ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆମପାଣି ବୁଢ଼ାରଜା ଦେବ ଙ୍କ ବାର୍ଷିକ ଦଶରା,ଲାଠିଯାତ୍ରା ମୁଖ୍ୟ ଆକର୍ଷଣ,ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼

ଆମପାଣି ବୁଢ଼ାରଜା ଦେବ ଙ୍କ ବାର୍ଷିକ ଦଶରା,ଲାଠିଯାତ୍ରା ମୁଖ୍ୟ ଆକର୍ଷଣ,ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼

କଳାହାଣ୍ଡି :ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁମାର ପୂର୍ଣ୍ଣିମା ପରେ ପଡୁଥିବା ଶନିବାର ଦିନ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଜନଜାତି ବହୁଳ ଆମପାଣି ଘାଟିତଳେ ବିରାଜିତ ଜନ ମାନସ ର ଆରାଧ୍ୟ ଦେବତା ତଥା ସବୁ ଦେବାଦେବୀ ଙ୍କ ମାମୁଁ ପ୍ରଭୁ ଶ୍ରୀ ବୁଢ଼ାରଜା ଙ୍କ ବାର୍ଷିକ ଦଶରା ଉତ୍ସଵ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। 

ଶନିବାର ସକାଳୁ ପ୍ରଭୁ ବୁଢ଼ାରଜା ଙ୍କ ମୁଖ୍ୟ ପୂଜକ ଫକୀର ପୁଝାରି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସାରିବା ପରେ ସକାଳ ୭ ଘଣ୍ଟା ରୁ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ମନ୍ଦିର ର ଦ୍ୱାର ଫିଟାଯାଇ ଭକ୍ତ ଙ୍କ ସମାଗମ ଆରମ୍ଭ ହୋଇଥିଲା। ଦିନ ୧୧ ଘଣ୍ଟା ରେ ଗ୍ରାମ ପୁଝାରି ଙ୍କ ଘରୁ ପୂର୍ବରୁ ଠୁଳ ହୋଇଥିବା ଦେବାଦେବୀ ଙ୍କ ଲାଠି ପୂଜନ କରାଯାଇଥିଲା।

ପରେ ପୂର୍ବ ପରମ୍ପରା ଅନୁଯାୟୀ ଲାଠିଯାତ୍ରା ପୂଜକ ଙ୍କ ଘରୁ ମୁଖ୍ୟ ମନ୍ଦିର ଅଭିମୁଖେ ବାହାରି ଥିଲା।ଲାଠିଯାତ୍ରା ରେ ଘଣ୍ଟୁଆ,ମାଦଳି, ଆଦିବାସୀ ପରମ୍ପରା ରେ ସଜ୍ଜିତ ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ଲାଠିଯାତ୍ରା କୁ ବିଶେଷ ଆକର୍ଷଣୀୟ କରିଥିଲେ। ଲାଠିଯାତ୍ରା ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ,ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ,ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ସାମିଲ ହୋଇଥିଲେ। 

ଲାଠିଯାତ୍ରା ପଟୁଆର ଯିବା ବାଟରେ ମା ଭଣ୍ଡାର ଘରେନ ମନ୍ଦିର ରୁ ପୂଜାର୍ଚ୍ଚନା ପରେ ବାଲିଗଜା ଅର୍ପଣ କରା ଯାଇଥିଲା। ସେଠାରୁ ମୁଖ୍ୟ ରାସ୍ତା ଦେଇ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣ ରେ ଲାଠିଯାତ୍ରା ମଧ୍ୟାହ୍ନ ୧ ଘଣ୍ଟା ସମୟରେ ବୁଢ଼ାରଜା ଙ୍କ ମୁଖ୍ୟ ମନ୍ଦିର ରେ ପହଞ୍ଚି ଥିଲେ। ମନ୍ଦିର ରେ ଲାଠିଯାତ୍ରା କୁ ସ୍ୱାଗତ କରିବା ପରେ ଦେବାଦେବୀ ଙ୍କ ଲାଠି ମନ୍ଦିର ସମ୍ମୁଖରେ ଥିବା ଖୁଣ୍ଟ ରେ ବନ୍ଧା ଯାଇଥିଲା। ପରେ ଲାଠିଯାତ୍ରା ନିକଟରେ ବସିଥିବା ମଣ୍ଡେଇ ହାଟ ପରିକ୍ରମା କରିଥିଲେ। ଏହାପରେ ମନ୍ଦିର ପରିସରରେ ଥିବା ଗଛ ଶୀର୍ଷରେ ରେ ବନ୍ଧା ଯାଇଥିବା ଜହିଁ କୁ ଲାଖବିନ୍ଧା ଯାଇଥିଲା ପ୍ରଭୁ ବୁଢ଼ାରଜା ଦେବ ଙ୍କ ନିକଟରେ ଶ୍ରଦ୍ଧାଳୁ ମାନେ ଶୁକ୍ଳ ଭୋଗ ରେ ପୂଜା କରିଥିବା ବେଳେ ବୁଢ଼ାରଜା ଙ୍କ ପାର୍ଶ୍ଵ ଦେବତା ଜେନାବୁଢ଼ା ଓ ଅନ୍ୟ ଦେବାଦେବୀ ନିକଟରେ ମାନସିକ ଧାରୀ ଭକ୍ତ ମାନେ ମାନସିକ ପୂରଣ ପରେ ବୋଦା,କୁକୁଡ଼ା ବଳି ଅର୍ପଣ କରିଥିଲେ। ପ୍ରଶାସନ ର କଟକଣା ସତ୍ତ୍ୱେ ଶହ ଶହ ପଶୁପକ୍ଷୀ ବଳି ରେ ଜେନାବୁଢ଼ା ଙ୍କ ପୀଠ ରକ୍ତ ରଞ୍ଜିତ ହୋଇ ପଡ଼ିଥିଲା। ତେବେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଧର୍ମଗଡ଼ ଏସଡିପିଓ ଭାର୍ଷିତା ଆଡେ଼ପୁ ଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଓ ଯବାନ ମୁତୟନ କରି ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା। କଳାହାଣ୍ଡି ଜିଲ୍ଲା ସମେତ ଦକ୍ଷିଣ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଓ ପଡୋଶୀ ଛତିଶଗଡ଼ ରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଥିଲା। ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରାତିରେ ବୁଢ଼ାରଜା ମଞ୍ଚ ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୁଢ଼ାରଜା ପୂଜା କମିଟି ସଭାପତି ଋତୁରାଜ ମାଝୀ, ଉପ ସଭାପତି ଗଙ୍ଗାରାମ ନାଏକ,ସମ୍ପାଦକ ସନ୍ତୋଷ କୁମାର ମାଝୀ, ସହ ସମ୍ପାଦକ ଶ୍ରୀକାନ୍ତ ନାଏକ,କୋଷାଧ୍ୟକ୍ଷ ଵିଘ୍ନେଶ୍ବର ନାଏକ,ବରିଷ୍ଠ ସଦସ୍ୟ ଜିତେନ୍ଦ୍ର ପଣ୍ଡା, ନକୁଳ ବାଣୁଆ, ମନୋରଞ୍ଜନ ବାଣୁଆ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ,କୁମୁଦ ଚନ୍ଦ୍ର ପୁଝାରି, ବି ଭାସ୍କର ରାଓ, ତ୍ରିନାଥ ପ୍ରସନ୍ନ ରାୟ ପ୍ରଶାନ୍ତ ମୁନି,ତାପସ ରାୟ,ସୁରେଶ ସାହୁ,ଦୟାନିଧି ନାଏକ, ନିତ୍ୟାନନ୍ଦ ମାଝୀ,କେଶବ ବେଣୁପାଣି ସମେତ ଆମପାଣି ଯୁବଗୋଷ୍ଠୀ ଓ ଗ୍ରାମବାସୀ ଦଶରା ପରିଚାଳନା ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ମା ସୁକିଆ ବାଉତୀଙ୍କ ପୀଠ 

Sunil Chandra Nayak

ଶାରଦୀୟ ଦୂର୍ଗା ପୂଜା ପାଇଁ ସହର ଉତ୍ସବ ମୁଖର 

Sunil Chandra Nayak

ନିଆଁରା ପରମ୍ପରା,ମା ହିଙ୍ଗୁଳାଙ୍କ କଚେରିରେ ଶରଣାଗତ ହେଲେ ମାନସିକଧାରୀ

Sunil Chandra Nayak

Leave a Comment

error: Content is protected !!