କାର୍ତ୍ତିକ ସୋମବାର ଅମାବାସ୍ୟାରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
କାର୍ତ୍ତିକ ମାସର ତୃତୀୟ ସୋମବାର ଅମାବାସ୍ୟା ଅବସରରେ ଢେଙ୍କାନାଳ ଜିଲ୍ଲାର ଭାଗୀରଥି ସାଗର କୂଳରେ ଅବସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତି ଓ ଶ୍ରଦ୍ଧାର ସହ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପ୍ରଭାତରୁ ବାବାଙ୍କ ମଙ୍ଗଳ ଆଳତି, ମହାସ୍ନାନ, ବେଲପତ୍ର ଅର୍ପଣ ସହ ବିଭିନ୍ନ ପ୍ରକାରର ପୁଷ୍ପ ଓ ଭୋଗ ଲାଗି କରାଯାଇଥିଲା।
ସେହିପରି ମଧ୍ୟାହ୍ନରେ ଅନ୍ନଧୂପ ନୀତି ସମ୍ପନ୍ନ ହୋଇଥିବା ବେଳେ ସନ୍ଧ୍ୟାରେ ଆଳତି ଓ ଘର୍ଷଣୀ ନୀତି ପରେ ବାବାଙ୍କୁ ମନୋରମ ମେଳା ବେଶରେ ସଜ୍ଜିତ କରାଯାଇଥିଲା। ଏଥିସହ ଚୁଡ଼ା ଘଷା ଓ ପଣା ଭୋଗ ମଧ୍ୟ ଲାଗି କରାଯାଇଥିଲା।
ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୂତି ଭୂଷଣ ପଣ୍ଡାଙ୍କ ଦ୍ୱାରା ସମସ୍ତ ପୂଜାବିଧି ସମ୍ପନ୍ନ ହୋଇଥିଲା। କାର୍ତ୍ତିକ ସୋମବାର ଓ ଅମାବାସ୍ୟାର ଏହି ପବିତ୍ର ସଂଯୋଗରେ ବାବାଙ୍କ ଦର୍ଶନ ପାଇଁ ପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।
କାଳିକା ନଗର ଦକ୍ଷିଣକାଳୀଙ୍କ ପଞ୍ଚମ ବାର୍ଷିକ କାଳୀପୂଜା ମହାଆଡ଼ମ୍ବରରେ ପାଳିତ
ଢେଙ୍କାନାଳ ସହରର କାଳିକା ନଗରଠାରେ ଦକ୍ଷିଣକାଳୀ ପୂଜା କମିଟି ପକ୍ଷରୁ ପଞ୍ଚମ ବାର୍ଷିକ କାଳୀପୂଜା ଭକ୍ତି ଓ ଉତ୍ସାହର ସହ ପାଳିତ ହେଉଛି।
ଏହି ଅବସରରେ ଗତକାଲି ମା’ଙ୍କର କଳସ ଯାତ୍ରା, ମଣ୍ଡଳ ପୂଜା, ଚକ୍ଷୁଦାନ, ଷୋଡ଼ଶ ଉପଚାର ପୂଜା ଏବଂ ହୋମଯଜ୍ଞ ଆଦି ଧାର୍ମିକ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଏଥିସହ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା। ଆଜି ମଧ୍ୟାହ୍ନରେ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ତିନି ଦିନ ଧରି ଚାଲିବାକୁ ଥିବା ଏହି ପୂଜାର ଆସନ୍ତା ୧୧ ତାରିଖ ବୁଧବାର ଦିନ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ। କର୍ମକର୍ତ୍ତା ସିପୁ ମଲ୍ଲିକ, ରଞ୍ଜନ ମଲ୍ଲିକ, ଶକ୍ତି ପ୍ରସାଦ ମଲ୍ଲିକ, ସର୍ବେଶ୍ୱର ମଲ୍ଲିକ, ସ୍ୱପ୍ନା ମଲ୍ଲିକଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହି ପୂଜା ଆୟୋଜିତ ହେଉଛି।
ଶ୍ରୀ ସିଦ୍ଧ ବଳରାମଜୀଉ ମନ୍ଦିରରେ ଦୀପାବଳି ଉପଲକ୍ଷେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
ପବିତ୍ର କାର୍ତ୍ତିକ ମାସର ଦୀପାବଳି ଅବସରରେ ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ପ୍ରଭୁ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପ୍ରଭାତରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ସ୍ନାନ, ବସ୍ତ୍ର ପରିଧାନ ସହ ତୁଳସୀ ଓ ପୁଷ୍ପମାଲ୍ୟ ଲାଗି କରାଯାଇଥିଲା। ପରେ ବଲ୍ଲଭ ଭୋଗ ଅର୍ପଣ କରାଯାଇଥିବା ବେଳେ ପୂର୍ବାହ୍ନ ୧୦ଟାରେ ଖେଚେଡ଼ି ଭୋଗ ଏବଂ ମଧ୍ୟାହ୍ନରେ ଅନ୍ନଧୂପ ନୀତି ସମ୍ପନ୍ନ ହୋଇଥିଲା।
ସେହିପରି ସନ୍ଧ୍ୟାରେ ଆଳତି ଓ ରାତିରେ ରାତ୍ରଧୂପ ପରେ ମହାପ୍ରଭୁଙ୍କ ପହଡ଼ ନୀତି ଅନୁଷ୍ଠିତ ହେବ। ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ଓ ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ସମାଗମ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ଦକ୍ଷିଣକାଳୀ ମନ୍ଦିରରେ ଭକ୍ତିମୟ ପରିବେଶ, ବିଧିବିଧାନ ଅନୁସାରେ ପାଳିତ ହେଲା ମା’ଙ୍କ କାଳୀପୂଜା
ଢେଙ୍କାନାଳ ସହରର ଦକ୍ଷିଣକାଳୀ ରୋଡ୍ ସ୍ଥିତ ମା’ ଦକ୍ଷିଣକାଳୀଙ୍କ ମନ୍ଦିରରେ ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି ପବିତ୍ର କାଳୀପୂଜା।
ଏହି ଅବସରରେ ପ୍ରାତଃରୁ ମା’ଙ୍କର ମଙ୍ଗଳ ଆଳତି ଓ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ପରେ ମା’ଙ୍କୁ ନୂତନ ବସ୍ତ୍ର ପରିଧାନ କରାଯିବା ସହ ବିଭିନ୍ନ ପ୍ରକାରର ପୁଷ୍ପମାଲ୍ୟରେ ସୁସଜ୍ଜିତ କରାଯାଇଥିଲା। ଏଥିସହ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା।
ମଧ୍ୟାହ୍ନରେ ଅନ୍ନଧୂପ ଓ ସନ୍ଧ୍ୟାରେ ଆଳତି ନୀତି ସମ୍ପନ୍ନ ହୋଇଥିଲା। ସେହିପରି ରାତ୍ରିରେ କଳସ ପୂଜା, ମଣ୍ଡଳ ପୂଜା, ଷୋଡ଼ଶ ଉପଚାର ପୂଜା ସହ ଚଣ୍ଡୀପାଠ ଓ ସପ୍ତଚଣ୍ଡୀ ଯଜ୍ଞରେ ଆହୁତି ପ୍ରଦାନ କରାଯାଇଥିଲା। ମା’ଙ୍କ ନିକଟରେ ମିଷ୍ଟାନ୍ନ ଭୋଗ ମଧ୍ୟ ଅର୍ପଣ କରାଯାଉଛି।
ମନ୍ଦିରର ପୂଜକ ବୁଲୁ ବାବାଙ୍କ ତତ୍ତ୍ୱାବଧାନରେ ସମସ୍ତ ପୂଜାନୀତି ଓ ଧାର୍ମିକ ବିଧିବିଧାନ ସମ୍ପନ୍ନ ହୋଇଥିଲା।।ଏହି ପବିତ୍ର ଅବସରରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଜମିଥିବା ବେଳେ ମା’ଙ୍କ ଦର୍ଶନ କରି ଭକ୍ତମାନେ ଆଶୀର୍ବାଦ ଲାଭ କରିଥିଲେ।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

