ବାଲେଶ୍ଵର,୧୬/୭/୨୨- ଜଳସେଚନର ସୁବିଧା ହେଲେ ଚାଷର ଉନ୍ନତି ହେବ । ଚାଷୀମାନେ ବର୍ଷକୁ ଦୁଇଥର ଧାନ ଚାଷ କରିପାରିବେ । ଏହାକୁ ଲକ୍ଷ୍ୟକରି ପ୍ରତ୍ୟେକ ଚାଷଜମିକୁ ଜଳ ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି କେନାଲ ଖୋଳୁଛନ୍ତି । ହେଲେ କେତେକ ସ୍ଥାନରେ ଏହି ଲକ୍ଷ୍ୟ ପୂରଣ ହେବାରେ ବିଳମ୍ବ ପରିଲକ୍ଷିତ ହେଉଥିବାର ଦେଖାଯାଉଛି । ଯାହା ଆମ୍ବହତା ଠାରୁ ଖଇରା ବ୍ଲକ ଦେଇ ବାଲେଶ୍ଵର ପର୍ଯ୍ୟନ୍ତ ଯାଇଥିବା କେନାଲ କ୍ଷେତ୍ରରେ ଦୃଷ୍ଟି ଗୋଚର ହୋଇଛି । ଚାଷ କ୍ଷେତ୍ରକୁ ଜଳସେଚନର ସୁବିଧା ନିମନ୍ତେ ଜଳସେଚନ ବିଭାଗ ତରଫରୁ କେନାଲ ଖୋଳା ଯାଇଛି । ହେଲେ ଏପର୍ଯ୍ୟନ୍ତ ଖୋଳା ସମ୍ପୂର୍ଣ୍ଣ ହେଉନାହିଁ । ପ୍ରକାଶ ଥାଉକି ଆମ୍ବହତା ଠାରୁ ବାଲେଶ୍ଵର ଜିଲ୍ଲା ନୂଆପାଢୀ ପର୍ଯ୍ୟନ୍ତ ଖୋଳା ଚାଲିଥିବା କେନାଲକୁ ନିଆଯାଇପାରେ । ବର୍ଷ ବର୍ଷ ଧରି ଉକ୍ତ କେନାଲ ଖୋଳା ଚାଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ନହେବା ବଡ଼ ଦୁଃଖ ଓ ପରିତାପର ବିଷୟ । ସେଥିମଧ୍ୟରୁ ବଡ଼ ଦୁଃଖ ବିଷୟ ହୋଇଛି କୁପାରୀ-ଔପଦା ପର୍ଯ୍ୟନ୍ତ କେନାଲ । ଠିକାଦାରଙ୍କ ମନମୁଖିରେ ଚାଲିଛି କେନାଲ ଖୋଳା । ଏବାବଦରେ ସ୍ଥାନୀୟ ଜନସାଧାରଣ ବାରମ୍ବାର ବିଭାଗ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ସୁଫଳ ମିଳୁନାହିଁ । ଖବରପାଇ ରାଜ୍ୟ ସରକାରଙ୍କ ଜଳସେଚନ ବିଗଭାଗ ତରଫରୁ ରାଜ୍ୟ ଜଳସେଚନ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ ହଠାତ୍ ଗତ ତା ୧୫/୭/୨୨ ରିଖ ଶୁକ୍ରବାର ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଚାଲିଥିବା ଆମ୍ବହତା କେନାଲ ପରିଦର୍ଶନରେ ଆସିଥିଲେ । ଜଳସେଚନ ବିଭାଗର ବିଭିନ୍ନ ଅଧିକାରୀଙ୍କ ସମେତ ମାନ୍ୟବର ଅତିରିକ୍ତ ସଚିବ ସାରକୋଣା ଠାରେ ହୋଇଥିବା ଘାଇ ସହିତ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ନିମ୍ନମାନର କେନାଲ କାମ ଓ ବିଳମ୍ବ ହୋଇଥିବାର ଜଣାପଡିଥିଲା । କେନାଲ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ଠିକାଦାରଙ୍କ ସହିତ ଅନେକ ସମୟରେ ସ୍ଥାନୀୟ ଲୋକଙ୍କ ଯୁକ୍ତିତର୍କ ହେଉଥିବା ତଦନ୍ତକାରୀ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ଜନସାଧାରଣ ତଦନ୍ତକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ସ୍ଥାନୀୟ ତହସିଲଦାର ମହେନ୍ଦ୍ର କୁମାର ବେହେରା ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ