ପ୍ରତିବାଦ
ଶ୍ଯାମା ପ୍ରସାଦ୍ ବୋଷ୍
ପ୍ରତିବାଦ କରି ଶିଖିନି ଜୀବନେ
ତେଣୁ ଦୁଃଖ କଷ୍ଟ ସହେ
ମନ କଥା ସବୁ ମନେ ଚାପି ଦେଇ
ନିରବରେ ପରା ରହେ ।
ପ୍ରତିବାଦ କରି କି ଲାଭ ମିଳିବ
ଅଯଥା ରେ ଶତ୍ରୁ ହୁଏ
ତେଣୁ ପ୍ରତିବାଦ କରେ ନାହିଁ କେବେ
ସର୍ବଦା ମଉନ ରହେ ।
ବିନା ପ୍ରତିବାଦେ ସର୍ବସ୍ବ ଛାଡଇ
ଭାଗ୍ୟ କୁ ଆଦରି ନିଏ
ଭାଗ୍ୟ ବିନା ପଥ ଅଛି କିବା କାହିଁ
ପ୍ରତିବାଦ ଭୁଲି ଯିଏଁ ।
ନିଜ ସ୍ବାର୍ଥ ପାଇଁ ପ୍ରତିବାଦ କେବେ
ଜୀବନରେ କରି ନାହିଁ
ନ୍ୟାୟ ପାଇଁ କିନ୍ତୁ ପ୍ରତିବାଦ କରେ
ପର ଉପକାରେ ଚାହିଁ ।
ଅନ୍ଯାୟ କାର୍ଯ୍ୟରେ ପ୍ରତିବାଦ କର
ଦୁଃଖୀ ରଙ୍କି ଙ୍କର ପାଇଁ
ସମୁହ ସ୍ବାର୍ଥରେ ପ୍ରତିବାଦ କଲେ
ସହାୟ ଜଗତ ସାଇଁ ।
ଅନ୍ଯାୟ ଅନୀତି ଦୁଷ୍କର୍ମ ଦୁର୍ନୀତି
ଦେଖି ପ୍ରତିବାଦ କରେ
ନହଲେ ଜୀବନେ ଜୀଇଁ କିବା ଲାଭ
ଥାଏ ମନ ଭାବନାରେ ।
ପ୍ରତିବାଦ କରି ନଷ୍ଟ ଭ୍ରଷ୍ଟ କଲେ
କି ଯଶ ବା ଅରଯିବି
ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରି
ସଭିଙ୍କର ପ୍ରିୟ ହେବି ।
ଶ୍ଯାମା ପ୍ରସାଦ୍ ବୋଷ୍
ବେଗୁନିଁଆ , ମଲ୍ଲୀକ୍ ସାହି
ଗୋପ୍ ,ପୁରୀ