ଫେରିବ କାଳିଆ ସୁନା
କୁନା ସେଠୀ
ବାହୁଡ଼ି ଆସିବ କାଳିଆ ଠାକୁର
ନଅ ଦିନ ବିତିଗଲା
ଜନମ ବେଦିରେ ନିଳା ଖେଳା କରି
ଶ୍ରୀମନ୍ଦିର ଇଛା କଲା ।
ହଟିଆ ଠାକୁର ହଟ ଲଗାଉଛି
ହଟ ପଣ ନେଇ ତାର
ହାଟ ରେ ବାଟରେ ନାମ କୁ ତାହାର
ଡାକୁଛନ୍ତି ବାର ବାର ।
ଶ୍ରୀମନ୍ଦିର ଶୂନ୍ୟ ହୋଇଛି ଏବେତ
ଖାଲି ଖାଲି ଲାଗେ ଘର
ଲକ୍ଷ୍ମୀ ସାଆନ୍ତାଣୀ ଘରର ଘରଣୀ
ରାଗେ ହୋଇଛନ୍ତି ଦୂର ।
ସେବକ ଡାକନ୍ତି ମଣିମା ମଣିମା
ଶୁଣ ହେ ଗୁହାରି ଆମ
କେତେ ଦିନ ଆଉ ଦୁରେଇ ରହିବ
ବନ୍ଦ ହେବ ଆମ କାମ ।
ପୂଜାରୀ ଡାକନ୍ତି ଠାକୁର ଠାକୁର
ଫୁଲ ଚନ୍ଦନ କୁ ନେଇ
ଆସହେ ଗୋସାଇଁ ପୂଜିବି ତୁମକୁ
ମନ ମୋର ପାଦେ ଦେଇ ।
ମନ୍ଦିର ଡାକଇ ହେ ପ୍ରଭୁ ଈଶ୍ୱର
ସିଂହାସନେ ବିଜେ କର
ତୁମ ବିନା ଜମା ଭଲ ଲାଗେ ନାହିଁ
ଶ୍ରୀହୀନ କର ହେ ଦୂର ।
ବାଇଶି ପାହାଚ ଆକୁଳେ କୁହନ୍ତି
ଆସ ଆସ ପ୍ରଭୁ ଚଢି
ଧନ୍ୟ ହୋଇବ ଏ ଶରୀର ଆମ
ତୁମରି ପାଦ ଯେ ପଡି ।
ସାଧୁ ସନ୍ଥ ଯେତେ ଡାକନ୍ତି ଭକତେ
ଆସ ଆସ ଭାବ ଗ୍ରାହୀ
ଭାବକୁ ନିକଟ ଅଭାବ କୁ ଦୂର
ତୁମେ ପରା ବିଶ୍ୱ ସାଇଁ ।
ସମସ୍ତଙ୍କ ଡାକେ ଭାଙ୍ଗିଗଲା ନିଦ
ଉଠିଲେ କାଳିଆ ହାଥି
ଚଢ଼ିବେ ରଥରେ ଫେରିବେ ମନ୍ଦିର
ସଙ୍ଗେ ଥିବେ ସବୁ ରଥୀ ।