ବାଲେଶ୍ଵର,୧୨/୬/୨୨- ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ମନସ୍କ କରାଇବା, ପୁସ୍ତକ ପ୍ରତି ଆଗ୍ରହ ବଢାଇବା ଓ ସେମାନଙ୍କ ହାତ ପାହାନ୍ତାରେ ପୁସ୍ତକ ପହଞ୍ଚାଇବା ତଥା ଶିଶୁ ସାହିତ୍ୟର ବିକାଶ ଉଦ୍ଦେଶ୍ୟରେ କାର୍ଯ୍ୟରତ ବରଗଡ଼ର ‘ ଶିଶୁଶ୍ରୀ ‘ ଭ୍ରାମ୍ୟମାଣ ପାଠାଗାର ଆନୁକୁଲ୍ୟରେ ଆୟୋଜିତ ‘ ପିଲାଙ୍କ ପାଖରେ ପାଠାଗାର ‘ର ରାଜ୍ୟ ପରିକ୍ରମା କାର୍ଯ୍ୟକ୍ରମ ବାଲେଶ୍ଵର ସ୍ଥିତ ଡ୍ରିମ୍ସ ଆଇଡିଆଲ୍ ଆବାସିକ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଗଙ୍ଗାଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମନୁଷ୍ୟକୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ତେଣୁ ଛାତ୍ରଛାତ୍ରୀ ମାନେ ଉପାଦେୟ ପୁସ୍ତକ ମାନ ପଢ଼ିବାର ଅଭ୍ୟାସ ଜାରି ରଖିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ଦାଶ ପୁସ୍ତକ ବ୍ୟକ୍ତିର ସୃଜନାତ୍ମକ ଜ୍ଞାନର ବିକାଶ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟିକ ଭାବଗ୍ରାହୀ ମହାନ୍ତି ପୁସ୍ତକ ସହ ବନ୍ଧୁତା ସ୍ଥାପନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ରେହେନା ବେଗମ୍, ବେବିଶ୍ରୀ ଗିରି ଓ ନୀତି ସୁଦ୍ଧା ଦାଶ ଛାତ୍ର ଜୀବନରେ ପାଠାଗାର ଓ ପୁସ୍ତକର ଉପାଦେୟତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ । ଶିଶୁ ଶ୍ରୀ ପାଠାଗାରର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଭ୍ରାମ୍ୟମାଣ ପାଠାଗାରର ଉଦ୍ଦେଶ୍ୟ ଓ ଲକ୍ଷ ସମ୍ପର୍କରେ ସୂଚନା ପ୍ରଦାନ କରି ରାଜ୍ୟ ପରିକ୍ରମା ସମ୍ପର୍କରେ ସୂଚନା ଦେଇଥିଲେ । ପୁସ୍ତକ ପଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଋତୁପର୍ଣ୍ଣା ବେହେରା, ସୁଚିସ୍ମିତା ବେହେରା ଓ ପଦ୍ମିନୀ ଦଳାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ