ଧର୍ମଗଡ଼:ନିଖୋଜର ୫ ଦିନ ପରେ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା
ହତ୍ୟା ଅଭିଯୋଗକୁ ଖଣ୍ଡନ କଲେ କଳାହାଣ୍ଡି ଏସ୍ପି
ଧର୍ମଗଡ଼:କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ନିକଟସ୍ଥ ଭଣାରଡୋଙ୍ଗରୀ ଜଙ୍ଗଲରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାରେ ହତ୍ୟା ଓ ଅନ୍ୟାନ୍ୟ ଅପରାଧିକ ଷଡ଼ଯନ୍ତ୍ର ନେଇ ଉଠିଥିବା ସନ୍ଦେହ ଉପରେ ପ୍ରତିକ୍ରିୟା ରଖିଛନ୍ତି କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡା। ପୁଲିସର ପ୍ରାଥମିକ ତଦନ୍ତ ଓ ଡାକ୍ତରଙ୍କ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହା ଆତ୍ମହତ୍ୟା ଘଟଣା ବୋଲି ସୂଚନା ମିଳିଥିବା ଏସ୍ପି କହିଛନ୍ତି।ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ ଖବର ପାଇବା ପରେ
ଧର୍ମଗଡ଼ ଓ କୋକସରା ଥାନାର ପୁଲିସ ଟିମ୍ ସହ ବୈଜ୍ଞାନିକ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଣେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ ଆବଶ୍ୟକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।ଏସ୍ପିଙ୍କ ସୂଚନା ଅନୁଯାୟୀ, ଶବ ବ୍ୟବଚ୍ଛେଦର ପ୍ରାରମ୍ଭିକ ରିପୋର୍ଟରେ ମୃତକଙ୍କ ଶରୀରରେ ମୃତ୍ୟୁ ପୂର୍ବରୁ ଆଘାତ ଲାଗିଥିବାର କୌଣସି ପ୍ରମାଣ ମିଳିନାହିଁ। ସେହିପରି ଦୁଷ୍କର୍ମ କିମ୍ବା ଯୌନ ନିର୍ଯାତନାର ପ୍ରମାଣ ମଧ୍ୟ ଡାକ୍ତରଙ୍କ ପ୍ରାରମ୍ଭିକ ରିପୋର୍ଟରେ ମିଳିନଥିବା ସେ କହିଛନ୍ତି।ଏହି ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଏସ୍ପିଙ୍କ କହିବା ଅନୁଯାୟୀ, ମୃତ ଯୁବତୀଙ୍କ ବାମ ହାତ ଓ ଯୁବକଙ୍କ ଡାହାଣ ହାତ ପରସ୍ପର ସହ ବନ୍ଧା ହୋଇଥିଲା। ଘଟଣାସ୍ଥଳରୁ ସିନ୍ଦୂର ମଧ୍ୟ ମିଳିଥିଲା। ଏହାକୁ ପ୍ରଥମେ ରକ୍ତ ବୋଲି ସନ୍ଦେହ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସୂଚନାରେ ଏହା ସିନ୍ଦୂର ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ମୃତକଙ୍କ ଶରୀରରେ ଏସିଡ୍ ପକାଯାଇଥିବା ନେଇ ଉଠିଥିବା ସନ୍ଦେହକୁ ଏସ୍ପି ଖଣ୍ଡନ କରିଛନ୍ତି। ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ କେତେକ ସନ୍ଦେହ ଓ ଅଭିଯୋଗ ଉଠାଯାଇଥିବାରୁ ପୁଲିସ ସେଗୁଡ଼ିକର ତଦନ୍ତ କରୁଛି।
ମୃତଦେହ ଯେଉଁ ସ୍ଥାନରେ ଝୁଲୁଥିଲା, ସେଠାର ଉଚ୍ଚତା ପ୍ରାୟ ୯ ଫୁଟ୍ ଥିବାରୁ ଅନ୍ୟ କେହି ହତ୍ୟା କରି ମୃତଦେହକୁ ସେଠାରେ ଝୁଲାଇ ଦେଇଥିବା ସମ୍ଭାବନାକୁ ନେଇ ପୁଲିସ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ତେବେ ଏହି ତଥ୍ୟ ଆଧାରରେ ମାମଲାର ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଅଧିକ ତଦନ୍ତ ଆବଶ୍ୟକ ବୋଲି ଘଟଣାର ପରବର୍ତ୍ତୀ ତଦନ୍ତରୁ ସ୍ପଷ୍ଟ ହେବ।ବର୍ତ୍ତମାନ ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି। ତଦନ୍ତର ଅଗ୍ରଗତି ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବା ଆଶା କରାଯାଉଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

