ରାଜା ଶାନ୍ତୁନୁ ଗଙ୍ଗାଙ୍କର କେଉଁ ସର୍ତ୍ତ ପାଳନ କରିବାକୁ ରାଜିହେଲେ ଓ କାହିଁକି
ଅତି ପ୍ରାଚୀନ କାଳର କଥା ସେତେବେଳେ ଆମଦେଶ ଭାରତ ବର୍ଷରେ କେବଳ ଦୁଇଟି ବଂଶର ରାଜାମାନେ ରାଜତ୍ଵ କରୁଥିଲେ । ଏହି ଦୁଇଟି ରାଜବଂଶ, ସୂର୍ଯ୍ଯବଂଶ ଓ ସୋମବଂଶ ନାମରେ ଖ୍ଯାତ ଥିଲା । ସୋମବଂଶରେ ଏକଦା ଜଣେ ବିଖ୍ୟାତ ରାଜା ଥିଲେ, ଯାହାଙ୍କ ନାମ ଥିଲା କୁରୁ । କାଳକ୍ରମେ ରାଜା କୁରୁଙ୍କର ବଂଶଧରମାନେ କୌରବ ନାମରେ ଖ୍ଯାତି ଲାଭ କରିଥିଲେ । ସେହି ବଂଶରେ ଶାନ୍ତୁନୁ ନାମରେ ଜଣେ ମହାନ୍ ରାଜା ରାଜତ୍ୱ କରୁଥିଲେ,ଯାହାଙ୍କର ଅଦ୍ଭୁତ ଜୀବନଗାଥାରୁ ଆରମ୍ଭ ଏହି ଅନନ୍ଯ ମହାକାବ୍ଯ ମହାଭାରତ ଏବଂ ଏହି ମହାଭାରତର ଏକ ଅଂଶବିଶେଷ ହେତୁ ସକଳ ଶାସ୍ତ୍ର ମଧ୍ୟରେ ସାର ଅଟେ ଶ୍ରୀମଦଭଗବତଗୀତା,ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିସୃତ ବାଣୀ ।
ପିତା ସ୍ବର୍ଗାରୋହଣ କରିବା ପରେ ରାଜକୁମାର ଶାନ୍ତୁନୁ ଯେକି ବୃଦ୍ଧ ରାଜାଙ୍କର ଏକମାତ୍ର ପୁତ୍ର ଥିଲେ, ସେ ରାଜସିଂହାସନରେ ଅଧିଷ୍ଠିତ ହୁଅନ୍ତି । ସର୍ବଗୁଣରେ ବିଭୂଷିତ ରାଜା ଶାନ୍ତୁନୁ ଥିଲେ ଅତ୍ଯନ୍ତ ପ୍ରଜାବତ୍ସଳ । ତାଙ୍କ ରାଜତ୍ୱ କାଳରେ ଦେଶ ଧନଧାନ୍ୟରେ ପରିପୂର୍ଣ୍ଣ ଥିଲା । ତାଙ୍କର ଗୁଣ ଥିଲା ଯେପରି, ରୂପ ମଧ୍ୟ ଥିଲା ସେହିପରି ଅନନ୍ଯ । ଦିନେ ଗଙ୍ଗାନଦୀ କୂଳରେ ଭ୍ରମଣ କରୁଥିବା ସମୟରେ ଏକ ଅଲୌକିକ ଘଟଣା ଦେଖି ସ୍ତବ୍ଧ ହୋଇଗଲେ । ନଦୀର ଜଳ ମଧ୍ଯରୁ ଜଣେ ଅନିନ୍ଦ୍ୟ ସୁନ୍ଦରୀ ଯୁବତୀ ଆବିର୍ଭୂତା ହେଵାର ସେ ଦେଖିବାକୁ ପାଇଲେ । ସକଳ ସୌନ୍ଦର୍ଯ୍ୟରେ ଭରା ଏହି ଯୁବତୀ କୂଳକୁ ଚାଲି ଆସିଲେ । ରାଜା ଭାବିଲେ, ୟେ ହୁଏତ ସ୍ବର୍ଗର ଜଣେ ଅପସରା ହୋଇଥିବେ । ଏପରି ସୁନ୍ଦରୀ ରମଣୀ ରାଜା ଇତିପୂର୍ବରୁ କେଉଁଠି ଦେଖି ନ ଥିଲେ । ଶାନ୍ତୁନୁ ଆଶ୍ଚର୍ଯ୍ୟଚକିତ ହୋଇ ନିର୍ନିମେଷ ନୟନରେ ଚାହିଁ ରହିଥିଲେ ସେହି ସୁନ୍ଦରୀ ରମଣୀଙ୍କୁ । ରାଜା ପ୍ରେମାସକ୍ତ ହୋଇ ପଡିଥିଲେ । ସେ ଧୀର ପଦବିକ୍ଷେପରେ ସେହି ରମଣୀଙ୍କ ନିକଟରେ ପହଞ୍ଚି ଧୀର ଗଳାରେ ପଚାରିଲେ, ତୁମେ କିଏ ଦେବୀ ? ବୀଣବିନିନ୍ଦିତ କଣ୍ଠରେ ଉତ୍ତର ଶୁଣାଗଲା, ମୁଁ ହେଉଛି ଗଙ୍ଗା । ରାଜା ମୁଗ୍ଧ ନୟନରେ ଚାହିଁ ରହି ନିଜର ପରିଚୟ ପ୍ରଦାନ କରି କହିଲେ, ମୁଁ ହେଉଛି ଗଙ୍ଗା । ରାଜା ମୁଗ୍ଧ ନୟନରେ ଚାହିଁ ରହି ନିଜର ପରିଚୟ ପ୍ରଦାନ କରି କହିଲେ, ମୁଁ ହେଉଛି ଏ ଦେଶର ରାଜା ଶାନ୍ତୁନୁ । ମୁଁ ଅବିବାହିତ ରହିଥିବା କାରଣରୁ ତୁମକୁ ମୋର ଅର୍ଦ୍ଧାଙ୍ଗିନୀ କରିବାକୁ ଇଚ୍ଛା କରୁଛି । ହେ ଦେବୀ, ତୁମର ଅପରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ମୁଁ ତୁମକୁ ଭଲପାଇ ବସିଛି । ମୋର ଧର୍ମପତ୍ନୀ ହୋଇ ମୋର ମନୋରଥ ପୂର୍ଣ୍ଣ କରିବ । ରାଜା ଉତ୍କଣ୍ଠିତ ହୋଇ ଉତ୍ତର ଅପେକ୍ଷାରେ ରହିଲେ ।
ଗଙ୍ଗା ଉତ୍ତର ଦେଲେ, ହେ ରାଜନ୍ , ମୁଁ ମଧ୍ୟ ତୁମର ପୁରୁଷୋଚିତ ବ୍ଯବହାର ଏବଂ ରୂପ ଓ ଗୁଣରେ ମୁଗ୍ଧ ହୋଇଛି । ମନୁଷ୍ୟଲୋକରେ ତୁମେ ହେଉଛ ଜଣେ ଶ୍ରେଷ୍ଠ ରାଜା । ମୁଁ ତୁମର ଧର୍ମପତ୍ନୀ ହେଵାକୁ ସମ୍ମତି ଦେଉଛି ସତ, କିନ୍ତୁ ଏଥିଲାଗି ତୁମକୁ ଗୋଟିଏ ସର୍ତ୍ତ ପାଳନ କରିବାକୁ ପଡିବ । ତୁମେ ପ୍ରତିଶ୍ରୁତି ଦେଲେ ମୁଁ ତୁମର ପତ୍ନୀ ହେବି ।
ସେହି ପ୍ରଶ୍ନଟି କ’ଣ ? ରାଜା ପଚାରିଲେ ।
ଗଙ୍ଗା ସହାସ୍ଯ ବଦନରେ କହିଲେ, ହେ ରାଜନ୍ , ସର୍ତ୍ତଟି ହେଉଛି, ମୁଁ ତୁମର ପତ୍ନୀ ରୂପୂ ସମସ୍ତ ସାଂସାରିକ ରୀତିନୀତି ପାଳନ କରି ଚଳିବି, କିନ୍ତୁ ମୋର କୌଣସି କାର୍ଯ୍ୟରେ ତୁମେ ହସ୍ତକ୍ଷେପ କରିବ ନାହିଁ କିମ୍ବା ଏଥିଲାଗି ବିରକ୍ତି ପ୍ରକାଶ କରି କୌଣସି କର୍କଶ କଥା ମୋତେ କହିବ ନାହିଁ । ଏହାର ଅନ୍ଯଥା ହେଲେ, ମୁଁ ତତକ୍ଷଣାତ୍ ତୁମକୁ ପରିତ୍ଯାଗ କରି ଚାଲିଯିବି । ଗଙ୍ଗାଙ୍କ ପ୍ରେମରେ ପାଗଳ ହୋଇ ଯାଇଥିବା ରାଜା ଶାନ୍ତୁନୁ ଏହି ସର୍ତ୍ତରେ ରାଜି ହୋଇ ଗଲେ ଏବଂ ଭାବୀ ପତ୍ନୀଙ୍କୁ ସଙ୍ଗରେ ଧରି ରାଜପ୍ରାସାଦକୁ ଫେରି ଆସିଲେ । ମହାସମାରୋହରେ ଗଙ୍ଗାଙ୍କ ସହିତ ଶାନ୍ତୁନୁଙ୍କର ଶୁଭ ପରିଣୟ ସମ୍ପନ୍ନ ହେଲା । ଏହି ଉପଲକ୍ଷେ ରାଜଧାନୀ ହସ୍ତିନାପୁର ଉତ୍ସବ ମୁଖରିତ ହୋଇ ଉଠିଲା । ବିବାହିତ ଜୀବନରେ ସେମାନଙ୍କ ଔରସରୁ ପ୍ରଥମ ସନ୍ତାନଟିକୁ ଧରି ଗଙ୍ଗା ଯେତେବେଳେ ନଦୀ ଗର୍ଭରେ ଫିଙ୍ଗି ଦେଇ ଆସିଲେ, ପତ୍ନୀଙ୍କର ଏତାଦୃଶ କାର୍ଯ୍ୟ ଦେଖି ରାଜା ଘୋର ମର୍ମାହତ ହେଲେ ; କିନ୍ତୁ ବିବାହ ପୂର୍ବ ସର୍ତ୍ତ କଥା ସ୍ମରଣ କରି ମାନସିକ ଯନ୍ତ୍ରଣାକୁ ଚାପିରଖି ନୀରବ ରହିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଶିଶୁକୁ ଜନ୍ମ ଦେଇ ଗଙ୍ଗା ନିଜ ଜନ୍ମିତ ସନ୍ତାନକୁ ନଦୀ ଗର୍ଭରେ ଫିଙ୍ଗି ଦେବାରେ ଲାଗିଲେ । ସେତେବେଳେକୁ ସାତଟି ଶିଶୁଙ୍କର ପ୍ରାଣନାଶ ହୋଇ ସାରିଥାଏ । ତଥାପି ରାଜା ପଦେ ହେଲେ ବି ପାଟି ଖୋଲି କିଛି କହୁ ନ ଥାନ୍ତି । ଏକ ପକ୍ଷରେ ପତ୍ନୀଙ୍କ ପ୍ରତି ମୋହ ଆଉ ଅନ୍ୟ ପକ୍ଷରେ ନବଜାତ ସନ୍ତାନମାନଙ୍କର ପ୍ରାଣ ନାଶ, ଏହି ପ୍ରକାର ଅବସ୍ଥା ମଧ୍ୟରେ ଥାଇ ଶାନ୍ତୁନୁ ଘୋର ମନସ୍ତାପରେ ରହିଥାନ୍ତି ।
ଯେତେବେଳେ ଅଷ୍ଟମ ସନ୍ତାନଟି ଜନ୍ମ ହୁଏ ଏବଂ ଗଙ୍ଗା ସେହି ନବଜାତ ଶିଶୁଟିକୁ ହାତରେ ଧରି ନଦୀ ଗର୍ଭକୁ ନିକ୍ଷେପ କରିବାକୁ ବାହାରନ୍ତି,ସେତେବେଳେ ରାଜା ଶାନ୍ତୁନୁ ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ସେ ନିଜ କ୍ରୋଧ ସମ୍ବରଣ କରି ନ ପାରି କର୍କଶ ଗଳାରେ କହି ଉଠିଲେ, ତୁମେ ଏସବୁ କ’ଣ କରୁଛ ନାରୀ ? ଏ ପର୍ଯ୍ୟନ୍ତ ନିଜ ଗର୍ଭଜାତ ସାତଟି ସନ୍ତାନର ପ୍ରାଣନାଶ କରି ସାରିଲଣି । ତୁମକୁ ମୁଁ ଯାହା ବୋଲି ବିଚାରି ନିଜର ପତ୍ନୀ ରୂପେ ଗ୍ରହଣ କରିଥିଲି, ବର୍ତ୍ତମାନ ଦେଖୁଛି ତୁମେ ତା’ର ସମ୍ପୂର୍ଣ୍ଣ ବିପରୀତ । ମୋର ଏହି ଅଷ୍ଟମ ପୁତ୍ର ସନ୍ତାନଟିକୁ ମୁଁ କଦାପି ମୃତ୍ୟୁ ମୁଖରେ ପଡିବାକୁ ଦେବି ନାହିଁ । ତୁମର ଆଚରଣ ମୋତେ କ୍ଷୁବ୍ଧ କରିଛି । ଆଜି ମୋର ଧୈର୍ଯ୍ୟଚ୍ଯୁତି ଘଟିଛି । ତୁମେ ପ୍ରକୃତରେ କିଏ ମୋତେ କୁହ । ଏହା କହି ରାଜା ବଳପୂର୍ବକ ଗଙ୍ଗାଙ୍କ ହାତରୁ ଶିଶୁଟିକୁ ଛଡାଇ ନେଇଥିଲେ । ଏଥିପାଇଁ ଗଙ୍ଗା ତିଳେମାତ୍ର କ୍ରୋଧ ପ୍ରକାଶ ନକରି ସହାସ୍ଯ ବଦନରେ ପତିଙ୍କୁ ସମ୍ବୋଧନ କରି କହିଲେ, ହେ ରାଜନ୍, ତୁମେ କ’ଣ ପୂର୍ବ ପ୍ରତିଶ୍ରୁତି ଭୁଲିଗଲ ? ତୁମେ ପରା କହିଥିଲ ମୋ କାର୍ଯ୍ୟରେ ହସ୍ତକ୍ଷେପ କରିବ ନାହିଁ ବୋଲି ? ତୁମେ ଯେହେତୁ ତୁମର ପ୍ରତିଶ୍ରୁତି ପାଳନ କଲ ନାହିଁ, ତେଣୁ ମୁଁ ଆଉ ତୁମ ସଙ୍ଗରେ ରହିପାରିବି ନାହିଁ । ମୁଁ ଏଇ ମୁହୂର୍ତ୍ତରେ ତୁମକୁ ପରିତ୍ୟାଗ କରି ଚାଲିଯାଉଛି ।
ଗଙ୍ଗା ଚାଲିଯିବାକୁ ଉଦ୍ଯତ ହେଉଥିବା ସମୟରେ ଶାନ୍ତୁନୁ ପତ୍ନୀଙ୍କ ସମ୍ମୁଖରେ ବାଟ ଓଗାଳି ଛିଡା ହୋଇ ବାଷ୍ପରୁଦ୍ଧ କଣ୍ଠରେ କହିଲେ, ତୁମେ ଏତେ ନିର୍ଦ୍ଦୟ ବୋଲି ମୁଁ ଜାଣି ନ ଥିଲି । ତୁମେ ଏପର୍ଯ୍ୟନ୍ତ ଯେଉଁ ପ୍ରକାର ଅମାନୁଷିକ କାର୍ଯ୍ୟ କରିଛ, ସେଥିରେ ମୁଁ ଆଜି ପର୍ଯ୍ୟନ୍ତ ତିଳେମାତ୍ର ବାଧା ଦେଇ ନ ଥିଲି । କିନ୍ତୁ ବର୍ତ୍ତମାନ ଆଉ ସହ୍ଯ କରିପାରୁ ନାହିଁ । ମୋ ନିଜ ଆଖି ଆଗରେ ମୋ ସନ୍ତାନର ପ୍ରାଣନାଶ ଆଉ ଦେଖି ପାରିବି ନାହିଁ । ତୁମେ ଅତ୍ଯନ୍ତ ନିଷ୍ଠୁର । ତା’ ନ ହେଲେ ମା’ ହୋଇ ନିଜ ଜନ୍ମିତ ଶିଶୁର ପ୍ରାଣନାଶ କରୁଥାଆନ୍ତ ?
ଏହା କହି ରାଜା ଅଶ୍ରୁପାତ କରିବାକୁ ଲାଗିଲେ । ରାଜାଙ୍କର ଏପରି ହୃଦୟବିଦାରକ ଅବସ୍ଥା ଦେଖି ଗଙ୍ଗାଙ୍କର କଠୋର ହୃଦୟ ତରଳି ଯାଇଥିଲା । ସେ ରାଜାଙ୍କୁ ଚାହିଁ ଧୀର ଗଳାରେ କହିଲେ, ହେ ରାଜନ୍, ମୁଁ ଚାଲିଯିବା ପୂର୍ବରୁ ସମସ୍ତ ବୃତ୍ତାନ୍ତ ଆଜି ତୁମ ସମ୍ମୁଖରେ ପ୍ରକାଶ କରୁଛି । ଏହି ଯେଉଁ ଆଠଟି ପୁତ୍ର ସନ୍ତାନ ଆମ ଔରସରୁ ଜନ୍ମ ହେଲେ, ଏମାନେ ହେଉଛନ୍ତି ଅଭିଶାପଗ୍ରସ୍ତ ଦେଵତା ଅଷ୍ଟବସୁ । ଏମାନେ ମର୍ତ୍ତ୍ଯଲୋକରେ ଜନ୍ମ ହେବେ ବୋଲି ବଶିଷ୍ଠ ଋଷିଙ୍କଠାରୁ ଅଭିଶାପ ପାଇଥିଲେ । ଋଷିଙ୍କ ଅଭିଶାପରୁ ମୁକ୍ତ ହେବା ପାଇଁ ଏହି ଆଠ ଭାଇ ମୋ ନିକଟରେ ପ୍ରାର୍ଥନା କରିଥିଲେ । ତେଣୁ ଏହି ଅଷ୍ଟବସୁଙ୍କୁ ଋଷିଙ୍କ ଅଭିଶାପରୁ ମୁକ୍ତ କରିବା ସକାଶେ ସେମାନଙ୍କର ଜନନୀ ହେବା ଲାଗି ମୁଁ ମାନବୀ ରୂପ ଧାରଣ କରିଥିଲି । ନଦୀଗର୍ଭକୁ ନିକ୍ଷେପ କରି ମୁଁ ସାତଜଣ ବସୁଙ୍କୁ ଅଭିଶାପରୁ ମୁକ୍ତ କରିଦେଇଛି । ଆଉ ଏହି ଅଷ୍ଟମ ଶିଶୁଟିକୁ ତୁମେ ଧରିଛ, ସେ ଏହି ମର୍ତ୍ତ୍ଯଲୋକରେ ରହିଯିବ । ନରଲୋକରେ ଅଷ୍ଟବସୁଙ୍କର ପିତା ହେବା ଭଳି ଜଣେ ପୁରୁଷ ଆଉ କିଏ ଥିଲେ ? ତେଣୁ ମୁଁ ତୁମକୁ ପତିରୂପେ ଗ୍ରହଣ କରିଥିଲି । ତୁମେ ମୋତେ ଏହି ଶିଶୁଟିକୁ ଦେଇଦିଅ, ମୁଁ ଲାଳନ ପାଳନ କରି ତାକୁ ବଡ଼ କରିବା ପରେ ତୁମ ହାତରେ ଅର୍ପଣ କରିଦେବି । ମର୍ତ୍ତ୍ଯଲୋକରେ ଏହି ଶିଶୁ ପରବର୍ତ୍ତୀ କାଳରେ ସର୍ବଜନପୂଜ୍ଯ ହୋଇ ରହିବ । ଶାନ୍ତୁନୁ ଗଙ୍ଗାଙ୍କ ହାତରେ ଶିଶୁଟିକୁ ଧରାଇ ଦେଇଥିଲେ । ଲୁହ ଛଳ ଛଳ ଆଖିରେ ବିଦାୟ ନେଇ କ୍ଷଣକରେ ଗଙ୍ଗା ଅଦୃଶ୍ୟ ହୋଇଯାଇଥିଲେ । ଶାନ୍ତୁନୁ ଭଗ୍ନ ହୃଦୟରେ ଅଶ୍ରୁପାତ କରିବାରେ ଲାଗିଲେ । ଦେବୀ ଗଙ୍ଗା ଯେ ମର୍ତ୍ତ୍ଯଲୋକରେ ତାଙ୍କର ପତ୍ନୀରୂପେ ଏତେକାଳ ରହିଥିଲେ, ତାହା ଭାବି ଶାନ୍ତୁନୁଙ୍କର ବିସ୍ମୟର ସୀମା ରହି ନ ଥିଲା । ଇତି…..(କ୍ରମଶଃ)
ସଂଗ୍ରାହକ — କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ–ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର