ଜୁନାଗଡ଼ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ, ଶୀଘ୍ର ଡାକ୍ତର ନିଯୁକ୍ତି ଓ ଚିକିତ୍ସା ସୁବିଧା ଯୋଗାଣର ପ୍ରତିଶ୍ରୁତି
ଜୁନାଗଡ଼୨୮/୧୦(ମନୀସ:) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜୁନାଗଡ଼ ଡାକ୍ତରଖାନା ପରିଦର୍ଶନ କରି ବିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ସେ ଡାକ୍ତରଖାନାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ସ୍ୱାସ୍ଥ୍ୟସେବାର ଉନ୍ନତି ନେଇ ଆଲୋଚନା କରିଥିଲେ।
ବୈଠକରେ ଜୁନାଗଡ଼ ସାମ୍ବାଦିକ ସଂଘ ସଭାପତି ସନ୍ତୋଷ ସିଂହ ଦେଓ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିସିନ ଓ ସର୍ଜରୀ ବିଭାଗ ପାଇଁ ଡାକ୍ତର ନିଯୁକ୍ତି, ଅଲଟ୍ରାସାଉଣ୍ଡ ସୁବିଧା ଏବଂ ଦାନ୍ତ ଚିକିତ୍ସା ସମ୍ପର୍କିତ ସମସ୍ୟା ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଦାନ୍ତ ଚିକିତ୍ସା ପାଇଁ ଆବଶ୍ୟକ ସରଞ୍ଜାମ ଓ ଡାକ୍ତର ଥିବା ସତ୍ତ୍ୱେ ଚିକିତ୍ସା ସେବା ଆରମ୍ଭ ହୋଇନଥିବା ନେଇ ସେ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହାର ପ୍ରତିକ୍ରିୟାରେ ମନ୍ତ୍ରୀ ମହାଲିଙ୍ଗ ଅତିଶୀଘ୍ର ମେଡିସିନ ଓ ସର୍ଜରୀ ବିଭାଗ ପାଇଁ ଡାକ୍ତର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ୧୦ ଦିନ ମଧ୍ୟରେ ଦାନ୍ତ ଚିକିତ୍ସା ପାଇଁ ଆସିଥିବା ମେସିନ ବ୍ୟବହାର କରି ସେବା ଆରମ୍ଭ କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡା. ଭଗବାନ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଲଟ୍ରାସାଉଣ୍ଡ ମେସିନ ମଧ୍ୟ ଶୀଘ୍ର ଯୋଗାଇଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର,ବରିଷ୍ଠ ବିଜେପି ନେତା ମନୋଜ ମେହେର, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଡିପିଏମଙ୍କ ସମେତ ବିଭିନ୍ନ ବୁଦ୍ଧିଜୀବୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

