ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ‘ମହକ’ କାର୍ଯ୍ୟକ୍ରମ ଅନୁଷ୍ଠିତ  ୬ଟି ଶିଶୁ ଯତ୍ନ ଅନୁଷ୍ଠାନର ୨୦୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀଙ୍କ ଅଂଶଗ୍ରହଣ 

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ‘ମହକ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

୬ଟି ଶିଶୁ ଯତ୍ନ ଅନୁଷ୍ଠାନର ୨୦୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀଙ୍କ ଅଂଶଗ୍ରହଣ 

ନବରଙ୍ଗପୁର:(ତା. ୨୩.୧୦.୨୦୨୬)(ରବି ନାରାୟଣ ମହାନ୍ତି): ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସ୍ଫୁଟନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ନବରଙ୍ଗପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ‘ମହକ’ (MAHAK) କାର୍ଯ୍ୟକ୍ରମ ଆଜି ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲାର ୬ଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ଅନ୍ତେବାସୀ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ସକାଳ ୧୦ଟାରେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ମହକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉଦ୍‌ଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ଚନ୍ଦ୍ର ବର୍ମନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ନବରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ତନୁଶ୍ରୀ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅନ୍ନପୂର୍ଣ୍ଣା ପାତ୍ର, ସମିତିର ସଦସ୍ୟ ଶ୍ରୀମତୀ ଅନୁପମା ମଲ୍ଲିକ, ଶ୍ରୀମତୀ ସ୍ନେହଲତା ପଟ୍ଟନାୟକ, ଶ୍ରୀ ସାନୁଜ କୁମାର ପାତ୍ର ଓ ଶ୍ରୀ ସିଦ୍ଧାର୍ଥ ଶଙ୍କର ବେହେରାଙ୍କ ସମେତ ନବରଙ୍ଗପୁର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟାପକ ଏବଂ ଶ୍ରୀ ଅଶୋକ ପାତ୍ର ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଅବସରରେ ଶିଶୁ ଅନ୍ତେବାସୀ ମାନଙ୍କ ମଧ୍ୟରେ ବକ୍ତୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ପ୍ରତିଭା ଅନ୍ୱେଷଣ, ଦଳଗତ ନୃତ୍ୟ ଓ ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗୀମାନେ ନିଜର ଦକ୍ଷତା, କଳାତ୍ମକ ଅଭିବ୍ୟକ୍ତି ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ବରିଷ୍ଠ ବିଭାଗର ଦଳଗତ ନୃତ୍ୟ ପ୍ରତିଯୋଗିତାରେ ସିନ୍ଧିଗୁଡ଼ାସ୍ଥିତ ଉତ୍କଳ ବାଳାଶ୍ରମ ପ୍ରଥମ ସ୍ଥାନ ଅଧିକାର କରିଥିଲା।ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ପରସ୍ପର ମଧ୍ୟରେ ସହଯୋଗ, ଭାଇଚାରା ଓ ସୁସ୍ଥ ପ୍ରତିଯୋଗିତାର ମନୋଭାବ ବିକଶିତ କରିବାରେ ସହାୟକ ହୋଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ଆଗାମୀ ରାଜ୍ୟସ୍ତରୀୟ ‘ମହକ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ନ୍ୟାୟିକ ଅଧିକାରୀ ଶ୍ରୀ କିଶୋର ମାର୍ଥା, ଅନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ଶ୍ରୀମତୀ କୁନିମଣି ସ୍ୱାଇଁ, ଅଣଅନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ଶ୍ରୀ ବିଶ୍ୱଜିତ ନାୟକ, ତଥ୍ୟ ବିଶ୍ଳେଷକ ଶ୍ରୀ କିଷାନ ପଟ୍ଟନାୟକ, ହିସାବରକ୍ଷକ ଶ୍ରୀ ମହେନ୍ଦ୍ର ଚାଲାଣ, ସାମାଜିକ କର୍ମୀ ଶ୍ରୀ ସମରେନ୍ଦ୍ର ପରିଡ଼ା, ପରାମର୍ଶଦାତା ଶ୍ରୀ ଲିଙ୍ଗରାଜ ମିର୍ଗାନ, ଆଉଟ୍‌ରିଚ୍ କର୍ମୀ ଶ୍ରୀ ମୋହନ ମାଳି, ଶିଶୁ କଲ୍ୟାଣ ସମିତିର ଡାଟା ଅପରେଟର ଶ୍ରୀ ସନ୍ତୋଷ କୁମାର ଜେନା ଏବଂ ଚାଇଲ୍ଡ ଲାଇନ୍‌ର କେସ୍ କର୍ମୀ ଶ୍ରୀ ଚତୁର୍ଭୁଜ ନାୟକ ସହଯୋଗ କରିଥିଲେ। ଏଥିସହ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକର କର୍ମଚାରୀମାନେ ମଧ୍ୟ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ନ୍ୟାୟିକ ଅଧିକାରୀ ଶ୍ରୀ କିଶୋର ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦବା ଇଣ୍ଡିଆ ମେଡିସିନ୍ ଷ୍ଟୋର ଉଦଘାଟିତ

Sunil Chandra Nayak

ଦାଦନ ରାଇଜର କରୁଣ କାହାଣୀ   ଭଉଣୀ ହାତରେ ପରିବାର ବୋଝ  ପହଞ୍ଚି ପାରୁନି ସରକାରୀ ସହାୟତା 

masiha

ଧର୍ମଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ: ବିଭିନ୍ନ ମାମଲାର ସମାଧାନ, ଲକ୍ଷାଧିକ ଟଙ୍କା ଆଦାୟ

Leave a Comment

error: Content is protected !!