ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନ  ନବରଙ୍ଗପୁର ଜିଲ୍ଲାର ୬ଟି ବ୍ଲକର ୧୫ଟି ବିଦ୍ୟାଳୟରେ ହେବ ଭିତ୍ତିଭୂମିର ବିକାଶ 

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନ 

ନବରଙ୍ଗପୁର ଜିଲ୍ଲାର ୬ଟି ବ୍ଲକର ୧୫ଟି ବିଦ୍ୟାଳୟରେ ହେବ ଭିତ୍ତିଭୂମିର ବିକାଶ 

ନବରଙ୍ଗପୁର:( ୦୬.୧୧.୨୦୨୬)(ରବି ନାରାୟଣ ମହାନ୍ତି)ରାଜ୍ୟରେ ବିଦ୍ୟାଳୟ ଶିକ୍ଷାର ମାନବୃଦ୍ଧି, ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ତଥା ଛାତ୍ରଛାତ୍ରୀଙ୍କୁ ଏକ ଉନ୍ନତ ଓ ଅନୁକୂଳ ଶିକ୍ଷଣ ପରିବେଶ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟର ଜିଲ୍ଲାସ୍ତରୀୟ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଆଜି ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡିସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଯୋଜନାର ତୃତୀୟ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ୬ଟି ବ୍ଲକର ୧୫ଟି ଚିହ୍ନଟ ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଉନ୍ନତୀକରଣ କରାଯିବ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ, ନବରଙ୍ଗପୁର ଶ୍ରୀ ଗୌରୀଶଙ୍କର ମାଝୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଜ୍ୟୋତିରଞ୍ଜନ କଂସ, ନବରଙ୍ଗପୁର ବିଡିଓ ଡ. ସୁନୀଲ କୁମାର ଖରା, ତହସିଲଦାର ଶ୍ରୀ ଭୋଳେଶ୍ୱର ନାୟକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଜନପ୍ରତିନିଧି, ଶିକ୍ଷା ବିଭାଗର ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶ୍ରବଣ କରିଥିଲେ।

ଏହି ପର୍ଯ୍ୟାୟରେ ଡାବୁଗାଁ ବ୍ଲକର ନନ୍ଦପୁର, ଜାବାଗୁଡ଼ା ଓ କୋଇଲାରୀ; ଝରିଗାଁ ବ୍ଲକର କନକୋଟ, ତେଲୋନାଡିଗାଁ ଓ ଫୁପୁଗାଁ; କୋଷାଗୁମୁଡ଼ା ବ୍ଲକର ଏକୋରି, ବାଲେଙ୍ଗା, ବାଙ୍କୁଳି, ଏମ୍. କେରଗାମ ଓ ନେଇଗାମ, ନବରଙ୍ଗପୁର ବ୍ଲକର ଚଟାହାଣ୍ଡି; ପାପଡ଼ାହାଣ୍ଡି ବ୍ଲକର କୋଣ୍ଟାମାଳ ଓ ସେମେଲା ଏବଂ ଉମରକୋଟ ବ୍ଲକର କାରାଗାମ ବିଦ୍ୟାଳୟକୁ ସାମିଲ କରାଯାଇଛି। ଏହି ଯୋଜନା ମାଧ୍ୟମରେ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଶିକ୍ଷା ଭିତ୍ତିଭୂମିର ବିକାଶ, ଶିକ୍ଷଣ ଉପଯୋଗୀ ପରିବେଶ ସୃଷ୍ଟି ଏବଂ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ। ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ଶିକ୍ଷା ସୁବିଧା ପାଇବା ସହିତ ସେମାନଙ୍କର ସର୍ବାଙ୍ଗୀଣ ବିକାଶର ସୁଯୋଗ ପାଇପାରିବେ।ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ସହ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

“ମହାପ୍ରଭୁ ଜଗନ୍ନାଥ” କାର୍ଟୁନ ଚଳଚ୍ଚିତ୍ର ମୁକ୍ତିଲାଭ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଓ ମନ୍ଦିର ପ୍ରଶାସନଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ଦାବି

Sunil Chandra Nayak

ରାଇରଙ୍ଗପୁର ଠାରେ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସ-୨୦୨୬ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ମିନି ଟ୍ରକ୍ ଧକ୍କାରେ ବାଇକ୍ ଚାଲାକ ମୃତ

Sunil Chandra Nayak

Leave a Comment

error: Content is protected !!