ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ, ସକାଳୁ ଜମିଲା ଗ୍ରାହକଙ୍କ ଭିଡ଼

ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ, ସକାଳୁ ଜମିଲା ଗ୍ରାହକଙ୍କ ଭିଡ଼

ବାଲିଗୁଡ଼ା :୨୫/୧୧:(ମନିସ): କାର୍ତ୍ତିକ ମାସର ଧାର୍ମିକ ନିୟମ ଓ ସଂଯମ ପରେ ଆସିଛି ବହୁ ପ୍ରତୀକ୍ଷିତ ଛାଡ଼ଖାଇ। ଏହାକୁ ନେଇ ଆମିଷପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ସକାଳୁ ସକାଳୁ ବାଲିଗୁଡ଼ା ସହରର ବିଭିନ୍ନ ଆମିଷ ବଜାରରେ ଗ୍ରାହକଙ୍କ ଭିଡ଼ ଜମିଥିବା ବେଳେ ବଜାରରେ ସୃଷ୍ଟି ହୋଇଛି ଉତ୍ସବମୁଖର ପରିବେଶ। ଛାଡ଼ଖାଇ ଅବସରରେ ନିଜ ପସନ୍ଦର ଆମିଷ ସାମଗ୍ରୀ କିଣିବା ପାଇଁ ଲୋକେ ସକାଳୁ ବଜାରକୁ ଛୁଟି ଆସିଥିଲେ। ମାଛ, ମାଂସ, ଚିଙ୍ଗୁଡ଼ି, କଙ୍କଡ଼ା ଓ ଅଣ୍ଡା ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଲାଗିଥିଲା। କାଲି ମାର୍ଗଶିର ଗୁରୁବାର ଯୋଗୁଁ କେତେକ ଙ୍କ ଘରକୁ ଆମିଷ ଆସି ନ ଥିବା ଜଣାପଡ଼ିଛି, ସେମାନେ ଶୁକ୍ରବାର ଦିନ ଛାଡ଼ ଖାଇ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି l ବିଶେଷକରି ତାଜା ଚିଙ୍ଗୁଡ଼ି ଓ ଜୀଅନ୍ତା ମାଛ ଓ କଙ୍କଡ଼ା କିଣିବା ପାଇଁ ଗ୍ରାହକଙ୍କ ଅଧିକ ଆଗ୍ରହ ଦେଖିବାକୁ ମିଳିଥିଲା। ଗ୍ରାହକଙ୍କ ଚାହିଦାକୁ ଦେଖି ବ୍ୟବସାୟୀ ମାନେ ମଧ୍ୟ ବିଭିନ୍ନ ପ୍ରକାରର ଆମିଷ ସାମଗ୍ରୀ ଦୋକାନରେ ମହଜୁଦ ରଖିଥିଲେ। ଦୀର୍ଘ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରି ଆମିଷ ଖାଦ୍ୟଠାରୁ ଦୂରେଇ ରହିଥିବା ଲୋକେ ଛାଡ଼ଖାଇରେ ନିଜ ପସନ୍ଦର ଖାଦ୍ୟର ମଜା ନେବାକୁ ପ୍ରସ୍ତୁତ ହୋଇଛନ୍ତି। ଘରେ ଘରେ ଚାଲିଥିଲା ବିଭିନ୍ନ ସ୍ୱାଦିଷ୍ଟ ଆମିଷ ବ୍ୟଞ୍ଜନ ପ୍ରସ୍ତୁତିର ଆୟୋଜନ। କେଉଁଠି ମାଛ ତରକାରୀ ତ ଆଉ କେଉଁଠି ଚିଙ୍ଗୁଡ଼ି ଓ କଙ୍କଡ଼ାର ସ୍ୱତନ୍ତ୍ର ବ୍ୟଞ୍ଜନ ମଧ୍ୟ ହୋଇଥିଲା l ଅନ୍ୟପକ୍ଷରେ ଛାଡ଼ଖାଇର ଚାହିଦାକୁ ନେଇ ଆମିଷ ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟ ଖୁସିର ମାହୋଲ ଦେଖାଦେଇଛି। ସକାଳଠାରୁ ଗ୍ରାହକଙ୍କ ଭିଡ଼ ଲାଗି ରହିଥିବାରୁ ବ୍ୟବସାୟ ଭଲ ହୋଇଥିବା ଦେଖିବାକୁ ମିଳିଥିଲା। ସାମଗ୍ରିକ ଭାବେ ଛାଡ଼ଖାଇକୁ ନେଇ ବାଲିଗୁଡ଼ାରେ ଆମିଷ ବଜାରଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ ପରିଲକ୍ଷିତ ହୋଇଛି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଭା ପକ୍ଷରୁ ବିଶାଳ ସଭା ଅନୁଷ୍ଠିତ

ରାଜ୍ୟ ସ୍ତରୀୟ ଯୋଗ ପ୍ରତି ଯୋଗିତାରେ ଭାଗନେବେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ 

Sunil Chandra Nayak

ଘୋଷଯାତ୍ରା ଲୋକ ମହୋତ୍ସବ ଉଦ୍ ଯାପିତ

masiha

Leave a Comment

error: Content is protected !!