ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ସଙ୍କଟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ

ସଙ୍କଟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ

(16 ନଭେମ୍ୱର ଜାତୀୟ ପ୍ରେସ୍‌‍ ଦିବସ ଉପଲକ୍ଷେ)

ରବି ରଥ

ଗଣତନ୍ତ୍ରିକ ବ୍ୟବସ୍ଥାରେ ତିନୋଟି ସ୍ତମ୍ଭ ମଧ୍ୟରୁ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ଅଧିକ ଗୁରୁତ୍ଵପୂର୍ଣ୍ଣ । ଅନ୍ୟ ତିନୋଟି ସ୍ତମ୍ଭ ଯଥା ସଂସଦୀୟ ବ୍ୟବସ୍ଥା, ବିଚାର ବିଭାଗ ଓ ଅମଲାତନ୍ତ୍ରକୁ ସରକାରୀ ସ୍ଵୀକୃତି ପ୍ରଦାନ କରାଯାଇଥିବା ବେଳେ ଏହି ତିନୋଟି ସ୍ତମ୍ଭର ଦୋଷ ତ୍ରୁଟିକୁ ଗଣମାଧ୍ୟମର ହିଁ ସଂଶୋଧନ କରିବା ଦାୟିତ୍ଵ ରହିଛି । କିନ୍ତୁ ଆଜି ଦେଶରେ ଦେଖା ଦେଇଥିବା ବିପର୍ଯ୍ୟସ୍ତ ପରିସ୍ଥିତିରେ ଗଣମାଧ୍ୟମ ସ୍ଥାଣୁ ପାଲଟିଯାଇଛି । ଅପରପକ୍ଷରେ କର୍ପୋରେଟ ହାଉସମାନଙ୍କ ଦ୍ଵାରା ଏହା ନିୟନ୍ତ୍ରିତ ହେଉଥିବାରୁ ଗଣମାଧ୍ୟମର ନିରପେକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ସମ୍ୱାଦପତ୍ର ହେଉ କିମ୍ୱା ବୈଦୁ୍ୟତିକ ଗଣମାଧ୍ୟମ, ଏହା ସବୁବେଳେ ସମାଜର ଜାଗ୍ରତ ପ୍ରହରୀ ଭାବେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପରାଧୀନତାର ଶୃଙ୍ଖଳରୁ ଦେଶକୁ ମୁକ୍ତ କରିବା ପାଇଁ ବହୁ ନେତୃବୃନ୍ଦ ସମ୍ୱାଦପତ୍ର ମାଧ୍ୟମରେ ଦେଶରେ ଜନମତ ସୃଷ୍ଟି କରିବାରେ ଲାଗି ପଡ଼ିଥିଲେ। ସେମାନଙ୍କ ବଳିଷ୍ଠ ଲେଖା ଦେଶରେ ନବ ଜାଗରଣ ସୃଷ୍ଟି କରିବାରେ ବେଶ୍‌‍ ଫଳପ୍ରଦ ହୋଇଥିଲା। ବାଳ ଗଙ୍ଗାଧର ତିଲକ, ଗୋପାଳକୃଷ୍ଣ ଗୋଖଲେ, ମହାତ୍ମା ଗାନ୍ଧୀଙ୍କ ଭଳି ନେତୃବୃନ୍ଦ ଏହି ସବୁ ସମ୍ୱାଦପତ୍ର ପ୍ରକାଶନର ମଙ୍ଗ ଧରିଥିଲେ । ଦେଶକୁ ସ୍ଵାଧୀନତାର ସ୍ଵାଦ ଚଖେଇବା ଥିଲା ଏହି ମହାପୁରୁଷ ମାନଙ୍କ ସମ୍ୱାଦପତ୍ର ପ୍ରକାଶନର ମୂଳ ଉଦ୍ଦେଶ୍ୟ । ଠିକ ସେହିପରି ସ୍ଵାଧୀନତାର ପ୍ରାକ୍‌‍କାଳରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନେଇ ଯେଉଁ ଭାଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା ସେହି ଆନ୍ଦୋଳନକୁ ଆଗକୁ ନେବାରେ ଉକଳ ଗୌରବ ମଧୁସୂଦନ ଦାସ, ଉକଳମଣି ଗୋପବନ୍ଧୁ ଦାସ, ସାମ୍ୱାଦିକ ଶଶିଭୂଷଣ ରଥ, ନୀଳମଣି ବିଦ୍ୟାରନ, ପଣ୍ଡିତ ନୀଳକଣ୍ଠ ଦାସ, କୃପାସିନ୍ଧୁ ନରେନ୍ଦ୍ର ଦେବ ପ୍ରମୁଖ ବିଭିନ୍ନ ଓଡ଼ିଆ ସମ୍ୱାଦପତ୍ର ପ୍ରକାଶ କରି ସେଥିରେ ଓଡ଼ିଆ ଓ ଓଡ଼ିଶାର ସ୍ଵାର୍ଥରକ୍ଷା ପାଇଁ ନିଜର ମତ ଓ ମନ୍ତବ୍ୟ ରଖୁଥିଲେ । ସ୍ଵାଧୀନତା ପ୍ରାପ୍ତି ପରେ ଓଡ଼ିଶାରେ ସମ୍ୱାଦପତ୍ର ସଂଖ୍ୟା ବୃଦ୍ଧି ପାଇଲା । ଅପରପକ୍ଷରେ କେତେକ ସମ୍ୱାଦପତ୍ରର ମଧ୍ୟ ଅକାଳ ମୃତୁ୍ୟ ଘଟିଲା । ଅତୀତରେ ସାମ୍ୱାଦିକମାନଙ୍କର ଦାୟିତ୍ଵବୋଧ ଓ ନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲା । ସେମନଙ୍କ ପ୍ରତି ସବୁ ଶ୍ରେଣୀର ଜନସାଧାରଣଙ୍କ ସମ୍ମାନ ରହୁଥିଲା । ଆଜିକାଲି କିନ୍ତୁ ଏ କ୍ଷେତ୍ରରେ ଦାୟିତ୍ଵବୋଧ ଓ ନିଷ୍ଠା ଅଭାବରୁ ସାମ୍ୱାଦିକତାର ମାନ ହ୍ରାସ ପାଇବାରେ ଲାଗିଛି । ଏହା ସହିତ ସମ୍ୱାଦପତ୍ରଗୁଡ଼ିକର ଯେଉଁ ମୌଳିକ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଥିଲା ତାହା ଆଜି ମଉଳିବାରେ ଲାଗିଛି । ସମ୍ପ୍ରତି ଅନେକ ସମ୍ୱାଦପତ୍ର ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ମାଲିକାନାରେ ପ୍ରକାଶ ପାଉଥିବାରୁ ସମ୍ୱାଦ ପରିବେଷଣରେ ଆଉ ନିରପେକ୍ଷତା ପରିଲକ୍ଷିତ ହେଉନାହିଁ । ଏହା ଦେଶ, ସମାଜ ଓ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ସମ୍ପ୍ରତି ଗଣମାଧ୍ୟମର ଗୁରୁତ୍ଵ ହ୍ରାସ ପାଇବା ସହ ଏହା ଜନସାଧାରଣଙ୍କ ବିଶ୍ଵାସନିୟତା ହରାଇ ବସିଲାଣି । ମୂଲ୍ୟବୋଧ ଓ ଅଙ୍ଗୀକାରବଦ୍ଧତାକୁ ଗୁରୁତ୍ଵ ନ ଦେବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଦେଶର ସ୍ଵାଧୀନତା ପରେ ସମ୍ୱାଦପତ୍ର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମୂଲ୍ୟବୋଧ ସହ କିନ୍ତୁ ସାଲିସ କରାଯାଉନଥିଲା । ଏଥିଯୋଗୁଁ ସମ୍ୱାଦପତ୍ରରେ ସ୍ଥାନ ପାଉଥିବା ଖବରକୁ ସେତେବେଳେ ସମସ୍ତେ ବିଶ୍ଵାସ କରୁଥିଲେ । ଏକବିଂଶ ଶତାଦ୍ଦୀ ପ୍ରାରମ୍ଭରୁ ଗଣମାଧ୍ୟମରେ ବ୍ୟାପକ ପରିବର୍ତ୍ତନ ଆସିଛି । ଇଣ୍ଟରନେଟ ଓ ମୋବାଇଲ ଦ୍ଵାରା ୱେବ୍‌‍ ଚ୍ୟାନେଲ ଗଣମାଧ୍ୟମ ଖୁବ କମ ସମୟରେ ସମ୍ୱାଦ ପାଇ ତାହାକୁ ପ୍ରକାଶନ କରାଯିବା ସହ ଟିଭି ଚ୍ୟାନେଲରେ ମଧ୍ୟ ପ୍ରଦର୍ଶିତ କରାଯାଇପାରୁଛି । ଅପରପକ୍ଷରେ ଏବେ ଗଣମାଧ୍ୟମ ପକ୍ଷପାତିତା ଓ ବ୍ୟକ୍ତିକୈନ୍ଦ୍ରିକ ହୋଇଥିବାରୁ ଏକାଧିକ ଖବରକାଗଜ ନ ପଢ଼ିଲେ ଓ ଏକାଧିକ ଟିଭି ଚ୍ୟାନେଲ ନ ଦେଖିଲେ ସମ୍ୱାଦର ସତ୍ୟତା ଜାଣିବା ସମ୍ଭବପର ହେଉନାହିଁ । ସମ୍ୱାଦପତ୍ର ଗୁଡ଼ିକରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ସମ୍ୱାଦ ଓ ମତ ମନ୍ତବ୍ୟ ପ୍ରକାଶ କରାଯାଉଥିବାରୁ ଏଭଳି ସମ୍ୱାଦକୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାନ୍ତି। ପୂର୍ବରୁ ସମ୍ୱାଦପତ୍ରଗୁଡ଼ିକ ମିଶନ ଭାବେ କାର୍ଯ୍ୟ କରୁଥିଲା ଏବେ କିନ୍ତୁ କମିଶନ ବ୍ୟାପାରରେ ସମ୍ୱାଦପତ୍ରମାନେ କାର୍ଯ୍ୟ କରୁଥିବା ଯୋଗୁଁ ସେମାନେ ଲକ୍ଷ୍ୟ ଓ ଆଦର୍ଶରୁ ବିଚୁ୍ୟତ ହେଉଛନ୍ତି । କର୍ପୋରେଟ ହାଉସମାନଙ୍କ କବଳରେ ଏବେ ବହୁ ସମ୍ୱାଦପତ୍ର ପରିଚାଳିତ ହେଉଥିବା ଦୃଷ୍ଟିଗୋଚର ହେଉଛି । ସେହି କାରଣରୁ ଆଜିକାଲି ମୂଲ୍ୟ ବଦଳରେ (ପେଡ଼୍‌‍ ନୁ୍ୟଜ୍‌‍) ସମ୍ୱାଦ ଛାପିବା ବା ଟିଭିରେ ସମ୍ୱାଦ ପରିବେଷଣ କରିବାର ଏକ ହୀନ ପରମ୍ପରା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ଏ ପ୍ରକାର ଅନୈତିକ ଓ ହୀନ କାର୍ଯ୍ୟରେ କିଛି ଗଣମାଧ୍ୟମ ସମ୍ପୃକ୍ତ ରହୁଥିବାରୁ ଗଣମାଧ୍ୟମ ସାମୂହିକ ଭାବେ ଆଜି ସମାଜ ଆଖିରେ ନୁ୍ୟନ ହେବା ସହ ନିନ୍ଦିତ ମଧ୍ୟ ହେଉଛି । ଏବେ ଶିଳ୍ପପତିମାନେ ବଡ଼ ବଡ଼ ସମ୍ୱାଦପତ୍ର ଓ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଥିବାରୁ ସମ୍ୱାଦପତ୍ରର ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସଙ୍କଟକୁ ଠେଲି ହୋଇଯାଇଛି । ଆଜିର ପରିପ୍ରେକ୍ଷୀରେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ୱାଦିକ ଓ କର୍ମଚାରୀ ଏଥିପ୍ରତି ଯନବାନ ହେବା ସହ ଗଣମାଧ୍ୟମର ମର୍ଯ୍ୟଦାକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ କାର୍ଯ୍ୟ କରିବାର ସମୟ ଆସିଛି । ଅତୀତରେ ସମ୍ୱାଦପତ୍ରର ଯେଉଁ ପ୍ରତିଷ୍ଠା ଓ ଲୋକପ୍ରିୟତା ରହିଥିଲା ତାହା ଦିନକୁ ଦିନ ନିମ୍ନଗାମୀ ହେଉଥିବାରୁ ସାଧାରଣରେ ଗଣମାଧ୍ୟମ ପ୍ରତି ଆସ୍ଥା ଓ ବିଶ୍ଵାସ ତୁଟି ଯାଉଥିବା ଘଟଣା ଉଦବେଗଜନକ। ବିଶେଷକରି ରାଜ୍ୟ ତଥା ଦେଶରୁ ପ୍ରକାଶ ପାଉଥିବା ହଜାର ହଜାର କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂତନ ବିଜ୍ଞାପନ ନୀତି ଯୋଗୁଁ ବହୁ ସମ୍ୱାଦପତ୍ର ବନ୍ଦ ହେବାକୁ ବସିଲାଣି। ଏପରିକି ପୂର୍ବରୁ ଜାତୀୟ ଦିବସ ମାନଙ୍କରେ ଡିଏଭିପି ପକ୍ଷରୁ ଦିଆଯାଉଥିବା ବିଜ୍ଞାପନକୁ ବନ୍ଦ କରି ଦିଆଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ କୋଭିଡକୁ ଦ୍ଵାହିଦେଇ ଗତ ଦେଢ଼ ବର୍ଷ ଧରି ରାଜ୍ୟ ସଚିବାଳୟକୁ ସାମ୍ୱାଦିକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କୌଣସି କାରଣ ନଥାଇ ଆକଟ କରାଯାଇଛି। ଏହା ମଧ୍ୟ ଗଣମାଧ୍ୟମର କଣ୍ଠରୋଧ ଅଟେ । ଭାରତ ବର୍ଷର ପ୍ରଧାନମନ୍ତ୍ରୀ ମୋଦୀଙ୍କ 12 ବର୍ଷର ଶାସନ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 24 ବର୍ଷ ଶାସନ ମଧ୍ୟରେ ଉଭୟେ କୌଣସି ସାମ୍ୱାଦିକ ସମ୍ମିଳନୀର ସମ୍ମୁଖୀନ ହୋଇନଥିବା ଦୁର୍ଭାଗ୍ୟର ବିଷୟ । ଆଜିକାଲି ଗଣମାଧ୍ୟମରେ ଯାହା ପ୍ରକାଶ ପାଉଛି ତାହା ସଂପୃକ୍ତ ଗଣମାଧ୍ୟମର ବକ୍ତବ୍ୟ ନୁହେଁ। କାରଣ ସରକାର ଓ କର୍ପୋରେଟ ହାଉସମାନଙ୍କ ନିର୍ଦ୍ଦେଶରେ ଖବର ପରିବେଷିତ ହେଉଛି। ଅପରପକ୍ଷରେ 1975 ଜୁନ 25 ଜରୁରୀକାଳିନ ପରିସ୍ଥିତି ବେଳେ ସମ୍ୱାଦପତ୍ରର ଯେଉଁ କଣ୍ଠରୋଧ କରାଯାଉଥିଲା ସେହିଭଳି ଆଜି ମଧ୍ୟ ଅଘୋଷିତ ଭାବେ ସମ୍ୱାଦପତ୍ର ଜରୁରୀ ପରିସ୍ଥିତି ଜାରି ହୋଇଥିବା ସ୍ପଷ୍ଟ ବାରି ହେଉଛି। ନିର୍ଦ୍ଦିଷ୍ଟ ବିଚାରଧାରା ଉପରେ ରୁଚି ରଖୁଥିବା ବ୍ୟକ୍ତିଙ୍କୁ ହିଁ ଗଣମାଧ୍ୟମରେ ଆଗକୁ ବଢ଼ିବାକୁ ଦିଆଯାଉଛି । ଯାହା ଫଳରେ ସମ୍ୱିଧାନର ମୂଲ୍ୟବୋଧ ବିରୋଧୀ ଖବର ପ୍ରକାଶ ପାଉଛି । ଏହାସତ୍ତ୍ୱେ କେତେକ ମୁଷ୍ଟିମେୟ ଗରମାଧ୍ୟମ ସେମାନଙ୍କ ବିଚାରରୁ ଓହରିନାହାଁନ୍ତି। ଦୀର୍ଘଦିନ ଧରି ଭୋଟ ଚୋରି ଘଟଣାର ପର୍ଦ୍ଧାଫାଶ କରିବାରେ ଇଣ୍ଡିଆନ ଏକ୍ସପ୍ରେସ୍‌‍ର ଏକ ରିପୋର୍ଟ ଭାରତ ବର୍ଷ ତଥା ବିଶ୍ଵରେ ହଲଚଲ ସୃଷ୍ଟି କରିପାରିଛି । ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ୱାଦିକ ବା ସଂପାଦକ କିଛି ଲେଖିବା ପୂର୍ବରୁ ଭାବୁଛି ଯେ ଏଭଳି ଲେଖା ଲେଖିବା ଉଚିତ କି ନୁହେଁ । ଏହି ପ୍ରକାର ବିଚାର ଯୋଗୁଁ ଗଣମାଧ୍ୟମ କ୍ଷମତାସୀନ ଦଳ ବା ସରକାରକୁ ପ୍ରଶ୍ନ କରିପାରୁ ନାହିଁ। ଭାରତ ବର୍ଷର 10ଟି ନୁ୍ୟଜ୍‌‍ ଚ୍ୟାନେଲ ସରକାରଙ୍କ ନିୟନ୍ତ୍ରଣରେ ଥିବାରୁ ପ୍ରକୃତ ତଥ୍ୟ ପ୍ରକାଶିତ ହୋଇପାରୁନାହିଁ । ଏଭଳି ପରମ୍ପରା ଜାରି ରହିଲେ ଗଣମାଧ୍ୟମ ଆଗାମୀ ଦିନରେ ମୂଲ୍ୟହୀନ ହୋଇପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଆଜିର ଜାତୀୟ ପ୍ରେସ ଦିବସ ଅବସରରେ ଗଣମାଧ୍ୟମ ନିଜ ଲକ୍ଷ୍ୟ ଓ ଆଦର୍ଶରୁ ଯେଭଳି ବିଚୁ୍ୟତ ନ ହେବ ସେ ସମ୍ପର୍କରେ ବ୍ୟାପକ ବିଚାର ବିମର୍ଶ କରାଯିବା ଉଚିତ ।

ନବୀନ ଭବନ, ବ୍ରହ୍ମପୁର-10, ମୋ-98610 13780

Related posts

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୧୪ ତାରିଖ :”ମାନବୀୟ ସମ୍ବେଦନଶୀଳତା ଓ ପ୍ରକୃତି-ନାରୀତ୍ୱର ଗଣପର୍ବ ରଜର ଅପୂର୍ବ ସମନ୍ଵୟ ମହାମିଳନର “

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ଅକ୍ଟୋବର ୨୮ ତାରିଖ : ଇତିହାସର ଆଇନାରେ ଜ୍ଞାନର ଆଲୋକ,ବିଜ୍ଞାନର ଆବିଷ୍କାର,ମାନବୀୟ ସାହସ ଓ ସଂଘର୍ଷର ଅମର ସ୍ୱାକ୍ଷର

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ଏପ୍ରିଲ୍ ୨୭ ତାରିଖ : ଜ୍ଞାନ,ସୃଜନ ଓ ସଚେତନତାର ଅନ୍ତର୍ନିହିତ ବିକାଶ

Sunil Chandra Nayak

Leave a Comment

error: Content is protected !!