ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସଶସ୍ତ୍ର ବାହିନୀ ପକ୍ଷରୁ ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର
ଅପରେସନ ଦୃଷ୍ଟି’ରେ ୩୦୦ ରୁ ଉର୍ଦ୍ଧ ରୋଗୀଙ୍କ ଚକ୍ଷୁ ଅସ୍ତ୍ରପୋଚାର ଉଦଯାପନୀ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏୟାର ମାର୍ଶାଲ ଶ୍ରୀ ସନ୍ଦୀପ ଥରେଜାଙ୍କ ଯୋଗଦାନ
ରାଇରଙ୍ଗପୁର- ୦୪-୧୧- ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୂରଦର୍ଶି ଚିନ୍ତାଧାରାର ପରିକଳ୍ପନା ସ୍ୱରୂପ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଭାରତୀୟ ସଶସ୍ତ୍ର ବାହିନୀର ଚିକିତ୍ସା ସେବା ବିଭାଗ, ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ସମନ୍ୱୟରେ ଆୟୋଜିତ ଦ୍ୱାଦଶ ସଂସ୍କରଣର ମେଗା ବହୁବିଭାଗୀୟ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ତଥା ‘ଅପରେସନ ଦୃଷ୍ଟି’ର ଉଦଯାପନୀ ସମାରୋହ ତା. ୦୪-୧୧-୨୦୨୬ ରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୦୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରରେ ଭାରତୀୟ ସଶସ୍ତ୍ର ବାହିନୀର ଅଭିଜ୍ଞ ତଥା ଉଚ୍ଚକୋଟୀର ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଦ୍ୱାରା ରୋଗୀମାନଙ୍କୁ ବିଭିନ୍ନ ବିଭାଗରେ ଉନ୍ନତମାନର ଚିକିତ୍ସା ଓ ପରାମର୍ଶ ନିଃଶୁଳ୍କ ଭାବେ ପ୍ରଦାନ କରାଯାଇଥିଲା।ଉକ୍ତ ମେଗା ସ୍ୱାସ୍ଥ୍ୟ ଶିବିର ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦ ସେପ୍ଟେମ୍ବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ବାମନଘାଟି ଉପଖଣ୍ଡସ୍ଥ ସମସ୍ତ ବ୍ଲକ ଓ ରାଇରଙ୍ଗପୁର ସହରାଞ୍ଚଳରେ ଶିବିର ଆୟୋଜନ କରାଯାଇ ରୋଗୀ ଚିହ୍ନଟ କରାଯାଇ ବିଭାଗୱାରୀ ତାଲିକଭୁକ୍ତ କରାଯାଇଥିଲା, ଦ୍ଵିତୀୟ ପର୍ଯ୍ୟାୟରେ ୬ଅକ୍ଟୋବରରୁ ୨୩ ଅକ୍ଟୋବର ପର୍ଯ୍ୟନ୍ତ ପୂର୍ବରୁ ଚିହ୍ନିତ ଓ ପଞ୍ଜିକୃତ ରୋଗୀମାନଙ୍କର ଭାରତୀୟ ପ୍ରତିରକ୍ଷା ବିଭାଗର ଡାକ୍ତରୀ ଟିମ ଦ୍ୱାରା ବିସ୍ତୃତ ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିରୂପଣ ଓ ଆବଶ୍ୟକୀୟ ଚିକିତ୍ସା ପାଇଁ ପ୍ରସ୍ତୁତି କରାଯାଇଥିଲା ଏବଂ ଅନ୍ତିମ ପର୍ଯାୟ ଅକ୍ଟୋବର ୩୧ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଶିବିର ଆୟୋଜନ କରାଯାଇ ଅସ୍ତ୍ରୋପଚାର ସମେତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଜାରି ରହିଛି ।ଏହି ଶିବିରରେ ହୃଦରୋଗ, ବୃକକ୍ ରୋଗ, ଚର୍ମରୋଗ, ଚକ୍ଷୁରୋଗ, ଦନ୍ତ ଚିକିତ୍ସା ଓ ସ୍ୱାସ୍ଥ୍ୟ ଗତ ଅନ୍ୟାନ୍ୟ ସମସ୍ୟାର ସ୍ୱାସ୍ଥ୍ୟ ପରାମର୍ଶ ସହିତ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ବିଶେଷକରି ‘ଅପରେସନ ଦୃଷ୍ଟି’ ଅଧୀନରେ ମାଗଣାରେ ଚକ୍ଷୁ ଅସ୍ତ୍ରୋପଚାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା।ଶିବିରର ୪ ଦିନରେ ୫୦୦୦ ରୁ ଉର୍ଦ୍ଧ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇଥିବା ବେଳେ ୩୧୨ ଜଣ ରୋଗୀଙ୍କ ଚକ୍ଷୁ ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ ଚିକିତ୍ସାମୂଳକ ପ୍ରକ୍ରିୟା ନିଃଶୁଳ୍କ ଭାବେ ସମ୍ପନ୍ନ ହୋଇଥିଲା।
ଚିକିତ୍ସିତ ହୋଇଥିବା ରୋଗୀ ମାନଙ୍କ ମଧ୍ୟରେ ୫୦୯ ଜଣ କୀଡୀନି , ୩୧୪ ଜଣ ହୃଦ,୬୮୧ ଜଣ ଚର୍ମ, ୩୬୯ ଜଣ ଦନ୍ତ, ୬୨୦ ଜଣ ଭେଷଜ, ୨୬୪୫ ଜଣ ଚକ୍ଷୁ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ବେଳେ ୩୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା।ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଏୟାର ମାର୍ଶାଲ ଶ୍ରୀ ସନ୍ଦୀପ ଥରେଜା, ମହାନିର୍ଦ୍ଦେଶକ, ଆର୍ମଡ୍ ଫୋର୍ସେସ୍ ମେଡିକାଲ୍ ସର୍ଭିସେସ୍ (DGAFMS) ଯୋଗଦେଇ ଗଣମାଧ୍ୟମ କୁ ଶିବିର ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବା ଅବସରରେ ଏହି ମାନବିକ ସେବାମୂଳକ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଶିବିର ମାଧ୍ୟମରେ ଦୁର୍ଗମ ଓ ଅବହେଳିତ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ଉନ୍ନତ ଚିକିତ୍ସା ସେବା ପହଞ୍ଚାଇବା ଏକ ମହତ୍ ଉଦ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି ଶିବିର ରାଇରଙ୍ଗପୁର ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଏକ ବିଶେଷ ସୁଯୋଗ ସୃଷ୍ଟି କରିବା ସହ ସଶସ୍ତ୍ର ବାହିନୀର ମାନବିକତା, ସେବା ଓ ଜନକଲ୍ୟାଣମୂଳକ ମନୋଭାବର ଏକ ଉତ୍କୃଷ୍ଟ ଉଦାହରଣ ପାଲଟିଛି ବୋଲି କହିଥିଲେ।ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ବିଭିନ୍ନ ବିଭାଗର ସମନ୍ୱୟରେ ଏହି ମେଗା ସ୍ୱାସ୍ଥ୍ୟ ଶିବିର ସୁଚାରୁ ରୂପେ ସମ୍ପାଦିତ ହୋଇଛି।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

