣ ଭକ୍ତଙ୍କ ମତାମତକୁ ଗୁରୁତ୍ୱ ଦେଇ ସମୟସୂଚୀ ପ୍ରସ୍ତୁତ କରାଯାଉ। ଏହାକୁ ଯଥେଷ୍ଟ ଆଗରୁ ସାର୍ବଜନୀନ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରାଯାଉ।

ଅବିନାଶ ଠାକୁର

ସଭାପତି, କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ

Related posts

ଦିବ୍ୟାଙ୍ଗ ପିଲାଙ୍କ ସହାୟତା ଉପକରଣ ବଣ୍ଟନ 

Sunil Chandra Nayak

ଉତ୍କଳ ଆଲୁମିନା ପକ୍ଷରୁ କାଶୀପୁର ବ୍ଲକ୍‌ରେ ସ୍ବାସ୍ଥ୍ୟ କର୍ମଶାଳା ଆୟୋଜିତ

masiha

କନିଷ୍ଠ କିରାଣୀ ସଂଘ ର ସାଙ୍ଗଠନିକ ବୈଠକ 

Sunil Chandra Nayak

Leave a Comment

error: Content is protected !!