ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କାର୍ତ୍ତିକ ମାସର ନିଆରା ପରମ୍ପରା ‘ଆକାଶ ଦୀପ’ , ୨- ଦଶୀପୁର ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ଘୋଷଣା , ୩- ଶୁଣ୍ଢୀକାଟେଣୀରେ ହରିନାମର ଗୁଞ୍ଜନ, ସାମିଲ ହେଲେ ୯ ସଂକୀର୍ତ୍ତନ ମଣ୍ଡଳୀ , ୪- ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା/ଦୁର୍ଘଟଣାରେ ୨ମୃତ, ୧ଗୁରୁତର

କାର୍ତ୍ତିକ ମାସର ନିଆରା ପରମ୍ପରା ‘ଆକାଶ ଦୀପ’

ଢେଙ୍କାନାଳ – ଧର୍ମମାସ କାର୍ତ୍ତିକ ରେ ଚାଲିଛି ବ୍ରତଧାରୀ ଓ ହବିଷ୍ୟାଳିଙ୍କ ପୂଜାର୍ଚନା I କୋଟି ଜନ୍ମର ପୂଣ୍ୟ ଅର୍ଜନ କରିବା ଲାଗି ଆଧ୍ୟାତ୍ମିକ ମହିଳା ମାନେ ନିଷ୍ଠାର ସହ କାର୍ତିକ ବ୍ରତ ପାଳନ କରୁଥିବା ଦେଖ‌ିବାକୁ ମିଳିଛି। କାର୍ତ୍ତିକ ମାସରେ ଏବେ ବି ଅତୁଟ ରହିଛି ଆକାଶ ଦୀପ ପରମ୍ପରା । ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅଞ୍ଚଳର ସମସ୍ତ ଦେବାଳୟ ଓ ଗ୍ରାମାଞ୍ଚଳ ତୁଳସୀ ଚଉରା ମୂଳ ରେ ଏକ ଲମ୍ବା ବାଉଁଶ ପୋତା ଯାଇଅଛି । କାର୍ତିକ ପରି ମାସ ନାହିଁ କି ବିଷ୍ଣୁଙ୍କ ପରି ଦେବତା ନାହାନ୍ତି । ବିଭିନ୍ନ ପୁରାଣର ବର୍ଣନା ଅନୁସାରେ, ମନୁଷ୍ୟ ତାର ସମଗ୍ର ଜୀବନରେ ଯେତେ ପାପ କରିଥାଏ, ତାହା କାର୍ତିକ ମାସରେ ସ୍ନାନ, ହବିଷ୍ୟନ୍ନ ଭୋଜନ, ବିଷ୍ଣୁଙ୍କୁ ତୁଳସୀ ଅର୍ପଣ ଏବଂ ଆକାଶଦୀପ ଦାନରେ ନଷ୍ଟ ହୋଇଥାଏ । ଦୀପ ଭଗଦାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ । ଏହା ସ୍ବୟଂ’ ଜ୍ୟୋତିସ୍ୱରୂପ ମହାଲକ୍ଷ୍ମୀ ଦୀପଳକ୍ଷ୍ମୀ ସ୍ୱରୂପିଣୀ। ଦୀପ ଅଜ୍ଞାନତା ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ଦେଇଥାଏ। ଜ୍ଞାନ ଉଦୟ ହେଲେ ପାପ ନଷ୍ଟ ହୋଇଯାଏ। କାର୍ତ୍ତିକ ରେ ପ୍ରଦତ୍ତ ଦୀପକୁ ‘ଆକାଶଦୀପ’ କହିବା ଯଥାର୍ଥ। ପରମ୍ପରା ଅନୁସାରେ, ଏକ ଛିଦ୍ରଯୁକ୍ତ ହାଣ୍ଡିରେ କିଛି ବାଲି ଓ ତା’ ଉପରେ ଏକ ପ୍ରଜ୍ଜଳିତ ଦୀପ ରଖି ତାର ଉପରିଭାଗକୁ ଏକ ପଲମରେ ଢାଙ୍କି, ତାହାକୁ ଏକ ସୁରଳ ବାଉଁଶ ଦଣ୍ଡର ଅଗ୍ର ଭାଗରେ ବାନ୍ଧି ଦିଆଯାଏ । ଏହାକୁ ସରା ମାସ ଜଳାଇ ରଖିବାକୁ ହୋଇଥାଏ । ଅନେକ ସ୍ଥାନରେ ପଞ୍ଚୁକ ରୁ ହିଁ ଚରରା ମୂଳରେ ଆରମ୍ଭ ହୋଇଥାଏ । ଏହାର କାରଣ ସ୍ୱରୂପ କୁହାଯାଇଛି, ସମଗ୍ର ବିଶ୍ଵରେ ରହିଛି ଚଉଦଟି ବ୍ରହ୍ମାଣ୍ଡ। ଉପରେ ସାତଟି ଓ ତଳେ ସାତଟି। ମଝିରେ ରହିଛି ଭୂଗୋଳ; ଯାହା ମନୁଷ୍ୟମାନଙ୍କର ନିବାସ ସ୍ଥାନ। ଉର୍ଦ୍ଧ୍ୱଲୋକରେ ରହିଛି ପ୍ରେତଲୋକ, ଦେବଲୋକ, ଯମଲୋକ, ପିତୃଲୋକ ଓ ବିଷ୍ଣୁଲୋକ ଆଦି । ଏହି ଆକାଶଦୀପ ଆପାତତଃ, ଦେବତା, ପିତୃ, ଯମ, ବିଷ୍ଣୁ ଓ ଗୁଦ୍ର ଆଦିଙ୍କର ଆଶୀର୍ବାଦ ତଥା ପ୍ରୀତିପାଇଁ ପ୍ରଜ୍ଜ୍ଵଳନ କରାଯାଇଥାଏ ।ତେଣୁ ପ୍ରଥମେ ଏହି ଦୀପ ପ୍ରଜ୍ଜଳନ ସମୟରେ ପ୍ରାର୍ଥନା କରାଯାଏ- ମୁଁ ସର୍ବରୂପ ଏବଂ ବିଶ୍ଵରୂପଧରୀ ଭଗବାନ ଦାମୋଦରଙ୍କୁ ପ୍ରଣାମ କରି ଏହି ଆକାଶଦୀପ ପ୍ରଦାନ କରୁଛି; ଯାହା ଭଗବାନଙ୍କର ପରମପ୍ରିୟ ଅଟେ । ଏହା ପରେ କୁହାଯାଏ- ପିତୃପୁରୁଷଙ୍କୁ ପ୍ରଣାମ, ପ୍ରେତମାନଙ୍କୁ ପ୍ରଣାମ, ଧର୍ମସ୍ୱରୂପ ବିଷ୍ଣୁଙ୍କୁ ପ୍ରଣାମ, ଯମରାଜଙ୍କୁ ପ୍ରଣାମ ଏବଂ ଦୁର୍ଗମ ମାର୍ଗରେ ରକ୍ଷା କରୁଥିବା ଭଗବାନ ରୁଦ୍ରଙ୍କୁ ପ୍ରଣାମା ମନ୍ତ୍ର କପ କରି ବା ଏହା ଉଚ୍ଚାରଣ କରି ଯେଉଁ ମନୁଷ୍ୟ ଆକାଶଦୀପ ଦାନ କରେ, ତାହାକୁ ଭଗବାନଙ୍କର ଆଶୀର୍ବାଦ ମିଳିବା ସହିତ ତାର ପିତୃପୁରୁଷ ନର୍କରେ ଥିଲେ ମଧ୍ୟ ପରମ ଗତି ଲାଭ କରନ୍ତି। ଏହି ଦୀପ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଏକ ସଙ୍କେତ ପ୍ରଦାନ କରି ଏକ ମୁକସାକ୍ଷୀ ପାଲଟି ଯାଇଛି । ଅତୀତରେ ସାଧବପୁଅ ମାନେ ବୋଇତରେ ଜାଭା, ସୁମାତ୍ରା ଦେଶକୁ ବେପାର ବଣିଜ କରି ସୁଦେଶ ପ୍ରତ୍ୟାବର୍ତନ କରି ସମୟରେ ଆକାଶ ଦୀପ ସାହାଯ୍ୟରେ ଦିଗ ଚିହ୍ନଟ ସହଜରେ ଜାଣି ପାରୁଥିଲେ । ସେହିପରି କାର୍ତିକ ମାସରେ ବିଭିନ୍ନ ତୀର୍ଥକ୍ଷେତ୍ରକୁ ଯାତ୍ରା କରୁଥିବା ତୀର୍ଥଯାତ୍ରା ଆକାଶଦୀପକୁ ଲକ୍ଷ୍ୟ କରି ନିଜର ଲକ୍ଷ୍ୟସଳରେ ସୁବିଧାରେ ପହଞ୍ଚି ପାରୁଥିଲେ । କାର୍ତିକ ମାସରେ ଗଁଦିଆ ବ୍ଲକ ଅଂଚଳର ବିଭିନ୍ନ ଦିବାଳୟରେ ଆକାଶ ଦୀପର ଜ୍ୟୋତି ଦୃଶ୍ୟମାନ ହେଉଛି ।

ଦଶୀପୁର ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ଘୋଷଣା 

କାମାକ୍ଷାନଗର – କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତରେ ଶିଶୁ ଶ୍ରମିକ ମୁକ୍ତ ଘୋଷଣା କରାଯାଇଛି । ସରପଞ୍ଚ ସୁଧୀର ପାଳଙ୍କ ନେତୃତ୍ୱରେ ଓ ଟାଟା ଷ୍ଟିଲ ଫାଉଣ୍ଡେସନ କର୍ମଚାରୀଙ୍କ ସହଯୋଗରେ ପଞ୍ଚାୟତର ମହିଳା ଓ ପୁରୁଷ ମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଶିଶୁ ଶ୍ରମିକ ମୁକ୍ତ ଅଭିଯାନ ମାଧ୍ୟମରେ ଗାଁ ମାନଙ୍କରେ ଜନସଚେତନ ସୃଷ୍ଟି କରିଥିଲେ । ଶିଶୁଙ୍କୁ ପାଠ ପଢ଼ାଇବା , ଶିଶୁ ଶ୍ରମ ମୁକ୍ତ ଆମର ଦାବି , ବାଲ୍ୟ ବିବାହ ବନ୍ଦ କର , ବିଦ୍ୟାଳୟ ହେଉ ଶିଶୁର ଠିକଣା , ଶିକ୍ଷା ହେଉ ଶିଶୁର ପ୍ରଗତି ,ଶିଶୁ ଶ୍ରମ ମୁକ୍ତ ଆମ ପଞ୍ଚାୟତ ଏହିପରି ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ସ୍ଳୋଗାନ ଦେଇ ଗାଁ ଗାଁରେ ଜନ ସଚେତନତା ସୃଷ୍ଟି କରିଥିଲେ । ଗାଁ ପରିକ୍ରମା ସାରି ଦଶୀପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ପହଞ୍ଚିଥିଲେ ।ହାଇସ୍କୁଲ ଖେଳ ପଡିଆ ଠାରେ ଆୟୋଜିତ ସଭା କାର୍ଯ୍ୟରେ ଦଶୀପୁର ପଞ୍ଚାୟତ ସରପଞ୍ଚ ସୁଧୀର ପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଙ୍ଗାତିରା ସରପଞ୍ଚ କରୁଣାକର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ତଥା କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀ, ପଙ୍ଗାତିରା କ୍ଳଷ୍ଟ୍ରର ସିଆରସିସି ଦୁଷ୍ମନ୍ତ କୁମାର ଦେହୁରୀ, ଦଶୀପୁର ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସିଂହ, ଦଶୀପୁର ଉଚ୍ଚ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ଅଖିଳ କୁମାର ସାହୁ , ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରଜେକ୍ଟ ମ୍ୟାନେଜର ଟି ସିଭରାମ ପ୍ରମୁଖ ଯୋଗ ଦେଇଥିଲେ।ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ବାହାରେ ଥିବା ୪୨ ଜଣ ଶିଶୁଙ୍କୁ ସମ୍ମିଲିତ ଉଦ୍ୟମରେ ପୁନର୍ବାର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ତଥ୍ୟ ପ୍ରଦାନ କରାଯାଇଛି। । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବୁଦ୍ଧିଜୀବୀ , ଅଙ୍ଗନୱାଡି କର୍ମୀ ,ଏମବିକେ,ସିଆରପି, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ । ସ୍କୁଲ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଟାଟା ଷ୍ଟିଲ ଫାଉଣ୍ଡେସନ କର୍ମଚାରୀଙ୍କ ଦ୍ୱାରା ଶିଶୁ ଶ୍ରମିକ ମୁକ୍ତ ଅଭିଯାନ ଉପରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା।ଟାଟା ଷ୍ଟିଲ ଫାଉଣ୍ଡେସନର କର୍ମଚାରୀ ଲଲାଟେନ୍ଦୁ ମହାନ୍ତ,ଲୀଳାବତୀ ଉଭୟ ଜ୍ୟୋତିଶ ମଞ୍ଚ କରିଥିଲେ ।ଟାଟା ଷ୍ଟିଲ ଫାଉଣ୍ଡେସନ ବ୍ଲକ କୋଡ଼ିନେଟର ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନର ନଗେନ କୁମାର ସ୍ୱାଇଁ,ଚଗଲା ସାହୁ,ନବୀନ ପାତ୍ର, ଲଜି ସାହୁ,ରାଜେନ୍ଦ୍ର ସାହୁ, ତୈଲୋକ୍ୟ ପ୍ରମୁଖ ସହଯୋଗ କରିଥିଲେ ।

ଶୁଣ୍ଢୀକାଟେଣୀରେ ହରିନାମର ଗୁଞ୍ଜନ, ସାମିଲ ହେଲେ ୯ ସଂକୀର୍ତ୍ତନ ମଣ୍ଡଳୀ

କାମାକ୍ଷାନଗର – ପରଜଙ୍ଗ ବ୍ଲକ ଶୁଣ୍ଢୀକାଟେଣୀ ଗ୍ରାମରେ ହରିନାମ ସଂକୀର୍ତ୍ତନରେ ମୁଖରିତ ହୋଇଛି ପରିବେଶ। ଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ସାମିଲ ହୋଇଥିଲେ ୯ଟି ସଂକୀର୍ତ୍ତନ ମଣ୍ଡଳୀ। ମହାପ୍ରଭୁ ଚୈତନ୍ୟ ଦେବଙ୍କ ନାମ ସଂକୀର୍ତ୍ତନରେ ଗାଁରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ,ଶୁଣ୍ଢୀକାଟେଣୀ ଗ୍ରାମରେ ଆୟୋଜିତ ଏହି ସଂକୀର୍ତ୍ତନ ସମାରୋହରେ ଅଞ୍ଚଳର ୯ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରିନାମ ଗାନ କରିଥିଲେ। ଏଥିରେ ଆଞ୍ଚଳିକ ସଂକୀର୍ତ୍ତନ ମହାସଂଘର ସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ଅଶୋକ କୁମାର ଦଳବେହେରା, ଉପସଭାପତି ହୃଦୟଚନ୍ଦ୍ର ଚମ୍ପତି ସିଂହ, ଉପଦେଷ୍ଟା ତଅଳୁ ସାହୁ ଓ ମୁନା ବାବା, ପଣ୍ଡିତ ସୁବୋଧ କୁମାର ପଣ୍ଡା, ଅଭୟ କୁମାର ସାହୁ ଏବଂ ଗ୍ରାମ ସଭାପତି ହଟକିଶୋର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଆୟୋଜନ ଗ୍ରାମରେ ଧାର୍ମିକ ଉତ୍ସାହ ବୃଦ୍ଧି କରିବା ସହ ସାମାଜିକ ଏକତାର ବାର୍ତ୍ତା ଦେଇଥିଲା।

ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା/ଦୁର୍ଘଟଣାରେ ୨ମୃତ, ୧ଗୁରୁତର 

କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ମୁକ୍ତାପଶି ମେଡିକାଲ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।ମୃତକ ଦ୍ୱୟ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମ ଶାନ୍ତିନଗର ସାହିର ଅଜିତ ନାଏକ ଓ ଅନିଲ ନାଏକ। ସେହି ଗାଁର ସୁମନ୍ତ ନାଏକ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ, ତିନି ଜଣ ଗୋଟିଏ ବାଇକ୍‌ରେ ଲକ୍ଷ୍ମୀପୂଜା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ମୁକ୍ତାପଶି ମେଡିକାଲ ଛକ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଗାଡି ଫେରାର ହୋଇଯାଇଛି। ଦୁର୍ଘଟଣାରେ ଅଜିତ ଓ ଅନିଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।ଗୁରୁତର ସୁମନ୍ତଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇ ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

masiha

ତେରେସିଂହାରେ ମହିଷାମର୍ଦ୍ଦିନୀ ଗୀତିନାଟ୍ୟ ମଞ୍ଚସ୍ଥ

Sunil Chandra Nayak

Leave a Comment

error: Content is protected !!