ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ‘ଯୁବ ସମାଜ ପାଇଁ ତମାଖୁମୁକ୍ତ ଅଭିଯାନ ୪.୦’ର ଶୁଭାରମ୍ଭ 

ନବରଙ୍ଗପୁର ଜିଲ୍ଲାରେ ‘ଯୁବ ସମାଜ ପାଇଁ ତମାଖୁମୁକ୍ତ ଅଭିଯାନ ୪.୦’ର ଶୁଭାରମ୍ଭ 

ନବରଙ୍ଗପୁର:(୬ ନଭେମ୍ବର, ୨୦୨୬)(ରବି ନାରାୟଣ ମହାନ୍ତି) ଯୁବପିଢ଼ିଙ୍କୁ ତମାଖୁ ସେବନର କୁପ୍ରଭାବରୁ ସୁରକ୍ଷିତ ରଖିବା ଏବଂ ଏକ ସୁସ୍ଥ ଓ ତମାଖୁମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ଆନୁକୂଲ୍ୟରେ ଆଜି ‘ଯୁବ ସମାଜ ପାଇଁ ତମାଖୁମୁକ୍ତ ଅଭିଯାନ ୪.୦’ର ଶୁଭାରମ୍ଭ କରାଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମାନ ଅଧ୍ୟକ୍ଷତା କରିଥିଲେ। ସେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତମାଖୁମୁକ୍ତ ସମାଜ ଗଠନ ନିମନ୍ତେ ଶପଥ ପାଠ କରାଇବା ସହ ଅଭିଯାନର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଳୟ ପ୍ରଧାନ, ଏଡିପିଏଚ୍‌ଓ (ଏଫ୍‌ଡବ୍ଲ୍ୟୁ) ଡା. ମଳୟ ତ୍ରିପାଠୀ, ଡିଏମ୍‌ଓ ଡା. ସୁକାନ୍ତ ଚନ୍ଦ୍ର ଶତପଥୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଡିପିଏମ୍ ଶ୍ରୀ ଶଙ୍କର ଆଚାର୍ଯ୍ୟ, ଡିଏମ୍‌ଆର୍‌ସିଏଚ୍ ଶ୍ରୀ ମାନସ କୁମାର ପଣ୍ଡାଙ୍କ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ, ସିଡିପିଓ, ପିଏଚ୍‌ଇଓ ଏବଂ ବିପିଏମ୍‌ମାନେ ଯୋଗଦେଇଥିଲେ। ଉପସ୍ଥିତ ଅଧିକାରୀମାନେ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ଏହାକୁ ସଫଳ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ। ତମାଖୁ ସେବନ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା। ଏହାଦ୍ୱାରା କର୍କଟ ରୋଗ, ହୃଦ୍‌ରୋଗ, ଶ୍ୱାସକ୍ରିୟାଜନିତ ରୋଗ ଓ ଅନ୍ୟାନ୍ୟ ଅଣସଂକ୍ରାମକ ରୋଗ ହେବାର ଆଶଙ୍କା ରହିଛି। ତମାଖୁର ଧୂଆଁରେ ହଜାର ହଜାର କ୍ଷତିକାରକ ରାସାୟନିକ ପଦାର୍ଥ ରହିଥିବାବେଳେ ଏଥିମଧ୍ୟରୁ ଅନେକ କର୍କଟ ସୃଷ୍ଟିକାରୀ। ଏହାର ପ୍ରଭାବ କେବଳ ତମାଖୁ ସେବନକାରୀଙ୍କ ଉପରେ ନୁହେଁ, ପରୋକ୍ଷ ଧୂମପାନ ଦ୍ୱାରା ଅନ୍ୟମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାନ୍ତି।ଆଗାମୀ ଦୁଇ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ତମାଖୁ ସେବନର ଭୟାବହତା ଏବଂ ଏହାର ସ୍ୱାସ୍ଥ୍ୟଗତ କୁପ୍ରଭାବ ସମ୍ପର୍କରେ ସଚେତନ କରାଇବା। ଏଥିସହ ତମାଖୁ ସେବନ ଆରମ୍ଭ ନ କରିବା, ଏହି ଅଭ୍ୟାସରେ ଜଡ଼ିତ ବ୍ୟକ୍ତିଙ୍କୁ ତମାଖୁ ଛାଡ଼ିବା ପାଇଁ ପ୍ରେରିତ କରିବା ଏବଂ ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟକେନ୍ଦ୍ରରୁ ପରାମର୍ଶ ଓ ସହାୟତା ନେବା ଉପରେ ଗୁରୁତ୍ୱ ଦିଆଯିବ। ଏହି ଅଭିଯାନକୁ ଜିଲ୍ଲାର ତୃଣମୂଳସ୍ତରରେ ସଫଳ କରିବା ନିମନ୍ତେ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ମାଧ୍ୟମରେ ଛାତ୍ରଛାତ୍ରୀ, ଯୁବବର୍ଗ ଓ ସାଧାରଣ ଜନସାଧାରଣଙ୍କୁ ତମାଖୁ ସେବନରୁ ଦୂରେଇ ରହିବା, ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ତମାଖୁମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ସଚେତନ କରାଯିବ।କାର୍ଯ୍ୟକ୍ରମକୁ ଏଡିପିଏଚ୍‌ସିଓ ଶ୍ରୀ ରାମହରି ପଣ୍ଡା ଏବଂ ଏଏମ୍‌-ଏନ୍‌ସିଡି ଶ୍ରୀ ତରୁଣ କୁମାର ସାହୁ ସୁଚାରୁରୂପେ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ଅଲିଭା ଏବଂ ଶାନ୍ତିଲତା

Sunil Chandra Nayak

ପୂଜ୍ୟ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା ନକରିବା ପାଇଁ ନିବେଦନ 

Sunil Chandra Nayak

ଏକ୍ସଆରଏଫ’ରେ ପାଞ୍ଚକୋଟି ପି:ସି ସ୍କାମ ପୁଣି ପି:ସି ଖାଇବା ନିମନ୍ତେ ଦୁଇ’କୋଟିର ପ୍ଲାଟିନିୟମ ପ୍ଲାନ

masiha

Leave a Comment

error: Content is protected !!