ଅଗଷ୍ଟ ୫ ସୁଦ୍ଧା ବଣ୍ଟନ ପାଇଁ ନିର୍ଦ୍ଦେଶ….
ଅଗଷ୍ଟ ୫ ସୁଦ୍ଧା ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ ଓ ଜୋତା । ପ୍ରାଥମିକ, ଉଚ୍ଚ ପ୍ରାଥମିକ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ସମସ୍ତ ଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ଏସ୍ସି ଓ ଏସ୍ଟି ବିଭାଗ ଅଧୀନ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଓ ଜୋତା ବଣ୍ଟନ କରାଯିବ । ସମସ୍ତ ଛାତ୍ରଙ୍କ ଲାଗି ନୀଳ ପ୍ୟାଣ୍ଟ ଓ ଧଳା ସାର୍ଟ, ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ ଫ୍ରକ୍ ଓ ଷଷ୍ଠରୁ ୮ମ ଶ୍ରେଣୀର ଛାତ୍ରୀଙ୍କୁ ନୀଳ କମିଜ୍ ଓ ଧଳା ସାଲୱାର ଦିଆଯିବ । ଚଳିତବର୍ଷ ପୋଷାକର ରଙ୍ଗ ଓ ପରିପାଟୀରେ କୌଣସି ପରିବର୍ତ୍ତନ ହେବନାହିଁ ।
୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୪୦୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ। ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍, ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ସ୍ବାଧୀନତା ସଂଗ୍ରାମୀଙ୍କ ଉପସ୍ଥିତିରେ ଅଗଷ୍ଟ ୫ ସୁଦ୍ଧା ପୋଷାକ ଏବଂ ଜୋତା ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ନିର୍ଦେଶ ଦେଇଛନ୍ତି ।