ନନ୍ଦ ଉତ୍ସବ
ରଞ୍ଜିତା ସାହୁ
ହେ ଗୋବିନ୍ଦ ହେ ମୁରାରି
ହେ କୃଷ୍ଣ କେଶବ
ମାୟାଧର ମାୟାକୁ ହେ
କେ ଜାଣି ପାରିବ।1।
ଅଧର୍ମ ନାସିବା ପାଇଁ
ଅବତାର ନିଅ
ମଥୁରାରେ ଜନମିଣ
ଗୋପେ ବଢି ଥାଅ।2।
ଭାଦ୍ରବ କୃଷ୍ଣ ଅଷ୍ଟମୀ
ଷଢ ଋତୁ ଘେନି
ଦେବକୀ ଉଦରୁ ଜାତ
କରି ଶଙ୍ଖ ଧ୍ୱନି।3।
ପିତା ତୁମ ଆଜ୍ଞା ଘେନି
ନନ୍ଦର ମନ୍ଦିର
କନ୍ୟା ଆଣେ ପାଲଟାଇ
ଦେବକୀ ପାଖର।4।
ଗୋଟେ ମାତା ଦିଏ ଜନ୍ମ
ଗୋଟେ କୋଳେ ବଢ
ଜଣେ ସହଇ କସଣ
ଜଣେ ଦିଏ ମାଡ।5।
ଯଶୋଦା କୋଳେ ଖେଳିଲ
ନନ୍ଦ ବାଳ ହୋଇ
ଅପୁଆ ଘରେ ନନ୍ଦନ
ଗୋପାଳ ବୋଲାଇ।6।
ନନ୍ଦର ଘରେ ଆନନ୍ଦ
ଉତ୍ସବ ପାଳନ୍ତି
ଗୋପ ଗୋପାଳୁଣୀ ନେଇ
ଲହୁଣୀ ଚଖାନ୍ତି।7।
ଦେବତାଏ ପୁଷ୍ପ ବୃଷ୍ଟି
ଆନନ୍ଦେ ନାଚନ୍ତି
ଦାନ ଧର୍ମ କରେ ନନ୍ଦ
ଧନ ରତ୍ନ ଦ୍ୟନ୍ତି।8।
ଦୁନିଆଁର ଯେତେ ଖୁସି
ଅଜାଡି ଦିଅଇ
ବଳଦେବ ସଙ୍ଗତରେ
କହ୍ନେଇ ଖେଳଇ। 9।
ରୋହିଣୀ ଯଶୋଦା ରାଣୀ
ଝୁଲାନ୍ତି ଝୁଲଣା
ହୀରା ଲୀଳା ମୋତି ଖଞ୍ଜା
ଫୁଲର ଝୁଲଣା।10।
ଭେରୀ ତୂରୀ ହରି ବୋଲ
ଶୁଭେ ହୁଳହୁଳି
ବୃଦ୍ଧ କାଳେ ପୁତ୍ର ମୁଖ
ଜୀବନ ଶଙ୍ଖାଳି।11।
ମଙ୍ଗଳ ଆଳତୀ କରି
ସୂର ବୀଣାପାଣୀ
ଅପ୍ସରା କରନ୍ତି ନୃତ୍ୟ
ଇନ୍ଦ୍ର ଢାଳେ ପାଣି। 12।
କୃଷ୍ଣ ବଳରାମ ଦୋଳି
କିଏ ବଖାଣିବ
ଯେଉଁ ଥିରେ ଝୁଲୁଛନ୍ତି
ମୋହନ କେଶବ।13।
ପିତବସନ ଝଟକେ
ଅଧରେ ବଇଁଶୀ
ପୂର୍ଣ୍ଣମୀର ଚାନ୍ଦ ଆଜି
ପଡିଛି କି ଖସି।14।
ବୃକ୍ଷ ଭରେ ଫୁଲ ଫଳେ
ପକ୍ଷୀ ଗାଏ ଗୀତ
ଗୋରୁ ମାନେ ଆନନ୍ଦରେ
ହେଉଛନ୍ତି ମତ୍ତ।15।
ପୁତନା ଶକଟା ବକା
ଅନେକ ଅସୁର
ବଂଶ ନାଶ କରିବେଟି
ପୁଣି କଂସା ସୁର।16।
ଯୁଗେ ଯୁଗେ ଅବତାର
ପାପିର ବିନାଶେ
କୃଷ୍ଣ ଜନ୍ମିଛନ୍ତି ବୋଲି
ଦୁନିଆଁ ଯେ ହସେ।17।
ଆନନ୍ଦେ ପାଳନ୍ତି ଗୋପେ
ନନ୍ଦ ଉତ୍ସବକୁ
ଝୁଲନ୍ତି କଳା କହ୍ନାଇ
ଭାବିଣ ରାଇକୁ।18।
ଆସୁଛନ୍ତି କୃଷ୍ଣ ପ୍ରେମ
ଆଉ ଅଳ୍ପ ଦିନେ
ଜନ୍ମାଷ୍ଟମୀ ବାସି ପାଳେ
ଗୋପ ବୃନ୍ଦାବନେ।19।
ହସୁଛି ଯମୁନା ହସେ
ଗୋପ କୁଞ୍ଜବନ
ଗୋପନାରୀ କଦମ୍ବ ଯେ
ହସେ ତ୍ରିଭୁବନ। 20।
ପାରାଦ୍ବୀପ ଗଡ, କୁଜଙ୍ଗ, ଜଗତସିଂହପୁର

