ମାଣ୍ଡିଆ ଚାଷରେ ସଫଳତା, ରାଜ୍ୟସ୍ତରରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ର ଚାଷୀ ବୁଦ୍ରି ମାଝୀ
କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ଼ ବ୍ଲକର ଚାଷୀର ଦୃଢ଼ ଇଚ୍ଛାଶକ୍ତି ଆଉ ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଜଣେ ସାଧାରଣ ଆଦିବାସୀ ଚାଷୀରୁ ରାଜ୍ୟସ୍ତରରେ ପରିଚିତ ପ୍ରଗତିଶୀଳ ଚାଷୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ । ମାଣ୍ଡିଆ ଚାଷ, ପାରମ୍ପରିକ ବିହନ ସଂରକ୍ଷଣ ଓ କ୍ଷୁଦ୍ରଶସ୍ୟ ଉତ୍ପାଦନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଞ୍ଚମ ମାଣ୍ଡିଆ ଦିବସ ଅବସରରେ ଭୁବନେଶ୍ୱରଠାରେ ତାଙ୍କୁ ରାଜ୍ୟସ୍ତରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି I ନଭେମ୍ବର ୧୦ ଓ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ମେଫେୟାର କନଭେନସନ୍ଠାରେ ଦୁଇଦିନିଆ ପଞ୍ଚମ ମାଣ୍ଡିଆ ଦିବସ ଆୟୋଜିତ ହୋଇଥିଲା । ପ୍ରଥମ ଦିନର ଉଦ୍ଘାଟନୀ ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ବ୍ରଜମୋହନ ରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ । ନଭେମ୍ବର ୧୧ ତାରିଖରେ ଆୟୋଜିତ ଉଦ୍ଯାପନୀ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ ବୁଦ୍ରି ମାଝୀଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରିଥିଲେ । ଏହି ଉଦ୍ଯାପନୀ ସମାରୋହରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ପୋମା ଟୁଡୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କୃଷି ବିଶେଷଜ୍ଞ ଉପସ୍ଥିତ ରହିଥିଲେ । ୨୦୧୭-୧୮ ମସିହାରେ ଓଡ଼ିଶା ମିଲେଟ୍ ମିଶନର ହସ୍ତକ୍ଷେପ ପରେ ଶ୍ରୀ ମାଝୀ ମାଣ୍ଡିଆ ଚାଷକୁ ଏକ ନୂତନ ଦୃଷ୍ଟିକୋଣରେ ଆପଣାଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀଅନ୍ନ ଅଭିଯାନ ଅଧୀନରେ କୃଷି ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନ ଜନସାହାଯ୍ୟର ବୈଷୟିକ ପରାମର୍ଶ, ପ୍ରଶିକ୍ଷଣ ଓ ନିୟମିତ କ୍ଷେତ୍ରସ୍ତରୀୟ ମାର୍ଗଦର୍ଶନ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା I ପାରମ୍ପରିକ ଚାଷ ପଦ୍ଧତିରୁ ଆଗକୁ ବଢ଼ି ସେ ଧାଡ଼ି ରୁଆ,ଧାଡ଼ି ବୁଣା ଓ ସଘନ ପଦ୍ଧତିରେ ମାଣ୍ଡିଆ ଚାଷ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୨୦୨୩-୨୪ ମସିହାରେ ୨.୮୦ ହେକ୍ଟର ଜମିରେ ଉନ୍ନତ ପଦ୍ଧତିରେ କ୍ଷୁଦ୍ରଶସ୍ୟ ଚାଷ କରୁଥିବାବେଳେ, ୨୦୨୫-୨୬ ମସିହାରେ ଏହାର ପରିମାଣ ବୃଦ୍ଧି କରି ୪.୨୦ ହେକ୍ଟରରେ ପହଞ୍ଚାଇଛନ୍ତି । ସେହିପରି ହେକ୍ଟର ପ୍ରତି ମାଣ୍ଡିଆ ଉତ୍ପାଦନ ୧୬.୪୦ କ୍ୱିଣ୍ଟାଲରୁ ବୃଦ୍ଧି ପାଇ ୧୮.୬୦ କ୍ୱିଣ୍ଟାଲରେ ପହଞ୍ଚିଛି । ଜୈବିକ ସାର ଓ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ ଜୈବ ଉପାଦାନ ବ୍ୟବହାର କରି ସେ ପରିବେଶ ଅନୁକୂଳ କୃଷିକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏଥିସହ ମାଣ୍ଡିଆ ବିହନ ଉତ୍ପାଦନ କାର୍ଯ୍ୟକ୍ରମରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଗୁଣାତ୍ମକ ବିହନ ଉତ୍ପାଦନ ଓ ଯୋଗାଣରେ ଅବଦାନ ରଖିଛନ୍ତି I କେବଳ ଉତ୍ପାଦନ ବୃଦ୍ଧି ନୁହେଁ, ପାରମ୍ପରିକ ବିହନ ସଂରକ୍ଷଣ,ବଜାର ସଂଯୋଗ ଓ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଶ୍ରୀ ମାଝୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହାଦ୍ୱାରା ତାଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୋଇପାରିଛି । ତାଙ୍କର ଏହି ସଫଳତା ପଛରେ ଶ୍ରୀଅନ୍ନ ଅଭିଯାନ ସହ ଜନସାହାଯ୍ୟ ସଂସ୍ଥାର ନିରନ୍ତର ସହଯୋଗ ଓ କ୍ଷେତ୍ରସ୍ତରୀୟ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି I ବୁଦ୍ରି ମାଝୀଙ୍କ ଏହି ସଫଳତା ପାଇଁ କଳାହାଣ୍ଡି ଜିଲ୍ଲାର କୃଷି ବିଭାଗୀୟ ଅଧିକାରୀ,ୱାସନ୍ର ଜିଲ୍ଲା ପ୍ରକଳ୍ପ ସଂଯୋଜକ,ଜନସାହାଯ୍ୟର ସମ୍ପାଦିକା ଶ୍ରୀମତୀ ଅନ୍ୱେସୀତା ସାମଲ, ଲାଞ୍ଜିଗଡ଼ ବ୍ଲକ ଶ୍ରୀଅନ୍ନ ଅଭିଯାନର ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣେନ୍ଦୁ ପଣ୍ଡା ଓ ଉପପ୍ରକଳ୍ପ ସଂଯୋଜକ ସୁବାଷ ନାଏକ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ଜଣେ କ୍ଷୁଦ୍ର ଆଦିବାସୀ ଚାଷୀଙ୍କ ଏହି ସଫଳତା କେବଳ ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ଶ୍ରୀଅନ୍ନ ଅଭିଯାନର ସଫଳତା ଓ ତୃଣମୂଳସ୍ତରରେ ଜନସାହାଯ୍ୟର ପ୍ରୟାସର ଏକ ଉଜ୍ଜ୍ୱଳ ଉଦାହରଣ । ତାଙ୍କର ଏହି ସଫଳତା ଲାଞ୍ଜିଗଡ଼ ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାର ଅନ୍ୟ ଚାଷୀମାନଙ୍କୁ ମାଣ୍ଡିଆ ଚାଷ, ଜୈବିକ କୃଷି ଓ ପାରମ୍ପରିକ ବିହନ ସଂରକ୍ଷଣ ଦିଗରେ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ।
ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ବିଦ୍ୟାଳୟରେ ମହାସମାରୋହରେ ଶିଶୁ ଦିବସ ପାଳିତ
କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ଼,ବ୍ଲକ ଲାଞ୍ଜିଗଡ଼ ସ୍ଥିତ ଡି.ଏ.ଭି ବେଦାନ୍ତ ଇଣ୍ଟରନ୍ୟାସନାଲ ବିଦ୍ୟାଳୟ ପରିସରରେ ଆଜି ଅତ୍ୟନ୍ତ ଉତ୍ସାହ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶିକ୍ଷଣୀୟ ପ୍ରଦର୍ଶନୀ ମଧ୍ୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସୃଜନଶୀଳତା ଓ ବୌଦ୍ଧିକ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ସୁନ୍ଦର ମଞ୍ଚ ଯୋଗାଇ ଦେଇଥିଲା । ଏହି ଉତ୍ସବରେ ବିଜନେସ୍ ଆଲୁମିନାର ସି.ଇ.ଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଏବଂ ସି.ଏଫ.ଓ ପୀୟୂଷ ଲୁନାୱତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଭୟ ଅତିଥି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ବିଦ୍ୟାଳୟର ପ୍ରୟାସକୁ ପ୍ରଶଂସା କରିବା ସହ ପିଲାମାନଙ୍କୁ ଜିଜ୍ଞାସୁ ହେବା,ନୂତନିତ୍ୱ ଆପଣାଇବା ଏବଂ ଉତ୍ତମ ନୈତିକ ମୂଲ୍ୟବୋଧ ବଜାୟ ରଖିବାକୁ ଉତ୍ସାହିତ କରିଥିଲେ । ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଏକ ବିଶାଳ ବହୁମୁଖୀ ପ୍ରଦର୍ଶନୀ । ଏଥିରେ ବିଜ୍ଞାନ,ସାମାଜିକ ବିଜ୍ଞାନ, ଗଣିତ,ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏ.ଆଇ ଓଡ଼ିଆ,ହିନ୍ଦୀ,ଇଂରାଜୀ ଏବଂ ସଂସ୍କୃତ ବିଷୟର ଅଭିନବ ପ୍ରକଳ୍ପମାନ ସ୍ଥାନ ପାଇଥିଲା । ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକାରୀ ମଡେଲ,ଭାଷାଭିତ୍ତିକ ପ୍ରଦର୍ଶନୀ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ସମାଧାନ ଉପସ୍ଥାପନ କରିଥିଲେ,ଯାହା ଅତିଥି, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା । ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ଆନ୍ତଃ-ହାଉସ୍ ନୃତ୍ୟ ପରିବେଷଣ କରିବା ସହ ସଙ୍ଗୀତ,ଚିତ୍ରକଳା ଓ ଅଭିନୟ କ୍ଷେତ୍ରରେ ସେମାନଙ୍କର ଅସାଧାରଣ ପ୍ରତିଭା ପ୍ରଦର୍ଶନ ପାଇଁ ଆୟୋଜିତ ସ୍ୱତନ୍ତ୍ର ‘ଟ୍ୟାଲେଣ୍ଟ ହଣ୍ଟ’ ରେ ଦର୍ଶକଙ୍କ ମନ ମୋହି ଯାଇଥିଲେ । ଏହା ସହିତ ଆୟୋଜିତ ‘ଫୁଡ୍ ଫେଷ୍ଟ’ ରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟର ସମ୍ଭାର ଦେଖିବାକୁ ମିଳିଥିଲା,ଯାହାକୁ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ବେଶ୍ ଉପଭୋଗ କରିଥିଲେ ।କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଅତିଥିମାନେ ବିଭିନ୍ନ ଶିକ୍ଷାଗତ ଓ ସାଂସ୍କୃତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କର କଠିନ ପରିଶ୍ରମ ଓ ଦକ୍ଷତାକୁ ପ୍ରଶଂସା କରିଥିଲେ । ଶେଷରେ ଆର.ଏନ. ବେହେରା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ସଫଳ କରିଥିବାରୁ ସେ ସମ୍ମାନିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ I
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

