ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ଜଗନ୍ନାଥଙ୍କ ବାର୍ତ୍ତା 

  ଜଗନ୍ନାଥଙ୍କ ବାର୍ତ୍ତା 

କନକ ଗୋରୀ ସେ ଲକ୍ଷ୍ମୀ ଠାକୁରାଣୀ
       କାଳିଆ ଜଗତନାଥ।
ଦୁହିଁଙ୍କ ମଧ୍ୟରେ କେତେ ମିଠା ପ୍ରେମ!
      ଜଗତବାସୀ ଚକିତ।।
ହାତଗୋଡ ନାହିଁ ତ୍ରିପଣ୍ଡ କାଳିଆ
     ହସ ଭୂବନ ମୋହନ।
ଲକ୍ଷ୍ମୀ ଠାକୁରାଣୀ ତାଙ୍କ ପ୍ରେମେ ବନ୍ଧା
     ଜଗନ୍ନାଥ ପ୍ରାଣଧନ।।
ଗୁଣ୍ଡିଚା ଯାତକୁ ପ୍ରଭୁ ବିଜେ କଲେ
       ସଙ୍ଗତେ ଭଉଣୀ ଭାଇ।
ଦେଢଶୁର ସେ ଯେ ବଳଭଦ୍ର ପରା
      ପତ୍ନୀକୁ ଯେ ନେଲେ ନାହିଁ।।
ବିରହ ବିଧୁରା କମଳା ଅଧୀରା
       କୋପେ ହେଲେ ଜରଜର।
କମ୍ପିତ ଅଧର ଦୀର୍ଘଶ୍ଵାସ ଖର
      ଅଭୀମାନ ହୃଦେ ଘୋର।।
ଏକି କଲ ନାଥ ପର କଲ ମୋତେ
      ମୁଁ ଯେ ପ୍ରାଣପ୍ରୀୟା ତଵ।
ଦାରୁଣ ଦୁଃଖରେ ଭିଜାଇଲ ସତେ
      ଏହିକି ତୁମର ଭାଵ!!
ରାଧା ଗଉଡୁଣୀ ମନ୍ତର କଲାକି
      ପ୍ରେମେ ହତବୁଦ୍ଧି ହେଲ।
ପରକୀୟା ପ୍ରୀତି ଭାରି ମିଠା ପରା
     ପତ୍ନୀକୁ ଦାସୀ ଭାବିଲ।।
ସତ୍ୟାସତ ତଥ୍ୟ ପରଖିବା ପାଇଁ
       ପଦ୍ମାଳୟା ଆଗଭର।
ଦାସୀ ପରିବାରୀ ବୁଝାଇ ଥକିରେ
     ଚଞ୍ଚଳା କ୍ରୋଧେ ଅସ୍ଥିର।।
ବିମଳାଙ୍କ ପାଶୁ ସମ୍ମୋହନ ଚୂର୍ଣ୍ଣ
     ପଦ୍ମାଳୟା ସାଥେ ନେଲେ।
ବଶ କରିବେ ସେ ସ୍ବାମୀଙ୍କୁ ତାଙ୍କର
      ହୃଦେ ସ୍ଥିର କରିନେଲେ।।
ମୁଖ୍ୟଦ୍ଵାର ଯେବେ ରୁଦ୍ଧ କରିଦେଲେ
    ନାକଚଣା ଦ୍ଵାରେ ଗଲେ।
ନନ୍ଦିଘୋଷ ରଥେ ପତିଙ୍କୁ ସେ ଦେଖି
     କାଷ୍ଠ ଖଣ୍ଡେ ଭାଙ୍ଗିଦେଲେ।।
ନନ୍ଦିଘୋଷ ତୋର କେମନ୍ତ ସାହସ
    ସ୍ବାମୀଙ୍କୁ ଘେନି ଆସିଲୁ !
ନଦେଲୁ ଉଦନ୍ତ କଲୁ ମନ୍ଦକୃତ୍ୟ
     ପରାଭବ ଭୋଗ କଲୁ।।
ହଳଦୀମୁହିଁ ସେ ମୋ ଗେହ୍ଲୀ ନଣନ୍ଦ
     ଜାଣନ୍ତିନି ଭଲମନ୍ଦ।
ଭୁଲେଇଭାଲେଇ ତାଙ୍କୁ ବି ଆଣିଲେ
      ମୋ ସାଥେ ସାଧିଲେ ବାଦ।।
ହସିହସି ପ୍ରଭୁ ଜଗତର ନାଥ
    ଦୋଷ ତାଙ୍କ ସ୍ବକାରିଲେ।
ରାଗ ନାହିଁ ପ୍ରୀୟେ ଶ୍ରୀମନ୍ଦିରେ ଶୀଘ୍ର
    ପହଞ୍ଚିବି କଥା ଦେଲେ।।
ଭାଇ ଭଉଣୀ ଗୁଣ୍ଡିଚା ମାଉସୀଙ୍କ 
     ମନକଥାକୁ ବୁଝିଲେ।
ପତ୍ନୀଙ୍କର ରୋଷ ଶାନ୍ତ କରି ପ୍ରଭୁ
     ସୁନ୍ଦର ସନ୍ଦେଶ ଦେଲେ।।
ଓଡିଆ ସଂସ୍କୃତି କେତେଯେ ସୁନ୍ଦର
    ଏହି ପରମ୍ପରା କହେ।
ଏତିକି ଦୋଷରେ ଆଜିକାଲି ପରା
    ଛାଡ଼ପତ୍ର ହୋଇଯାଏ।।
ଠାକୁରଙ୍କୁ ଦେଖି ଶିଖନ୍ତିନି କିଛି
      ଆତ୍ମବଡିମା ଘାରିଛି।
ଅଜାଯୁଦ୍ଧ ପରା ପତି ପତ୍ନୀ କଳି
     ଏକଥା ଭୁଲି ଯାଇଛି।।
ସହନଶୀଳତା ଗଲାଣି ଉଭେଇ
      କଳିଯୁଗର ବେଭାର।
ଘୋର ବ୍ୟଭିଚାରେ ମତ୍ତ ସର୍ବେ ଏବେ
     ଆସିଛି ସମୟ ଘୋର।।
ସମୟର ଦୋଷ କେବଳ ନଦେଇ
      ନିଜକୁ ସୁଧାରିନେଲେ।
ହସିବ ଜଗତ ଏହା ଦୃଢ ସତ୍ୟ
     ଜଗନ୍ନାଥ ବାର୍ତ୍ତା ଦେଲେ।।

ମମତା ଶତପଥୀ

କେନ୍ଦ୍ରାପଡ଼ା

Related posts

ଆଦର୍ଶ ପାଠାଗାର ରେ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଦେଶୀ ମଦଭାଟି ପ୍ରସ୍ତାବକୁ ବିରୋଧ କରି ସ୍ବୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ବାରସ୍ତ

Sunil Chandra Nayak

ଜନ୍ମଦିନକୁ ଓଲଟା ପାଳନ କଲେ ଯୁବ କଂଗ୍ରେସ କମିଟି  

Sunil Chandra Nayak

Leave a Comment

error: Content is protected !!