ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାବ୍ୟ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ଛତିଶଗତ ଜଳସମ୍ପଦ ଆଧିକାରୀଙ୍କ ପ୍ରସ୍ତୁତି ବୈଠକ

ସମ୍ଭାବ୍ୟ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ଛତିଶଗତ ଜଳସମ୍ପଦ ଆଧିକାରୀଙ୍କ ପ୍ରସ୍ତୁତି ବୈଠକ

 ଆପତକାଳୀନ ପରିସ୍ଥିତିରେ ଲୋକଙ୍କ ସୁବିଧା ପାଇଁ ଛତିଶଗଡ ଜଳସମ୍ପଦ ଅଧିକାରୀଙ୍କ ସହଯୋଗ କାମନା କଲା ଜିଲ୍ଲା ପ୍ରଶାସନ

ନବରଙ୍ଗପୁର:(୨୪ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୭ ଓ ୨୮ ଅକ୍ଟୋବରରେ ନବରଙ୍ଗପୁର ଜିଲ୍ଲା ପାଇଁ ପ୍ରବଳ ବର୍ଷା ସମ୍ପର୍କିତ ଓରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ଓ ଛତିଶଗତ ଜଳସମ୍ପଦ ଆଧିକାରୀଙ୍କ ମଧ୍ୟରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏନଏମଡିସି , ଛତିଶଗଡ଼ ଏବଂ ଜଗଦଲପୁର ତଥା ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀ; ଓଡ଼ିଶା ରାଜ୍ୟ ମୁଖ୍ୟାଳୟର ଜଳସମ୍ପଦ ବିଭାଗୀୟ ଅଧିକାରୀ ଓ ମୁରାନ ଡ୍ୟାମ୍‌ର ଅଧିକାରୀଙ୍କ ସମେତ ନବରଙ୍ଗପୁର ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ୍ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଯୋଗଦେଇଥିଲେ।ସମ୍ଭାବ୍ୟ ବର୍ଷାଜନିତ ପରିସ୍ଥିତିର ମୁକାବିଲା ସହ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ଡ୍ୟାମ୍‌ର ଗେଟ୍ ଖୋଲିବା ଓ ବନ୍ଦ କରିବା ସମ୍ପର୍କିତ ସୂଚନାର ଆଗୁଆ ଆଦାନପ୍ରଦାନ, ଜଳ ନିଷ୍କାସନ ସମ୍ପର୍କିତ ସତର୍କତା, ପ୍ରତିଷେଧମୂଳକ ସ୍ଥାନାନ୍ତରଣ ଏବଂ ଜରୁରୀକାଳୀନ ସେବାର ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦେଇ ସମ୍ଭାବ୍ୟ ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସହଯୋଗ ଓ ସମୟୋଚିତ ସୂଚନା ଆଦାନପ୍ରଦାନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଛତିଶଗଡ଼ ସରକାରଙ୍କ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।ଏହାପରେ ସମସ୍ତ ବିଡିଓ ନିଜ ବ୍ଳକର ଗ୍ରାମୱାରୀ ବିପଦ ସଂକୁଳ ସ୍ଥାନ ଚିହ୍ନଟ, ଆଶ୍ରୟସ୍ଥଳୀ, ଉଦ୍ଧାର ଓ ସ୍ଥାନାନ୍ତରଣ ପାଇଁ ଯାନବାହନ, ଦାୟିତ୍ୱପ୍ରାପ୍ତ ନୋଡାଲ୍ ଅଧିକାରୀ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସ୍ପଷ୍ଟ ଭାବେ ଉଲ୍ଲେଖ କରି ଏକ ମାଇକ୍ରୋ ପ୍ଲାନ୍ ଆଜି ଅପରାହ୍ନ ୩ଟା ସୁଦ୍ଧା ଦାଖଲ କରିବାକୁ ସହ ନିମ୍ନ ଲିଖିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ପ୍ରତ୍ୟେକ ବ୍ଲକ୍‌ରେ ଅତି କମ୍‌ରେ ୧୦ଟି ଉପଯୁକ୍ତ ଓ ଉଚ୍ଚ ସ୍ଥାନରେ ଥିବା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯିବ। ସେଠାରେ ପାନୀୟ ଜଳ, ଖାଦ୍ୟ, ଶୁଖିଲା ରାସନ, ଔଷଧ, ଆଲୋକ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ପଲିଥିନ୍ ସିଟ୍ ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ମହଜୁଦ ରଖାଯିବ। ପୂର୍ବରୁ ବନ୍ୟା ପ୍ରଭାବିତ ହୋଇଥିବା ତଳିଆ ଅଞ୍ଚଳରୁ ବାଧ୍ୟତାମୂଳକ ଭାବେ ଆଗୁଆ ସ୍ଥାନାନ୍ତରଣ କରାଯିବ। ବିଶେଷକରି କୋଷାଗୁମୁଡ଼ା, ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ବନ୍ୟାପ୍ରବଣ ଅଞ୍ଚଳ ଉପରେ ଗୁରୁତ୍ୱ ଦିଆଯିବ।ଜଳସମ୍ପଦ ବିଭାଗ, ମୁରାନ ଡ୍ୟାମ୍‌ର ଅଧିକାରୀ ଏବଂ ଛତିଶଗଡ଼ ସରକାରଙ୍କ ସମ୍ପୃକ୍ତ ଅଧିକାରୀମାନେ ଜିଲ୍ଲା ପ୍ରଶାସନ ସହ ନିବିଡ଼ ସମନ୍ୱୟ ରକ୍ଷା କରିବେ। ଡ୍ୟାମ୍‌ର ଗେଟ୍ ଖୋଲିବା, ବନ୍ଦ କରିବା ଓ ଜଳ ନିଷ୍କାସନ ସମ୍ପର୍କରେ ଜିଲ୍ଲା ପ୍ରଶାସନ, ସମ୍ପୃକ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ଯଥେଷ୍ଟ ଆଗରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯିବ। ଏଥିସହ ବିପଦପ୍ରବଣ ଗ୍ରାମଗୁଡ଼ିକରେ ମାଇକ୍ ଯୋଗେ ପ୍ରଚାର କରି ଜନସାଧାରଣଙ୍କୁ ସତର୍କ କରାଯିବ।ସମସ୍ତ ବ୍ଲକ୍ ଓ ସହରାଞ୍ଚଳରେ ୨୪ ଘଣ୍ଟିଆ ରୋଷ୍ଟର୍ ଭିତ୍ତିକ ଜରୁରୀକାଳୀନ ହେଲ୍ପଲାଇନ୍ ଚାଲୁ ରହିବ। ପ୍ରତ୍ୟେକ ବ୍ଲକ୍‌ରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମନ୍ୱୟ କେନ୍ଦ୍ର କାର୍ଯ୍ୟ କରିବ। ଗୋଟିଏ ଓଡ୍ରାଫ୍ ଟିମ୍ ନବରଙ୍ଗପୁରରେ ଏବଂ ଦୁଇଟି ଟିମ୍ କୋଷାଗୁମୁଡ଼ା ବ୍ଲକ୍‌ରେ ମୁତୟନ ରହିବେ। ଉଦ୍ଧାର ଡଙ୍ଗା, ଅଗ୍ନିଶମ ଉପକରଣ ଓ ଅନ୍ୟାନ୍ୟ ଯନ୍ତ୍ରପାତି କାର୍ଯ୍ୟକ୍ଷମ ଅବସ୍ଥାରେ ରଖାଯିବ।ଆସନ୍ତା ତିନି ସପ୍ତାହ ମଧ୍ୟରେ ପ୍ରସବ ତାରିଖ ଥିବା ସମସ୍ତ ଗର୍ଭବତୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ସଂଯୁକ୍ତ କରାଯିବ। ଆବଶ୍ୟକ ସ୍ଥଳେ ସେମାନଙ୍କୁ ଆଗୁଆ ସ୍ଥାନାନ୍ତରଣ କରାଯିବ। ଅଙ୍ଗନବାଡ଼ି କର୍ମୀମାନେ ବିପଦପ୍ରବଣ ଅଞ୍ଚଳର ଶିଶୁମାନଙ୍କୁ ଘରକୁ ଘର ଯାଇ ଶୁଖିଲା ରାସନ ବଣ୍ଟନ କରିବେ।ବିପଦଜନକ ଓ ଦୁର୍ବଳ ଗଛଗୁଡ଼ିକୁଅଗ୍ନିଶମ ବିଭାଗର ସମନ୍ୱୟରେ ୨୫ ଅକ୍ଟୋବର ସନ୍ଧ୍ୟା ସୁଦ୍ଧା ଅପସାରଣ କରାଯିବ। ରାସ୍ତାରୁ ଗଛ ଓ ଅନ୍ୟାନ୍ୟ ବାଧା ହଟାଇବା ପାଇଁ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ପୃଥକ୍ ଟିମ୍ ଗଠନ କରାଯିବ। ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରତ୍ୟକ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଜେସିବି ଭଳି ଆବଶ୍ୟକ ଯନ୍ତ୍ରପାତି ମୁତୟନ କରିବେ।ସମସ୍ତ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଡ୍ରେନ୍ ସଫା, ଜଳ ନିଷ୍କାସନ ବ୍ୟବସ୍ଥା, ବିପଦଜନକ ଗଛ ଅପସାରଣ ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ ରହିବେ ।ଟାଟା ପାୱାରର ସମସ୍ତ କର୍ମଚାରୀ ବିଦ୍ୟୁତ୍ ଖୁଣ୍ଟ, ତାର, ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେସନ୍‌ଗୁଡ଼ିକର ଆଗୁଆ ଯାଞ୍ଚ କରି ଆବଶ୍ୟକ ମରାମତି ଓ ସୁରକ୍ଷାମୂଳକ ପଦକ୍ଷେପ ନେବେ ।ସମସ୍ତ ବିଡ଼ିଓ, ତହସିଲଦାର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ବନ୍ୟାପ୍ରବଣ ଅଞ୍ଚଳ ପରିଦର୍ଶନ କରିବେ ଏବଂ ଜନସାଧାରଣଙ୍କୁ ଆବଶ୍ୟକ ସତର୍କତା ଓ ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବେ।ସମସ୍ତ ବିଭାଗ ଖାଦ୍ୟ, ପାନୀୟ ଜଳ, ପରିବହନ, ପରିମଳ, ଆଲୋକ ଓ ଯନ୍ତ୍ରପାତି ଯୋଗାଣ ପାଇଁ ନୋଡାଲ୍ ଅଧିକାରୀ ନିଯୁକ୍ତ କରିବେ। ସମସ୍ତ ଅଧିକାରୀ ନିଜ ମୋବାଇଲ୍ ଫୋନ୍ ୨୪ ଘଣ୍ଟା ସଚଳ ରଖି ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିବେ।ଜିଲ୍ଲାପାଳ ସମସ୍ତ ବିଭାଗକୁ ସତର୍କ ରହିବା ସହ ନିର୍ଦ୍ଦେଶାବଳୀର ତ୍ୱରିତ ଅନୁପାଳନ କରିବାକୁ କହିବା ସହ ଜନଜୀବନର ସୁରକ୍ଷା, ଆଗୁଆ ସ୍ଥାନାନ୍ତରଣ ଏବଂ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ସମୟୋଚିତ ସମନ୍ୱୟ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ବୈଠକରେ ଗୁରୁତ୍ୱାରୋପ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ଧର୍ମଗଡ ର ଭୌମିକ

masiha

ଭେଜିପଦର ଉ. ପ୍ରା. ବିଦ୍ୟାଳୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

Sunil Chandra Nayak

ରାମଚନ୍ଦ୍ରପୁର ଓ ମଧୁପୁର ଝାରବନ୍ଧ ପଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!