ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନର 31ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ
ରୁପ୍ରା, 16/11 (ଅଜୟ ସେନାପତି ) : ନର୍ଲାବ୍ଲକ ଅନ୍ତର୍ଗତ ରୁପ୍ରା (ଖମ୍ୱପଡା) ସ୍ଥିତ ଶ୍ରୀ ଶ୍ରୀ ବିଶେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଶିବଶକ୍ତି ସାଂସ୍କୃତିକ ଅନୁଷ୍ଠାନ ଆୟୋଜନରେ ଓ ଅଞ୍ଚଳବାସୀଙ୍କ ସହଯୋଗ କ୍ରମେ ଅନୁଷ୍ଠାନର 31ତମ ବାର୍ଷିକ ଉତ୍ସବ ମହାସମାରୋହରେ ସୋମବାର ଦିନ ପାଳିତ ହୋଇଯାଇଛି। ଏଥିପାଇଁ ଉକ୍ତ ଶୈବପୀଠ ପରିସରକୁ ସୁନ୍ଦର ଭାବରେ ସଜ୍ୱିତ କରାଯାଇଥିବା ବେଳେ ସକାଳୁ ସଞ୍ଜ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ଅବସରରେ ମନ୍ଦିର ପରିସରରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଓ ମହିଳାଙ୍କ ସମାଗମ ହୋଇଥିଲା। ସେହିପରି ଅପରାହ୍ନରେ କମିଟିର ସଭାପତି କିର୍ତିଚନ୍ଦ୍ର ମାହାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି, ନର୍ଲା ଜୋନ୍ ନଂ 1ର ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ ମୁଖ୍ୟବକ୍ତା, ନର୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷା ବବିତା ସାହୁ ଓ କମିଟିର ବରିଷ୍ଠ ସଦସ୍ୟ ମକୁନ୍ଦ ଭୋଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ। ମଞ୍ଚ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ହରେକୃଷ୍ଣ ସାହୁ ଓ ହେମନ୍ତ ପୁଟେଲ୍ କରିଥିଲେ, ହରେକୃଷ୍ଣ ସାହୁ ବିବରଣୀ ପ୍ରଦାନ କରିଥିଲେ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଉକ୍ତ ମନ୍ଦିରର ଉନ୍ନତି ଓ ପରିଚାଳନାରେ ସହଯୋଗ କରି ଆସିଥିବା ବଦାନ୍ୟ ବ୍ୟକ୍ତି ମାନଙ୍କୁ ଫୁଲତୋଡା ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସାମ୍ବାଦିକ ଅଜୟ କୁମାର ସେନାପତିଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରି ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ । ଆଉ କିଛିଦିନ ମଧ୍ୟରେ ଉକ୍ତ ମନ୍ଦିର ପର୍ଯ୍ୟଟନସ୍ଥଳୀ ଭାବରେ ଘୋଷଣା ହେବାକୁ ଯାଉଥିବା କମିଟିର ବରିଷ୍ଠ ସଦସ୍ୟ ହରେକୃଷ୍ଣ ସାହୁ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସମସ୍ତ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ମାନେ ସହଯୋଗ କରିଥିଲେ। ଶେଷରେ କମିଟିର ସମ୍ପାଦକ ପ୍ରତାପ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

