ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡା, ନବରଂଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦ୍ଘାଟନ କରିଛନ୍ତି।
ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଏହି ୬ଟି ଉଚ୍ଚଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନସ୍ମିଶନ ଲାଇନ ପାଇଁ ୪୫୦ କୋଟି ଟଙ୍କା ବିନିଯୋଗ ହୋଇଛି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୂତନ ବ୍ୟବସ୍ଥା ଦ୍ବାରା କଳାହାଣ୍ଡି, ରାୟଗଡା, ନବରଂଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମା’ମାନେ ବିଶେଷ ଉପକାର ପାଇବେ। କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସି, ଖୋର୍ଦ୍ଧାରେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା, କଳାହାଣ୍ଡିରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କେନ୍ଦୁଝରରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ରାୟଗଡା-ଗୁଣୁପୁରରେ ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ବିଦ୍ୟୁତ ଭିତ୍ତିଭୂମିର ବିକାଶ ଦ୍ୱାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ୱାଗତ ଭାଷଣ ଦେଇଥିଲେ। ଓପିଟିସିଏଲର ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….