ଲୋହିତ ଗୋଧୂଳି
କାଙ୍ଗାଳୀଚରଣ ସେଠୀ
ନୀଳ ଚକ୍ରବାଳେ ଲୋହିତ ଗୋଧୂଳି
କିଏ ସେଇ ଚିତ୍ରକର
ସଜେଇ ଦେଇଛି ରଙ୍ଗିନ ତୂଳୀରେ
କ୍ଷିତି ଆକାଶ ଉପର
ନୈସର୍ଗିକ ଶିରି ସୁଷମା
ଶବଦ ବି ଏଠି ସ୍ତବ୍ଧ ହୋଇଯିବ
ବର୍ଣ୍ଣିବାକୁ ତାର ଉପମା (୧)
ଲାଲ। ସୂର୍ଯ୍ୟ ବିନ୍ଦି ସନ୍ଧ୍ୟା ବଧୂ ପିନ୍ଧି
ଲହରେ ପଣତ କାନି
ମୀନା କରାତାରା ଉତ୍ତରୀୟ ପରା
ସନ୍ଧ୍ୟା ତାରା ମଥା ମଣୀ
ବିଶ୍ଵ ନିୟନ୍ତାର କଳ୍ପନା
ଦୂର ତାଳ ବନୁ ଭାସି ଆସେ କାର
ମୋହନ ମୂରଲୀ ମୂର୍ଚ୍ଛନା (୨ )
ମନମତାଣିଆ ଜୋଛନାର ସାଥେ
ଫୁଲ ମଉଛବ ରଚନା
ମଧୁ ମଳୟର ମହୁଆ ମହକ
ସଜ ଶେଫାଳୀର ବାସନା
ଗୋଧୂଳି ଗଗନ ତଳେ
ଅତୁଳନୀୟ ସେ ଚିତ୍ର ବଇଭବ
ଚଉରାରେ ଦୀପ ଜଳେ (୩)
ସ୍ନିଗ୍ଧ ମଧୁ ଓଠେ ପଲ୍ଲୀ ବଧୂ ହସେ
ନଦୀକୂଳେ ସାଙ୍ଗ ମେଳେ
ରକ୍ତାଭ ସୂର୍ଯ୍ୟର ରକ୍ତିମ ଆଭାରେ
ସପନ ଭଉଁରୀ ଖେଳେ
କାଖରେ କଳସ ଧରି
ଲେଉଟି ଚାହାଁନ୍ତେ ମୀନ ନୟନାର
ତନୁଶିରି ଦିଏ ଘାରି (୪)
ଶମ୍ଭୁଆଳେ କମ୍ବୁ ଶବଦ ଶୁଭଇ
ବାହୁଡନ୍ତି ପକ୍ଷୀଗଣ
ଓଁକାର ଶବ୍ଦରେ ତ୍ରିସନ୍ଧ୍ୟା କମ୍ପଇ
ତନୁ ମନେ ଶିହରଣ
ଲୋହିତ ଗୋଧୂଳି ଏବେ
ଲିଭ ଲିଭି ଯାଏ ପ୍ରତୀଚୀ ଗଗନୁ
ଲିଭେନି ମନରୁ କେବେ (୫)