ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଦଳୁଛି ଚାଷ କାମର ଢାଞ୍ଚା ପାରମ୍ପାରିକ ହଲ ଲଙ୍ଗଳ ବଦଳରେ ବ୍ୟବହାର ହେଉଛି ମେସିନ

ଡାବୁଗାଁ, ୧/୮– ଚାଷ କାମ ଯାହାର କି ଆନନ୍ଦ ତାହାର ସିଏ ପରା ଯୋଗାଉଛି ଦୁନିଆକୁ ଆହାର | ଦିନେ ଏହି ଚାଷ କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା | ଦିନ ଥିଲା ଗ୍ରାମାଞ୍ଚଳର ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ଆଗଭର ହେଉଥିଲେ | ବିଭିନ୍ନ କାରଣରୁ ଧୀରେ ଧୀରେ ଏବେ ଚାଷ କାମ ବନ୍ଦ ହେବାକୁ ଗଲାଣି | ପୂର୍ବ ରୁ ଚାଷ କରାଯାଉଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ ଚାଷ କରି ଚାଷୀ ଅଧିକ ଉପାର୍ଜନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି | ନବରଙ୍ଗପୁର ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଚାଷୀ ମୁଖ୍ୟତଃ ଖରିଫ ଓ ରବି ଋତୁରେ ଧାନଚାଷ କରିଥାନ୍ତି | ଏବେ ଏହି ଚାଷ କାମ ବାଟବଣା ହୋଇଥିବା ବେଳେ ଚାଷ ର ଉପାୟ ମଧ୍ୟ ବଦଳିବାରେ ଲାଗିଛି | ବର୍ତମାନ ହଳରେ ଏବେ ଆଉ ପ୍ରାୟ କେହି ଚାଷ କରୁନଥିବା ବେଳେ ପୂର୍ବ ଭଳି ରୁଆ ବୁଣା ସମୟରେ ଚାଷୀ ମୁହଁରୁ ହୁଳହୁଳି, ହଳିଆ ଗୀତ ଆଉ ଶୁଣିବାକୁ ମିଳୁନାହିଁ | ପୂର୍ବରୁ ଚାଷୀ ଚାଷ ପାଇଁ ଜମିରେ ହଳ ଲଙ୍ଗଳ ବ୍ୟବହାର କରୁଥିଲେ | କିନ୍ତୁ ବର୍ତମାନ ସମୟରେ ଯୁଗ ଆଗକୁ ବଢିବା ଭଳି ଚାଷୀ ଚାଷ ପାଇଁ ଟ୍ରାକ୍ଟର ପାୱାରଟିଲର ବ୍ୟବହାର କରୁଛି | ମାସ ମାସ ଧରି ଚାଲୁଥିବା କାମ ଏବେ କମ ଦିନରେ ଶେଷ ହୋଇଯାଉଛି | ପ୍ରତି ଗାଁ ରେ ପୂର୍ବେ ଘରେ ଘରେ ଚାଷ ଜମି ପାଇଁ ବଳଦ ଓ ପୋଢ ପାଳନ କରାଯାଉଥିଲା | ଏପରିକି କିଛି ଧନୀ ଶ୍ରେଣୀର ଚାଷୀ ଗାଈ ବଳଦ ଙ୍କ ପାଇଁ ହଳିଆ ମଧ୍ୟ ରଖୁଥିଲେ | ଘର ଆଗରେ ଗୁହାଳ ଦେଖିବାକୁ ମିଳୁଥୁଲା | ହଳ ପାଇଁ ଚାଷୀ କୁସୁମ, ପାଶୀ , ବବୁଲ, ଗୁହାରିଆ ପ୍ରଭୃତି କାଠର ଲଙ୍ଗଳ, ଜୁଆଳି, ଇଷ ତଥା ଅନ୍ୟାନ୍ୟ ଉପକରଣ ରଖୁଥିଲେ | ପ୍ରତିବର୍ଷ ଚାଷୀ ମାନେ ବଳଦ କିଣାବିକା କରିବା ସହ ଅନ୍ୟ ଗ୍ରାମକୁ ଯାଇ ବଳଦ କିଣି ଆଣୁଥିଲେ | ଅକ୍ଷତୃତୀୟା ଦିନ ପୂଜାର୍ଚ୍ଚନା କରି ଚାଷ କାର୍ଯ୍ୟ ଆରମ୍ଭ କରୁଥିଲେ ନବରଙ୍ଗପୁର ଅଞ୍ଚଳର ଚାଷୀ | ହଳ ଧରୀ ବିଭିନ୍ନ ଢଙ୍ଗରେ ମଧୁର କଣ୍ଠରେ ଗୀତ ଗାଇ ହଳ କରୁଥିବା ଦେଖାଯାଉଥିଲା | ମହିଳା ମାନେ ହୁଳହୁଳି ସହ ମିଳିତ ଭାବେ ଗୀତ ଗାଉଥିଲେ | ଦୂରରୁ ଗୀତ ଶୁଭିଲେ ଚାଷ କାମ ଚାଲୁ ଥିବାର ସଙ୍କେତ ମିଳିପାରୁଥିଲା | ଗୋଟିଏ ଜମିରେ ମହିଳା ଗୀତଗାଇବା ଆରମ୍ଭ କଲେ ଅନ୍ୟ ଜମିର ଥିବା ମହିଳା ତାକୁ ଅନୁସରଣ କରୁଥିଲା | ଭିନ୍ନ ଭିନ୍ନ କାରଣ ଯୋଗୁଁ ବର୍ତମାନ ଏହିସବୁ ଲୁଚି ଯାଉଥିବା ବେଳେ ଚାଷୀ ହଳର ବ୍ୟବହାର ବନ୍ଦ କରିଦେଉଥିବା ଯୋଗୁଁ ପଶୁ ସମ୍ପଦ ବିଶେଷ ଭାବେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି | ଚାଷ ଜମିରେ ଘର ନିର୍ମାଣ ସହ ବର୍ଷ ବର୍ଷ ଧରି ଜମି ପଡିଆ ରଖାଯାଉଛି | ଉର୍ବର ଜମି ମଧ୍ୟ ଏଥିରୁ ବାଦ ପଡୁଛି | ପୂର୍ବରୁ ଶ୍ରମିକଙ୍କୁ ବର୍ଷିକିଆ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯାଇ ଧାନ, ମଣ୍ଡିଆ, ସୁଆଁ, ପ୍ରଭୃତି ମୂଲ ଦିଆ ଯାଉଥିଲା | ଶସ୍ୟ ମାପିବା ପାଇଁ ନଉତି, ଅଣା ଆଦି ବ୍ୟବହାର କରାଯାଉଥିବା ବେଳେ ଏବେ ସବୁ ଟଙ୍କାରେ ହେଉଛି | ଟ୍ରାକ୍ଟରରେ ଚାଷ କାର୍ଯ୍ୟ କରାଯାଉଛି | ବହୁ ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ଆଗଭଳି ମନ ବଳାଉନାହାଁନ୍ତି | ଚାଷ କାର୍ଯ୍ୟ ଅପେକ୍ଷା ସେମାନେ ଦାଦନ ଖଟିବା ପାଇଁ ସୁଦୂର ମୁମ୍ବାଇ, ସୁରତ, ବାଙ୍ଗାଲୋର, ହାଇଦ୍ରାବାଦ ଯିବା ପାଇଁ ମନ ବଳାଉଛନ୍ତି | ସମୟକ୍ରମେ ଚାଷ କାର୍ଯ୍ୟରେ ଅନେକ ପରିବର୍ତ୍ତନ ଘଟିଛି |ଚାଷ ଜମି ଶୈଳୀ ପରିବର୍ତ୍ତନ ଯୋଗୁଁ ହଳ, ହୁଳହୁଳି, ହଳିଆ ଗୀତ ଏବେ ପ୍ରାୟ ଲୋପ ପାଇବାକୁ ବସିଲାଣି | ଚାଷ କାମ ସାରିବା ପରେ ଗୋ ମାତାଙ୍କ ପର୍ବ ଦିଆଲି ମଦ୍ୟ ଧୂମଧାମରେ ପାଳନ ହେଉଥିଲା କିନ୍ତୁ ଏବେ ଏସବୁ ଲୋପ ପାଇବାକୁ ବସିଲାଣି | ବର୍ତ୍ତମାନ ସମ୍ପୁର୍ଣ୍ଣ ରୂପରେ ଚାଷ କାମର ଢାଞ୍ଚା ବଦଳି ଗଲାଣି, ପାରମ୍ପରିକ ହଳ ଲଙ୍ଗଳ ଆଉ ଦେଖିବାକୁ ମିଳୁନି | ଏଭଳି ଲାଗୁଛି ସତେ ଯେପରି ଯୁଗ ବଦଳି ଗଲାଣି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ 

Related posts

ବେଣୁ ଧର ସୁତାର ଙ୍କ କବିତା ତୁ ମୋର ମିଠା ସପନ

Sunil Chandra Nayak

ନର୍ଲା ଠାରେ ଚବିଶ ପ୍ରହର ନାମ ଯଜ୍ଞର ଶୁଭଖମ୍ବ ସ୍ଥାପନ

Sunil Chandra Nayak

କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଲକି ଡ୍ର ର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!