ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ନର୍ଲାରେ ଡାକ୍ତର ସମସ୍ୟା, ସମାଧାନ ହେବ କେବେ ?

ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବଢୁଛି ଜନ ଅସନ୍ତୋଷ

ରୁପ୍ରା, (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ନର୍ଲା ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିବା ବେଳେ ଏହା ଅଧିନରେ ରହିଛି ୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୧୯ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର । ଆୟତନ ଦୃଷ୍ଟିରୁ ନର୍ଲାବ୍ଲକ୍ ଅଧିନରେ ୨୬ ଗୋଟି ଗ୍ରାମ ପଞ୍ଚାୟତ ବିଶିଷ୍ଟ ଏକ ବଡ ବ୍ଲକ୍ ଅଟେ । ରୁପ୍ରା, ରୁପ୍ରାରୋଡ, ଉଲିକୁପା ଓ ପଲମ ଏହି ୪ ଗୋଟି ସ୍ଥାନରେ ରହିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ହେଲେ ଡାକ୍ତର ନାହାନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ବୋଲି ଘୋଷଣା କରିସାରିଥିବା ବେଳେ ଡାକ୍ତର ନଥିବା ଯୋଗୁଁ ଦୀର୍ଘ ଦିନରୁ ଅବହେଳିତ ହୋଇ ପଡି ରହିଛି ରୁପ୍ରାରୋଡ, ରୁପ୍ରା ଓ ଉଲିକୁପା ସ୍ୱାସ୍ଥ୍ୟ କେନ୍ଦ୍ର । କେବଳ ଜଣେ ଜଣେ ଫାର୍ମାଶିଷ୍ଟ ଓ ଆୟୁଷ ଡାକ୍ତର ଭରଷାରେ ଚାଲିଛି ଉପରୋକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଅନ୍ୟପକ୍ଷେ ନର୍ଲା ସ୍ୱାସ୍ଥ୍ୟ ସେବାର ଏଭଳି ଦୟନୀୟ ପରିସ୍ଥିତି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବିଚିତ୍ର ନୀତିକୁ ଦେଖିଲେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର କରୁଣ ପରିଣତି ବେଶ ଅନୁମେୟ ବୋଲି ଜଣାପଡିଯାଉଛି ।

ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଜଣ ବିଶେଷଜ୍ଞ ୪ ଜଣ ଏମବିବିଏସ୍ ଓ ଜଣେ ଦାନ୍ତ ବିଶେଷଜ୍ଞ ରହିବା ପାଇଁ ସରକାର ଏହି ପଦବୀ ମଞ୍ଜୁରୀ ପ୍ରଦାନ କରିଥିଲେହେଁ ପ୍ରାୟ ସମସ୍ତ ପଦବୀ ଖାଲି ପଡ଼ିଛି। କେବଳ ବିପିଏଚ୍ଓ ଦାୟିତ୍ବରେ ଜଣେମାତ୍ର ଡା. ସନତ କୁମାର ଶତପଥୀ ଓ ଦୁଇ ଜଣ ଚୁକ୍ତିଭିତ୍ତକ ଡାକ୍ତର ହେଲେ ଡା. କୁନାଲ୍ ସାହୁ ଓ ଡା. ରଜତ୍ କର । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଚୁକ୍ତି ଭିତ୍ତିକ ଦୁଇ ଜଣ ଡାକ୍ତର କେତେବେଳେ ଯେ ଅନ୍ୟ ମେଡିକାଲ୍ କୁ ଚାଲିଯିବେ ତାହା କହିହେବ ନାହିଁ ? ଅନ୍ୟପକ୍ଷେ ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଡାକ୍ତର ନାହାନ୍ତି, କେଉଁଠି ଫାର୍ମାସିଷ୍ଟ୍ ଭରସା ତ ଆଉ କେଉଁଠି ଆୟୁଷ୍ ଡାକ୍ତର ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା । ଅର୍ଥାତ ନର୍ଲାରେ ମୋଟ ୧୩ ଜଣ ଡାକ୍ତର ରହିବା ବଦଳରେ ରହିିଛନ୍ତି ମାତ୍ର ୩ ଜଣ ଡାକ୍ତର ଏବଂ ୧୦ ଗୋଟି ଡାକ୍ତର ପଦବୀ ଖାଲି ପଡିଛି । ନର୍ଲାରେ ଡାକ୍ତର ପଦବୀ କାଗଜ କଲମରେ ଠିକ୍ ରହିଥିବା ସୂଚନା ଥିଲେ ମଧ୍ୟ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର MBBS Dr.ସଞ୍ଜୟ ଶିକାଙ୍କୁ କର୍ମାନ୍ତର ପ୍ରେରଣ (ଡେପୁଟେସନ୍) ରେ ଗୋଲାମୁଣ୍ଡା ପଠାଇଥିବା ବେଳେ ରୁପ୍ରାରୋଡ୍ ପି. ଏଚ୍. ସି ର ଡା. ଅଙ୍କିତ ମହାନ୍ତିଙ୍କୁ ମଦନପୁର ପି. ଏଚ୍. ସି ଓ ପଲମ ପି. ଏଚ୍. ସି ର କିଶୋର ଚନ୍ଦ୍ର ସାହୁଙ୍କୁ ମ. ରାମପୁର ସି. ଏଚ୍. ସି କୁ ପଠାଇଥିବା ଜଣାପଡିଛି । ନର୍ଲାରୁ ଡେପୁଟେସନରେ ଯାଇ ଅନ୍ଯ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କାର୍ଯ୍ୟରତ ଥିଲେ ମଧ୍ୟ ନର୍ଲା ଡାକ୍ତରଖାନାରୁ ଦରମା ପାଉଛନ୍ତି । ସେହିପରି ଷ୍ଟାଫ୍ ନର୍ସ ପାଇଁ ୪ଟି ପଦବୀ ଥିବାବେଳେ ଜଣେ ମାତ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ପଙ୍କଜିନୀ ସାହୁ ଦାୟିତ୍ବ ତୁଲାଉଥିବା ଜଣାପଡିଛି। ଅନ୍ୟପକ୍ଷେ ଡାକ୍ତର ଅଭାବ ସମସ୍ୟା ଯୋଗୁଁ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ.ସନତ କୁମାର ଶତପଥି ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଅନୁଜା ପାଣ୍ଡେ ଓ ରୁପ୍ରା ପିଏଚସିର ଆୟୁଷ ଡାକ୍ତର ଦୁର୍ଯ୍ୟୋଧନ ପ୍ରଧାନଙ୍କୁ ଡାକି ନର୍ଲା ଡାକ୍ତରଖାନା ସମ୍ଭାଳୁଥିବା ଜଣାପଡିଛି ।

ଫଳରେ ଗ୍ରାମାଞ୍ଚଳରେ ଚିକିତ୍ସାର ସୁବିଧା ନଥିବାରୁ କ୍ୱାକ୍ ମାନଙ୍କ ଦ୍ଵାରା ଲୋକେ ଚିକିତ୍ସିତ ହେଉଛନ୍ତି। ଏହି ଅନଭିଜ୍ଞ କ୍ୱାକ୍ ଓ ବଙ୍ଗାଳୀ ଡାକ୍ତର ମାନଙ୍କ ଦ୍ଵାରା ସଠିକ୍ ରୋଗ ନିରୂପଣ ନକରି ଚିକିତ୍ସା କରାଯାଉଛି । ଗୋଟିଏପଟେ ରାଜ୍ୟ କାୟାକଳ୍ପ ଟିମ୍ ନର୍ଲା ଡାକ୍ତରଖାନା ସମେତ ଏହା ଅଧିନରେ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଡାକ୍ତରଖାନାକୁ ସ୍ୱଚ୍ଛତା, ପାରିପାଶ୍ୱିର୍କ ସମସ୍ତ ବ୍ୟବସ୍ଥା ଉନ୍ନତ ମାନର ଥିବା ଦେଖି ଲଗାତାର୍ ଭାବରେ ସାନ୍ତ୍ବନା ମୂଳକ ସଦୃଶ କାୟାକଳ୍ପ ପୁରସ୍କାର ପ୍ରଦାନ କାରାଯାଉଥିବା ବେଳେ ସ୍ୱାସ୍ଥ୍ୟସେବା ଡାକ୍ତର ଅଭାବ ଯୋଗୁଁ ଭୁଷୁଡି ପଡୁଥିବା ଦେଖାଯାଉଛି। ଅଧିକାଂଶ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଅନ୍ୟତ୍ର ରେଫର୍ କରାଯାଉଛି । ନର୍ଲା ଡାକ୍ତରଖାନା ଭବନ ସବୁରେ ଉନ୍ନତି ଆସିଛି । ଅନେକ ପ୍ରକାରର ଯନ୍ତ୍ରାଂଶ ଥିଲେ ମଧ୍ୟ କାମରେ ଆସୁ ନାହିଁ । ପୁରୁଣା ଷ୍ଟାଫ୍ କ୍ୱାଟର୍ସ ଗୁଡିକ ଭାଙ୍ଗି ଏବେ ନୂଆ ଷ୍ଟାଫ୍ କ୍ୱାଟର୍ସ ସବୁ ନିର୍ମାଣ ଚାଲିଛି । ମାତ୍ର ମନ୍ଦିର (ସ୍ୱାସ୍ଥ୍ୟ କେନ୍ଦ୍ର) ଚାକଚକ୍ୟ ଥିବା ବେଳେ ଭିତରେ ଦିଅଁ (ଡାକ୍ତର) ନଥିବାରୁ ଜନ ଅସନ୍ତୋଷ ଦେଖାଦେଉଛି । ନର୍ଲାରେ ଡାକ୍ତର ସମସ୍ୟାକୁ ନେଇ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି , ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ନାଏକ, ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ୟାମ ସୁନ୍ଦର ସେନାପତି ମଧ୍ୟ ସିଡିଏମଓଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ ସମସ୍ୟା ର ସମାଧାନ ହୋଇପାରୁ ନାହିଁ । ଡାକ୍ତର ସମସ୍ୟା ବାବଦରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.କସ୍ତୁରୀ ମିଶ୍ରଙ୍କୁ ଫୋନ୍ ଯୋଗେ ମତାମତ ଜାଣିବାରୁ କହିଲେ ଡାକ୍ତର ସମସ୍ୟା କେବଳ ନର୍ଲାରେ ହୋଇ ନାହିଁ, ଏହା ଜିଲ୍ଲାର ସମସ୍ୟା ହୋଇଥିଲାବେଳେ ୫୦ ପ୍ରତିଶତ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ଚାଲୁଥିବା ବେଳେ ସମସ୍ୟା ବାବଦରେ ସରକାରଙ୍କୁ ଲିଖିତ ଆକାରରେ ଜଣାଇବି,କେଉଁଠୁ ଜବରଦସ୍ତି ଡାକ୍ତରଙ୍କୁ ଟାଣିକରି ଆଣିପାରିବି ନାହିଁ ବୋଲି କହିଥିଲେ । ନର୍ଲାରେ ଡାକ୍ତର ଥାଇ ବି ଡାକ୍ତର ନାହାନ୍ତି । ଏହି ସମସ୍ୟାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।

ରୁପ୍ରା ରୁ ପ୍ରଦୀପ କୁମାର ସେନାପତି ଙ୍କ ରିପୋର୍ଟ 

Related posts

ସମ୍ଭାବ୍ୟ ମହାମାରୀ କରୋନା ର ପ୍ରତିକାର ଓ ମୁକାବିଲା ପାଇଁ ଏକ ପ୍ରସ୍ତୁତି ଅଭ୍ୟାସ                                                    

Sunil Chandra Nayak

ଝାଡ଼ାବାନ୍ତି ଘଟଣା ଅନୁଧ୍ୟାନ କରିବାକୁ ଟିର୍ଲିଆମ ଗାଁରେ ପହଞ୍ଚଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ

Sunil Chandra Nayak

୨୮୦ ଉପଭୋକ୍ତାଙ୍କୁ ବୁଷ୍ଟର ଡୋଜର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!