କିପରି ଭଗବାନ ଶିବ ସର୍ବତ୍ର ବିଦ୍ଯମାନ, ଆସନ୍ତୁ ଜାଣିବା
ହିନ୍ଦୁ ଧର୍ମରେ ଆପଣ ଯେତେ ବେଦ ଓ ପୁରାଣ ପଢିବେ ସେତିକି ଶାନ୍ତି ଅନୁଭବ କରିବେ । ଏହା ଭିତରେ ବହୁତ ରହସ୍ଯ ମଧ୍ୟ ଲୁଚି ରହିଛି । ଅଧିକାଂଶ ଲୋକଙ୍କ ଧାରଣା ଏହା ଯେ, ଶିବ ହିଁ ଶଙ୍କର ଅଟନ୍ତି । ତେଵେ ବେଦ ପୁରାଣ ପଢିବା ଦ୍ବାରା ଆମେ ଜାଣିପାରିବା ଯେ, ପ୍ରକୃତରେ ସତ୍ୟ କ’ଣ ? ଦୁନିଆରେ ବହୁତ ଲୋକ ଶିବ ଏବଂ ଶଙ୍କରଙ୍କୁ ଏକ ବୋଲି ବିଶ୍ୱାସ କରନ୍ତି । ପ୍ରକୃତ ପୌରାଣିକ କଥା ହେଉଛି ଶଙ୍କର ଭଗବାନଙ୍କୁ ମହେଶ ମଧ୍ୟ କୁହାଯାଏ । ତ୍ରିମୂର୍ତ୍ତିଙ୍କ ମଧ୍ୟରେ ମହେଶ ଅନ୍ତର୍ଭୁକ୍ତ । ବ୍ରହ୍ମା, ବିଷ୍ଣୁ ଏବଂ ମହେଶ । ଏହି ତ୍ରିମୂର୍ତ୍ତିଙ୍କର ଆକାର ରହିଛି । ଯେପରିକି ବ୍ରହ୍ମା ପଦ୍ମ ସହିତ ଦୃଶ୍ୟ ହୁଅନ୍ତି, ବିଷ୍ଣୁ ସୁଦର୍ଶନ ସହ ଏବଂ ମହେଶ ତ୍ରିଶୂଳ ସହିତ ଦୃଶ୍ୟମାନ ହୋଇଥାନ୍ତି । ଏହିପରି ଭାବେ ଶଙ୍କର ଭଗବାନ ମଧ୍ୟ ଏକ ଆକାର ଅଟନ୍ତି । ଯାହାଙ୍କ କାର୍ଯ୍ୟ ବିନାଶ କରିବା । ଏ ସବୁଠାରୁ ଉର୍ଦ୍ଧ୍ବରେ ରହନ୍ତି ଭଗବାନ ଶିବ ଯାହାଙ୍କର କୌଣସି ଆକାର ନାହିଁ । ଏହା ଅନନ୍ତ ସୃଷ୍ଟିର ରହସ୍ଯ ଅଟେ । ତାଙ୍କ ପୂଜା ଲିଙ୍ଗ ରୂପରେ କରାଯାଏ । ଶିବଲିଙ୍ଗ ଉପରେ ତିନୋଟି ରେଖା ଦେଖିବାକୁ ମିଳେ । ଏହି ତିନି ରେଖାର ଅର୍ଥ ହେଲା ତ୍ରିନେତ୍ରୀ, ତ୍ରିକାଳଦର୍ଶୀ ଏବଂ ତ୍ରିଲୋକ୍ଯନାଥ । ତ୍ରିନେତ୍ରୀ ଅର୍ଥ ହେଉଛି ଜ୍ଞାନ । ତ୍ରିକାଳଦର୍ଶୀର ଅର୍ଥ ଯିଏ ସମୟର ତିନି ଭାଗକୁ ଦେଖିପାରନ୍ତି । ସେହିପରି ତ୍ରିଲୋକ୍ଯନାଥର ଅର୍ଥ ହେଲା ତିନି ଲୋକର ଭଗବାନ । ଯଦି ଆମେ ପୁରାଣ ଶାସ୍ତ୍ର ଅଧ୍ଯୟନ କରିବା, ତା ହେଲେ ଜାଣି ପାରିବା ଯେ, ଭଗବାନ ଶିବ ନିରାକାର ଅଟନ୍ତି ଏବଂ ତାଙ୍କର କୌଣସି ଆକାର ନାହିଁ । ତାଙ୍କର କୌଣସି ରୂପ ନାହିଁ । ସମସ୍ତେ ଦିନେ ନା ଦିନେ ସେହିଠାରେ ଲୀନ ହେବେ । ତାଙ୍କୁ ହିଁ ସଦାଶିବ କୁହାଯାଏ । ଶଙ୍କର ଭଗବାନ ମଧ୍ୟ ଭଗବାନ ଶିବଙ୍କର ଏକ ଅଂଶ ଅଟନ୍ତି । ତେବେ ଆଜିର ଭୌତିକ ଦୁନିଆରେ ଶଙ୍କର ଭଗବାନଙ୍କୁ ମଧ୍ୟ ନିଜ କାମ କରିବାକୁ ପଡୁଛି । କିନ୍ତୁ ଭଗବାନ ଶିବ ସର୍ବତ୍ର ବିଦ୍ଯମାନ ।।