ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆଖାଇ…ଭାଇଚାରା ର ଅନନ୍ୟ ନିଦର୍ଶନ…

ଜିଇଁ ଜାଗି ଥିଲେ ବଛରେ”

ନୁଆଁଖାଇ ଜୁହାର୍….

କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା ରହିଛି। କୌଣସି ଏକ ନିର୍ଦ୍ଦିଷ୍ଟ ତିଥିରେ କିମ୍ବା ଗୋଟିଏ ଦିନରେ ଜିଲ୍ଲାରେ ନୂଆଖାଇ ପାଳନ ହୋଇ ନଥାଏ। ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ତିଥିରେ ଏହି ପର୍ବ ପାଳନ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଳାର କେସିଙ୍ଗା ବ୍ଲକ ପଥର୍ଲା ଗ୍ରାମରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ରେ ଗ୍ରାମବାସୀ ନୂଆଖାଇ ଥାଆନ୍ତି। ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, କଲମପୁର, ଧର୍ମଗତ,ଗୋଲାମୁଣ୍ଡା, କୋକସରା, କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ଅଞ୍ଚଳରେ ନୂଆଖାଇ ପାଳିତ ହୋଇଥାଏ। ତୃତୀୟ ପର୍ଯ୍ୟାୟରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ କଳାହାଣ୍ଡି ପୁରାତନ ଗଡ଼ଜାତର ଜମିଦାରୀ ଅଞ୍ଚଳ ଗୁଡିକରେ ନୂଆଖାଇ ପାଳନ ହୋଇଥାଏ । କୌଣସି କାରଣରୁ ଲୋକେ ନୂଆଖାଇ ପାରି ନ ଥିଲେ ବିଜୟା ଦଶମୀ ଦିନ ନୂଆଖାଇ ଥାଆନ୍ତି।

ଭାରତ ଏକ କୃଷି ପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ଯତା ଗଢି ଉଠିଛି । କେଉଁ ଆବାହନ କାଳ ରୁ ଭାରତ ବର୍ଷରେ ପାଳିତ ହେଉଥିବା ପର୍ବ ପର୍ବାଣି ମଧ୍ୟରେ ପୂଜା ମହାନ ପର୍ବ ଭାବରେ ଏକ ସ୍ବତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି ।

ଭାରତ ବର୍ଷରେ ବିଭିନ୍ନ ପ୍ରାନ୍ତରେ ନୁଆଁ ଶସ୍ଯ ପୂଜାର ପରମ୍ପରା ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ ଓଡିଶାରେ ପଶ୍ଚିମ ପ୍ରାନ୍ତ ରେ ଏହି କୃଷି ଭିତ୍ତିକ ପର୍ବ ” ନୁଆଁଖାଇ ” ନାମରେ ପାଳିତ ହୋଇ ଆସୁଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ପର୍ବ ଏକ ନିର୍ଦ୍ଧିଷ୍ଟ ସମୟରେ ପାଳନ କରାଯାଏ ଯାହା କୁ ” ଲଗ୍ନ ” କୁହାଯାଏ ।

ଜନସ୍ମୃତି ରୁ ଜଣାଯାଏ ଯେ, ଦ୍ବାଦଶ ଶତାଦୀରେ ପାଟନା ରାଜ୍ୟ ବର୍ତ୍ତମାନ ର ବଲାଙ୍ଗୀର ର ଚୌହାନ ବଂଶର ରାଜା ” ରମାଇ ଦେଓ ” ଙ୍କ ସମୟ ରୁ ନୁଆଁଖାଇ ପର୍ବ ପାଳନ ର ପରମ୍ପରା ଆରମ୍ଭ ହୋଇଛି । ପଶ୍ଚିମ ଓଡିଶା ମୁଖ୍ୟତଃ ଏକ ଶକ୍ତିପୀଠ ହୋଇଥିବା ରୁ ନୁଆଁ ଅନ୍ନ ପ୍ରଥମେ ମାଁ ସମଲେଶ୍ବରୀ (ସମ୍ବଲପୁର) ମାଁ ସୁରେଶ୍ବରୀ ( ସୋନପୁର ) ମାଁ ପାଟଣେଶ୍ବରୀ ( ବଲାଙ୍ଗୀର ) ମାଁ ମାଣିକେଶ୍ବରୀ ( କଳାହାଣ୍ଡି ) ଓ ଅନ୍ଯାନା ଗ୍ରାମ ଗୁଡିକ ର ଆରାଧ୍ଯ ଗ୍ରାମଦେବୀ ଙ୍କ ଠାରେ ପ୍ରଥମେ ନୁଆଁ ଅନ୍ନ ଅର୍ପଣ କରାଯାଇଥାଏ । କୁରେଇ ପତ୍ର ର ଦନା ମୁଖ୍ଯତଃ ପର୍ବରେ ପାଳନ କରା ଯାଇଯାଏ । ଏହି ସବୁ ପୀଠ ଗୁଡିକ ରେ ଅନ୍ନ ଅର୍ପଣ ପରେ ଘର ର ସମସ୍ତ ସଦସ୍ୟ ଏକାଠି ବସି ନୁଆଁ ଅନ୍ନ ଖାଇଥାଆନ୍ତି ଓ ଖାଇ ସାରିବା ପରେ ବଡ ଲୋକ ଙ୍କୁ ସମସ୍ତେ ପାଦ ଛୁଁଇ ଜୁହାର କରି ଥାଆନ୍ତି । ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ତଥା ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ପର୍ବ ସମାଜ ପାଇଁ ସ୍ନେହ ଓ ଶାନ୍ତି ର ବାର୍ତ୍ତା ସୁମ୍ଭଇଥାଏ |

ନୁଆଁଖାଇକୁ ନେଇ କିଛି ମୌଳିକ କଥା….

ଏହା ମୂଳତଃ ଏକ କୃଷି ଭିତ୍ତିକ ପର୍ବ ।କ୍ଷେତର ପ୍ରଥମ ଅନ୍ନ କଣା କୁ ନିଜର କୁଳଦେବୀ, ଇଷ୍ଟଦେବୀ ଓ ଗ୍ରାମ ଦେବୀଂକୁ ଅର୍ପଣ କରିବା ସହିତ ପ୍ରଥମ ଅନ୍ନ ଉତ୍ପାଦନ ର ଉଲ୍ଲାସ କୁ ପାର୍ବଣ ରୂପେ ପାଳନ କରିବା ଏହି ଉତ୍ସବର ଏକମାତ୍ର ଉଦ୍ଦେଶ୍ୟ। ଏହା ଏମିତି ଏକ ଗଣପର୍ବ ଯେଉଁଥିରେ ଜାତି, ବର୍ଣ, ଲିଂଗ, ଏପରିକି ଧର୍ମର ମଧ୍ୟ ବିଭେଦ ନଥାଏ। ଗ୍ରାମ ଠୁଁ ସହର, ଗରୀବ ଠୁଁ ଧନୀ, ରାଜା ଠୁଁ ପ୍ରଜା, ସମସ୍ତେ ଗୋଟିଏ ଦିନରେ, ଗୋଟିଏ ନିର୍ଦ୍ଧାରିତ ଲଗ୍ନରେ, ଗୋଟିଏ ବିଧି ବିଧାନରେ ଓ ଗୋଟିଏ ପ୍ରଥାରେ ନୁଆଁ ଖାଇଥାନ୍ତି ।

ହିନ୍ଦୁ ପରମ୍ପରା ରେ ଏହା ଅନ୍ନ ବ୍ରହ୍ମର ପୂଜା ପାଇଁ ନବାନ୍ନ ଉତ୍ସବ ହୋଇଥିବା ବେଳେ ଆଦିବାସୀ ଜୀବନରେ ଏହା ନବାଖାନୀ,ହୋରୋ ନବାଇ,ନବାଖାଇ ଇତ୍ୟାଦି। ସମାଜଶାସ୍ତ୍ରୀ ମାନେ ଏହାକୁ ମୂଳତଃ ଆଦିବାସୀ ପରମ୍ପରା ର ପର୍ବ ବୋଲି ସ୍ଵୀକାର କରୁଥିଲେ ମଧ୍ୟ ଏଥିରେ ହିନ୍ଦୁ ବ୍ରାହ୍ମଣ ପରମ୍ପରା ର ପ୍ରଭାବ ସମାହିତ ହୋଇଛି ।

ପୂର୍ବରୁ ପଶ୍ଚିମ ଓଡିଶାର ବିଭିନ୍ନ ଗଡଜାତ ରାଜ୍ୟରେ ଭିନ୍ନ ଭିନ୍ନ ଇଷ୍ଟ ଦେବୀ ଯଥା- ସମ୍ବଲପୁର ରେ ସମଲେଶ୍ବରୀ, ସୋନପୁରରେ ସୁରେଶ୍ଵରୀ, ବଲାଂଗୀରରେ ପାଟଣେଶ୍ଵରୀ, କଳାହାଣ୍ଡିରେ ମାଣିକେଶ୍ଵରୀ ଙ୍କ ନାମରେ ଭାଦ୍ରବ ଶୁକ୍ଲପକ୍ଷ ର ବିଭିନ୍ନ ଦିନରେ ନୁଆଁଖାଇ ପାଳନ କରାଯାଉଥିଲା। ୧୯୯୧ ରୁ ପଶ୍ଚିମ ଓଡିଶାର ସମସ୍ତେ ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥି କୁ ନୁଆଁଖାଇ ଭାବେ ପାଳନ କରି ଆସୁଛନ୍ତି ।

ଭାଦ୍ରବ ମାସ ସାରା ନୁଆଁଖାଇକୁ ନେଇ ସାଜସଜ୍ଜା ଜାରି ରହିଥାଏ। ପ୍ରଥମ କାର୍ୟ ଭାବରେ ଜନ୍ମାଷ୍ଟମୀ ପରଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ଓ ଗଣକ ମାନେ ଏକାଠି ହୋଇ ନୁଆଁଖାଇର ଲଗ୍ନ ନିର୍ଣୟ କରିଥାନ୍ତି ।

ତାପରେ ଆରମ୍ଭ ହୁଏ କିଣା ବିକା, ସଜବାଜ, ଲିପାପୋଛା ଓ ଘର ଫେରନ୍ତା ପର୍ବ । ବର୍ଷରେ ଥରେ ନୁଆଁଖାଇ ତିହାର ଲାଗି ପରିବାରର ଯିଏ ଯେଉଁଠି ଥାଆନ୍ତୁ ଘରକୁ ଫେରି ଆସନ୍ତି ଓ ପରିବାର ଏକତ୍ର ନୁଆଁ ଧାନ କୁ ପ୍ରସାଦ ଭାବେ ସେବନ କରିଥାନ୍ତି।

କୁରେଇ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ । ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ । ନୁଆଁ ଖାଇ ସକାଳୁ କ୍ଷେତ ରେ ପୂଜା କରାଯାଏ, ଘରେ ଲକ୍ଷ୍ମୀ ପୂଜା ହୁଏ, ଗ୍ରାମ ଦେବୀ ଓ ଇଷ୍ଟ ଦେବୀଂକ ପାଖକୁ ଉପହାର ନେଇ ଶୋଭାଯାତ୍ରାରେ ଯିବାକୁ ହୁଏ। ଏହି ଶୋଭା ଯାତ୍ରା କୁ ପାହୁର୍ ଯାତ୍ରା ବୋଲି କୁହାଯାଏ ।

ପୂଜା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସନ୍ତି ଓ ଘରର ମୁଖିଆ ସମସ୍ତଂକ ହାତରେ ନୁଆଁ ଅନ୍ନ ପ୍ରସାଦ ଦେଇଥାନ୍ତି। ଏହାକୁ ସେବନ କଲା ପରେ ମାନ୍ୟ ଅନୁସାରେ ଘରର ସମସ୍ତେ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ପରିବାର, ପରିଜନ ଓ ଗାଁ ଲୋକଂକୁ ସମସ୍ତେ ଜୁହାର ଭେଟ ହୁଅନ୍ତି । ଜୁହାର ଭେଟ ମାଧ୍ୟମରେ ଶତ୍ରୁତା ମିତ୍ରତା ରେ ପରିଣତ ହୁଏ।

 ନୁଆଁଖାଇରେ ରକମ ରକମ ର ପିଠା ମଣ୍ଡା, କାକରା, ମିଠା ଓ ତରକାରୀ ପ୍ରସ୍ତୁତ କରାଯାଏ। ବର୍ଷର ସବୁଠୁ ଭଲ ଖାଦ୍ୟ ଏହି ଦିନ ଘରେ ପ୍ରସ୍ତୁତ ହୋଇଥାଏ। ନୁଆଁଖାଇ ହେଉଛି ସବୁ ପ୍ରକାର ସାଂସ୍କୃତିକ ଓ ସାମାଜିକ ସୌନ୍ଦର୍ଯ୍ୟ ର ମିଳନ ପର୍ବ ।

ଖାଇ ସାରିବା ପରେ ଛୁର୍, କବାଡି ଇତ୍ୟାଦି ଖେଳରେ ସମସ୍ତେ ଏକତ୍ରିତ ହୁଅନ୍ତି। ସଂଧ୍ୟାରେ ନାଚ ଗୀତ ଓ ପାରମ୍ପରିକ ଲୋକ କଳା ର ଉତ୍ସବ ଅନୁଷ୍ଠିତ ହୋଇଥାଏ। ପଶ୍ଚିମ ଓଡିଶାର ଜୀବନବୋଧ ହେଉଛି ଗୋଟେ ନୁଆଁଖାଇ ରୁ ଆଉ ଗୋଟେ ନୁଆଁଖାଇ ପର୍ଯନ୍ତ ଗୋଟିଏ ବର୍ଷ ।

ତେଣୁ କଥାରେ ଅଛି “ଜିଇଂ ଜାଗି ଥିଲେ ବଛରେ” ନୁଆଁଖାଇ ଜୁହାର୍….

ବିଶେଷ ଭାବରେ କୃଷି ଉତ୍ପାଦିତ ସାମଗ୍ରୀ ଉପରେ ମନୁଷ୍ୟ ର ଜୀବନ ଜୀବିକା ନିର୍ବାହ କରିଥାଏ।କେଉଁ ଆଦିମକାଳରୁ ମନୁଷ୍ୟ ପ୍ରକୃତି ସହ ଓତଃପ୍ରୋତ ଭାବରେ ଜଡିତ।ସେ କଞ୍ଚା ମାଂସ ଖାଇଛି।ପରେ ପୋଡା ମାଂସ ଖାଇଲା।ଧିରେ ଧିରେ ଚାଷ କରିବା ଆରମ୍ଭକଲା।ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ର,ଗଛ,ପାହାଡ,ଅଗ୍ନି କୁ ପୂଜା କରିଛି।କୃଷି ପାଇଁ ଧରଣୀ ମାଁ କୁ ଗୁହାରି କରିଛି।ପ୍ରଥମ ଶସ୍ୟ ଉତ୍ପାଦନ ହେଲେ ଧରଣୀ ମାଁକୁ ସମର୍ପି ଥାଏ।ପରେ ସମସ୍ତ ପରିବାର ମଧ୍ୟରେ ଆହାର କରାଯାଏ।କ୍ଷୁଧା ନିବାରଣାର୍ଥେ ଜଗଂଳ ଜାତ ଦ୍ରବ୍ଯ ସହ ଖାଦ୍ୟ ଶସ୍ୟ ଉପରେ ନିର୍ଭର କରିଆସିଛି।ନିଜେ ଉତ୍ପନ୍ନ କରି ନିଜ ପରିବାର ପ୍ରତିପୋଷଣ କରିଆସିଛି।ଆହାର ପାଇଁ ଅନ୍ୟ କାହାଉପରେ ନିର୍ଭରଶୀଳ ନ ହୋଇ ସ୍ବାବଲମ୍ବି ହେବାପାଇଁ ଚେଷ୍ଟା କରିଛି।ସମୟକ୍ରମେ ମାନବ ସଭ୍ୟତା ବିକଶିତ ହୋଇଛି।ମଣିଷର ପ୍ରତ୍ୟେକ କ୍ଷେତ୍ରରେ ଢେରସାରା ପରିବର୍ତ୍ତନ ଘଟିଛି।ଏହି ପରିବର୍ତନ ଭିତରେ ମଣିଷ ଭୂଲିନାହି ପ୍ରକୃତି ଉପସନାର ପରପଂରା।ଯିଏ ତାକୁ ଯାହାଦିଏ ପ୍ରତିଦାନ ରେ କୃତଜ୍ଞତା ଜଣାଇଥାଏ।

ବର୍ତ୍ତମାନ ର ଅତ୍ୟାଧୁନିକ ଯୁଗରେ ମଧ୍ୟ ମଣିଷ ଭୂଲିନାହି କେଉଁ କାଳରୁ ଚଳିଆସୁଥିବା ପରପଂରା ରିତିରିବାଜ ସବୁ।ଦୈନନ୍ଦିନ ଚଳଣୀ ରେ ଯେତେ ପ୍ରଥାକୁ ମାନିଆସୁଛି।ଏମିତି ଏକ ପାରମ୍ପାରିକ ପର୍ବ ନୂଆଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ଭାବରେ ସୁପରିଚିତ।ସଧାରଣତଃ ଉତ୍ପନ୍ନ ହେଉଥିବା ଖାଦ୍ୟଶସ୍ୟ କୁ ନିଜେ ପ୍ରଥମେ ଭକ୍ଷଣ କରିବା ପୂର୍ବରୁ ଦିଅଁ ଦେବତା,ଠାକୁର, ଠାକୁରାଣୀ, ଗ୍ରାମ ଦେବାଦେବୀ କୁ ଦୈବେଦ୍ୟ କରି ପରିବାର ଏକତ୍ରୀତ ହୋଇ ଭକ୍ଷଣ କରିବାକୁ ନୂଆଖାଇ କୁହାଯାଏ।

ନୂଆଖାଇ କୁ ନୂଆଖିଆ,ନବାନ୍ନ,ନୂଆତିହାର ମଧ୍ୟ କହନ୍ତି।ପୂର୍ବେ ଯେତେସବୁ କୃଷି ଦ୍ରବ୍ଯ ଉତ୍ପନ୍ନ ହେଉଥିଲା ତାକୁ ଅମଳ କରି ନିଜ ଦିଅଁଦେବତା ପାଖରେ ପ୍ରଥମେ ଅର୍ପଣ କରୁଥିଲା ତାପରେ ତାକୁ ନିଜେ ଓ ପରିବାର ପାଇଁ ବ୍ୟବହାର କରୁଥିଲା।ବର୍ଷା ଋତୁରେ ଯେଉଁ ସବୁ ଚାଷ କରୁଥିଲା ପ୍ରଥମରେ ଗୁରୁଜି,ମାଣ୍ଡିଆ, ସୁଆଁ, କାଂଗ, କାକୁଡ଼ି, ପାଣି କଖାରୁ,ଜହ୍ନି, ବୋରବୋଟି ବାହାରୁଥିଲା ଏସବୁକୁ ଚାଷକରି ନିଜ ଦେବା ଦେବୀ କୁ ପୂଜାପାଠ କରି ଭୋଗ ବାଢି ସେହି ଭୋଗ କୁ ଖାଉଥିଲା। ସେଦିନ ଠାରୁ ଏହିସବୁକୁ ନିୟମିତ ଭାବରେ ଆହାରରେ ବ୍ୟବହାର କରୁଥିଲା।ଏହି ସବୁର ଉତ୍ପନ୍ନ ପରେ ପୋରାଧାନ, ଚିଂଗେର ଧାନ, ସେଟକା ଧାନ ହେଉଥିଲା।ଧାନକୁ ମହାଲକ୍ଷ୍ମୀ ର ପ୍ରତୀକ ଭାବରେ ବିବେଚନା କରାଯାଏ।

ଯେହେତୁ ଅନ୍ନ ମାଧ୍ୟମରେ ବର୍ଷ ତମାମ ମଣିଷ ଭୋକ ମେଣ୍ଟାଇ ଥାଏ ତେଣୁ ନୂଆଧାନରୁ ପ୍ରଥମ କରି ଅନ୍ନ ଭକ୍ଷଣ କରିବା ପୂର୍ବରୁ ନିଜ ଦିଅଁଦେବତା ଗ୍ରାମ ଦେବାଦେବୀ କୁ ଅର୍ପଣ କରି ନିଜେ ଭକ୍ଷଣ କରିଥାଏ।ଆଗକାଳରେ ଲୋକମାନେ ଘରେ ଚାଉଳ ତଥା ଅନ୍ୟାନ୍ୟ ଶସ୍ଯ ସାଇତିରଖି ପାରୁନଥିଲେ କାରଣ ଯେତେ ଉତ୍ପନ୍ନ ହେଉଥିଲା ତାହା ନିଅଣ୍ଟ ପଡୁଥିଲା।ଜଣକ ପାଖରେ ଯଦି କିଛି ନାହିଁ ତାହେଲେ ନିଜର ଜମିବାଡିରେ ଯାହା ଅମଳ ହେଉଥିଲା ତାହା ତା ଚୁଳିକୁ ଆସୁଥିଲା।ଯଦି ନୂଆଖାଇ ହେଇନଥିବ ସେମାନେ ନିଜର ଶସ୍ୟ ଅମଳ କରି ଖାଇପାରିବେ ନାହିଁ।ନିଜର ସ୍ବାଭିମାନ କୁ ବଞ୍ଚାଇ ରଖିବା କାହା ଆଗରେ ହାତପତାଇବା ନାହିଁ ଏହି ଉଦେଶ୍ୟ ରେ ଭାଦ୍ରବ ମାସର ତୃତୀୟ, ପଞ୍ଚମୀ,ସପ୍ତମୀ ତିଥି ରେ ଶୁଭବେଳା ଦେଖି ନୂଆଖାଇ ପାଳନ କରୁଥିଲେ।ନୂଆଖାଇ ପାଳନ ହେବା ଆଗରୁ ଘରଦ୍ୱାର ଲିପାପୋଛା କରୁଥିଲେ।ଘରର ପ୍ରତ୍ୟେକ ଜିନିଷପତ୍ର କୁ ଧୁଆରୁଆ କରୁଥିଲେ। ପରିବାର ସମସ୍ତ ଙ୍କ ପାଇଁ ନୂଆଲୁଗା ଆସୁଥିଲା।ଝିଅ ଘରକୁ ଭାରିଆ ପିଠା,ପଣା,ଖଜା ଓ ନୂଆଲୁଗା ନେଇକି ଯାଆନ୍ତି। ସାଂଗସାଥି,ମିତ,ମହାପ୍ରସାଦ,ମକର,ଭେଲୋକ,ଭଏନଲୋକ,ବେଲଗଜା,ଗଜାମୁଗ,ବଉଲ ମାନଙ୍କ ମଧ୍ୟରେ ଲୁଗାପଟା,ଖଜାମିଠା ଦିଆନିଆ ହୋଇଥାଏ।ଏହାକୁ ଯୋଗାର ଦିଆନିଆ କହନ୍ତି।ଚିତାଲାଗି ଅମାବସ୍ୟା ନୂଆଖାଇର ଆଦ୍ୟ ପର୍ବ ଭାବରେ ପାଳନ କରିଥାଏ। ଏହିଦିନ ଚାଷା ବିଳକୁ ଯାଇ କେନ୍ଦୁଡାଳ ଗାଡିବାର ପରମ୍ପରା ରହିଛି ଏହାର ଅର୍ଥ ହେଲା ଧାନ ଗଛରେ ରୋଗ ପୋକ ଲାଗିବ ନାହିଁ।ଧାନଗଛ କେନ୍ଦୁଡାଳ ପରି ଲସଲସିଆ ହେବ ଅମଳ ଅଧିକ ହେବ।ଏହିଦିନ ଗାଁ ରେ ପୁଝାରୀ ରୋଗଵୋହଲା କରିବ।ଏହା କରିବା ଉଦ୍ଦେଶ୍ୟ ହେଲା ଗାଁରେ କାହାକୁ ମହାମାରୀ ପରି ମାରତ୍ମକ ରୋଗ ହେବନାହିଁ।କମାର ମଧ୍ୟ ଏହିଦିନ ଘର ଘରବୁଲି ଲୁହାକଣ୍ଟା ପୋତି ଥାଏ ଯେମିତି ମହାମାରୀ ଘରକୁ ପ୍ରବେଶ କରିବ ନାହିଁ।ଏହାପରେ ପରେ ପାଳନ କରାଯାଏ ସପ୍ତପୁରୀ ଅମାବାସ୍ୟା ଯାହାକୁ ପୋରାଉଁଆସ ମଧ୍ୟ କହନ୍ତି।

ବର୍ତ୍ତମାନ ଓଡିଶା ସରକାର ଙ୍କ ଘୋଷଣା ଅନୁସାରେ ପ୍ରତିବର୍ଷ ଭାଦ୍ରବ ମାସ ଋଷିପଞ୍ଚମୀ ତିଥିରେ ନବାନ୍ନ ପାଇଁ ଧାର୍ଯ୍ୟ କରାଯାଇଛି।ଅଳେଖ ଧର୍ମାବଲମ୍ବୀ ଭକ୍ତମାନେ ଶ୍ରାବଣ ପୂର୍ଣ୍ଣିମା ରେ ନବାନ୍ନ ପାଳନ କରିଥାନ୍ତି।ପଶ୍ଚିମ ଓଡ଼ିଶାରେ ମାଁ ସମଲେଶ୍ବରୀ ପୀଠ ରେ ନୂଆଁଲାଗି ହେଲା ପରେ ସମସ୍ତେ ନଵାନ୍ନ ଭକ୍ଷଣ କରିଥାନ୍ତି ।

ପୁରୀ ମୁକ୍ତି ମଣ୍ଡମ ପଣ୍ଡିତ ମାନେମଧ୍ୟ ନବାନ୍ନ ପାଇଁ ଉପଯୁକ୍ତ ସମୟ ନିର୍ଣ୍ଣୟ କରିଥାନ୍ତି। ଏହାବାଦ ନିଜ ନିଜ ଗାଁ, ଅଞ୍ଚଳର ଦେବାଦେବୀ ମାନଙ୍କ ନୂଆଲାଗି ଅନୁସାରେ ନବାନ୍ନ ଭକ୍ଷଣ କରାଯାଏ।ଯେମିତି କଳାହାଣ୍ଡି ରେ ଜୁନାଗଡ଼ ଦଧିବାମନ ମହାପ୍ରଭୁଙ୍କ ନୂଆଲାଗି ହେଲାପରେ ଅଞ୍ଚଳବାସୀ ନୂଆଖାଇ ଥାନ୍ତି।ଏହାଛଡା ବିଭିନ୍ନ ଅଞ୍ଚଳରେ ନିଜ ନିଜ ର ସୁବିଧା ଅନୁସାରେ ନୂଆଖାଇ ର ତିଥି, ଲଗ୍ନ ସ୍ଥିର କରିବାର ଦେଖିବାକୁ ମିଲିଥାଏ।ପରମ୍ପରା ଅନୁସାରେ କଳାହାଣ୍ଡି ଗଡଜାତ ଅଞ୍ଚଳରେ ଦଶମୀ ଦିନ ନବାନ୍ନ ପାଳନ କରିଥାନ୍ତି।ନୂଆଖାଇ ପୂର୍ବ ଦିନ ଦାଣ୍ଡସରା ନୀତି କରାଯାଏ ।ଗାଁ ଦାଣ୍ଡ ପରିଷ୍କାର ପରିଚ୍ଛନ କରାଯାଏ, ଏହିଦିନ ଗାଁ ଦେବାଦେବୀ ପୀଠରେ ନୂଆଧାନ ଚାଉଲ/ଚୁଡା ଅର୍ପଣ କରା ଯାଇଥାଏ। ନୂଆଖାଇ ପୂର୍ବ ରାତିରେ ଗାଁର ପୃଝାରୀ ଗୋନ୍ତିଆଘର ଜମିକୁ ଯାଇ ମାଟିହାଣ୍ଡିରେ ପାଣି ଆଣିଥାନ୍ତି।ସେହିପାଣିରେ ନବାନ୍ନ ଦିନ ସମସ୍ତ ଭୋଗରାଗ ତିଆରି କରାଯାଏ।ଲୋକେ ବଡିଭୋରରୁ କ୍ଷେତ ରୁ ନୂଆ ଧାନ ସଂଗ୍ରହ କରିବା ପାଇଁ ଯାଆନ୍ତି।

ଏହିଦିନ ଯିଏ ଯାହାର ଭଟାରୁ ଧାନ ନେଲେ ମନାକରନ୍ତି ନାହିଁ।ନୂଆଖାଇ ଦିନ ନାନା ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ।ସାଧାଭାତ,ଖିଚିଡି,ଭାତ,ପଲଉ,ଡାଳି,ବେସର,ଶାଗ, ଆମ୍ବିଳ,ବାଡ଼ି ରେ ପ୍ରଥମକରି ବାହାରୁଥିବା ପରିବା ତରକାରୀ, ଭଜା, ଛଣା,ଆରିସା ପିଠା,ପୁରୀ ପିଠା,ଟାକୋପିଠା,ଗୁନଚେଳ ପିଠା,ବିରିପିଠା, ମୁଗବରା,ଖିରି ସହିତ ନୂଆଧାନରେ ଚୁଡା/ଚାଉଲ ଦିଅଁଦେବତା ଠାରେ ସମର୍ପିତ କରାଯାଏ।ନୂଆକୁ କେବଳ କୁରେଇ ପତ୍ର ଖଲି କିମ୍ବା ଦନାରେ ପରଶା ଯାଏ।ସବୁ ନହେଲେ ଚଲିବ ଯଦି କୁରେଇ ପତ୍ର ହେବନାହିଁ ତାହେଲେ ନୂଆଖାଇ ମଧ୍ୟ ହେବ ନାହିଁ। ସମସ୍ତେ ନୂଆ ଲୁଗାପଟା ପରିଧାନ କରନ୍ତି।ଘରର ଦିଅଁଦେବତା ପାଖରେ ସମସ୍ତେ ବସନ୍ତି।ଘରର ମୁରବି ସମସ୍ତ ଙ୍କୁ ନବାନ୍ନ ବାଣ୍ଟିବା ପରେ ସମସ୍ତେ ଭକ୍ଷଣ କରନ୍ତି। ନୂଆଖାଇ ସାରି ଦିଅଁଦେବତା କୁ ମୁଣ୍ଡିଆ ମାରନ୍ତି ସେହିପରି ପରିବାର ର ସାନମାନେ ବଡମାନଙ୍କ ଠାରୁ ଆଶୀର୍ବାଦ ନିଅନ୍ତି।ପରିବାରରେ ଥିବା ରାଗ ଅଭିମାନ ସବୁଭୂଲି ଯାଇ ନୂଆଖାଇ ଦିନ ଏକାଠି ହେଇଥାନ୍ତି।ଘର ଲୋକ ଯେତେଦୂରେ ରହୁଥିଲେ ମଧ୍ୟ ନୂଆଖାଇ ଦିନ ଘରକୁ ଆସିଥାଏ।

ଏମିତି ନୂଆଖାଇବା ପାଇଁ ବିଦେଶରୁ ମଧ୍ୟ ଗାଁ କୁ ଆସିଥିବାର ନଜିର ରହିଛି।ନୂଆଖାଇ ପରଦିନ କୁ ବାସି ତିହାର,ନୂଆଖାଇ ବାସି କହନ୍ତି।ଏହିଦିନ ସମସ୍ତେ ଜୁହାର ଭେଟ ହୁଅନ୍ତି,ଗାଁଟାସାରା ସତେମନେ ହୁଏ ଗୋଟେ ପରିବାର।ଗାଁରେ ନାଚ ଗୀତର ଆସର ଜମେ। କଳାହାଣ୍ଡିରେ ବୀରବାଦ୍ୟ ଘୁମୁରାରେ ଗାଁ ଦାଣ୍ଡ ଦୁଲୁକି ଉଠେ।ଧଗଂଡା ଧାଗଂଡି ନାଚ,ଦାସକାଠିଆ, ଘୁଡକା ର ସ୍ଥାନ ଏବେ ରେକର୍ଡ ଡ୍ୟାନ୍ସ ଅଧିକାର କରିବସିଲାଣି।ଆହୁରି ମଧ୍ୟ ଗାଁର ଜୁଆନ ସିଆନ ମାନେ କବାଡି,ଡୁଡୁ,ଫିତୁ ଖେଳ ଖେଳନ୍ତି।ଧାଗଂଡି ମାନେ ବହୂଚୋରୀ, ଲୁକଲୁକାନୀ,ବାଡିଡେଗେନ,ପୁଚି ଖେଳିଥାନ୍ତି।ବାସୀଦିନ ଛେଳି,ମେଣ୍ଢା, ବତକ,କୁକୁଡ଼ା ମାରି ମାଂସ ଖିଆଯାଏ।ଏହିଦିନ କେତେକ ମଦପାଣି ମଧ୍ୟ ପିଇଥାନ୍ତି।ବର୍ଷ ତମାର ଦୁଃଖ ଭୁଲି ସମସ୍ତଙ୍କ ସହ ସୁଖ ଦୁଃଖ ହୁଅନ୍ତି।ବର୍ତ୍ତମାନ ଚିତ୍ର ବଦଳିବାରେ ଲାଗିଛି।ଲୋକେ ସୁବିଧା ରେ ଖାଇବା ପାଇଁ ଚାଉଳ ପାଇପାରୁଛନ୍ତି।ପେଟ ପାଇଁ ଚିନ୍ତା ରେ ଆଗ ଅପେକ୍ଷା ଏବେ କିଛି ସୁଧାର ଆସିଛି।ଆଗ ଯେମିତି ଧାନ ପାଚିଲା ପରେ ପରେ ସାଗେଂ ସାଗେଂ କାଟି କୁଟି ରୋଷେଇ ହେଉଥିଲା ।

ସେଥିପାଇଁ ତ ଶିଘ୍ର ନବାନ୍ନ କରି ନିଜେ ଆହାରଣ କରୁଥିଲେ।ନୂଆଖାଇ ସାମାଜିକ ଜୀବନ କୁ ବହୁଲ ଭାବରେ ପ୍ରଭାବିତ କରିଥାଏ ।ଯାର ଥାଉନଥାଉ ଧୁମଧାମରେ ନୂଆଖାଇ ପାଳନ କରିଥାଏ।ଏଥିପାଇଁ ସୁନା ବଧାଂ,କମ୍ ଟଙ୍କାରେ ବସ୍ତାଧାନ,ଋଣ କରଜ କରିଥାଏ।ତଥାପି ପାରମ୍ପାରିକ ସ୍ବାଭିମାନ କୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ନୂଆଖିଆ ପାଳନ କରିଆସୁଛି।ନୂଆଖାଇ ଏବେ ବିରାଟ ଗଣପର୍ବରେ ରୂପାନ୍ତରିତ ହୋଇ ସାରିଲାଣି।ଯଦିଓ ପୂର୍ବ ପ୍ରଥା ପରମ୍ପରା ରେ ଅନେକ ବ୍ୟତିକ୍ରମ ପରିଲକ୍ଷିତ ହେଉଛି ତଥାପି ତାର ମୈଳିକତା ରକ୍ଷା ପାଇଁ ଯଥେଷ୍ଟ ଚେଷ୍ଟା କରୁଛି ମଣିଷ।ସେଥିପାଇଁ ତ ନୂଆଖାଇ ପରେ ପରେ ଭେଟଘାଟ ଅନୁଷ୍ଠିତ ହୁଏ ।ଆମ ରାଜଧାନୀ ଭୁବନେଶ୍ବର ଠାରେ ଏବଂ ରାଜ୍ୟ ବାହାରେ ମଧ୍ୟ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଥାଏ।ଏଠି ସମସ୍ତେ ଭେଟଘାଟ ହୁଅନ୍ତି।ନୂଆଖାଇ ବିଷୟରେ ଆଲୋଚନା ହୁଏ।କବିତା ଆସର ଚାଲେ।ଅଞ୍ଚଳର ଲୋକ କଳା,ସଂସ୍କୃତି କୁ ପ୍ରଦର୍ଶନ କରାଯାଏ।

ନୂଆଖାଇ ର ଏହି ଯେଉଁ ନିଆରା ପରଂପରା ରହିଛି ଏହା କେବଳ ପଶ୍ଚିମ ଓଡିଶା କି ଓଡିଶା ଭିତରେ ସୀମିତ ନୁହେଁ।ଭାରତବର୍ଷର ବିଭିନ୍ନ ରାଜ୍ୟ ମାନଙ୍କରେ ମଧ୍ୟ ନୂଆଖାଇ ର ପରଂପରା ରହିଛି।ନୂଆଖାଇ ପର୍ବ ଆତ୍ମସମର୍ପଣ ଓ ଆତ୍ମସନ୍ତୋଷ ର ପ୍ରତୀକ। ପ୍ରକୃତି ଦତ୍ତ ଦ୍ରବ୍ଯ କୁ ପ୍ରଥମେ ସମର୍ପଣ ତାପରେ ଭକ୍ଷଣ କରିଥାଏ।ପ୍ରକୃତି ପ୍ରତି ଏହା ମଣିଷ ର ଗଭୀର ଆତ୍ମନିବେଦନ ଅଟେ।ନିଜକୃଷି କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ଶସ୍ୟ କୁ ଖାଦ୍ୟଭାବରେ ବ୍ୟବହାର କରି ଆତ୍ମନିର୍ଭରଶୀଳ ହୋଇଥାଏ। କେଉଁ ଅନାଦି କାଳରୁ ଏହି ପରମ୍ପରା ପ୍ରଚଳିତ ହେଇଆସୁଛି। ନୂଆଖାଇ ଏହି ନିଆରା ପ୍ରଥା,ପରମ୍ପରା ମଣିଷ କୁ ସ୍ବାବଲମ୍ବି ହେବାପାଇଁ ଶିକ୍ଷା ପ୍ରଦାନ ସହ ସଦଭାବନା,ଶାନ୍ତି, ମୈତ୍ରୀ, ଭାତୃଭାବ ପ୍ରତିଷ୍ଠା ଦିଗରେ ସହାୟକ ହୋଇଥାଏ।ଏହିପରି ଏକ ମହାନ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ କରିବା।

ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ସାମାଜିକ ଏକତା…..

ନୂଆଖାଇ ଏକ ଗଣପର୍ବ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ ।ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା ।

ଦଶହରା ସମୟରେ ନବାନ୍ନ……

ପୁରା କାଳରୁ ନବାନ୍ନ ସମୟରେ ପରିବାରର ସମସ୍ତେ ଏକାଠି ନବାନ୍ନ ଗ୍ରହଣର ପରମ୍ପରା ଥିଲା । ତେଣୁ ନବାନ୍ନ ଆଗରୁ ଯେଇ ଯୌଠି ରହୁଥିଲେ ମଧ୍ୟ ନବାନ୍ନ ସମୟ ଆଗରୁ ନିଜ ପୈତୃକ ଗୃହକୁ ଆସୁଥିଲେ । ଆଗ କାଳରେ ପୁଅ ଝିଅ ମାନେ ପ୍ରାୟତଃ ବେଶୀ ଦୂରରେ ରହୁନଥିବାରୁ ଏହା ସମ୍ଭବ ହୋଇ ପାରୁଥିଲା । କିନ୍ତୁ ଏବେ ଯୁଗର ପରିବର୍ତ୍ତନ ସହ ଅନେକ ଘରେ ପୁଅ, ବହୁ, ଝିଅ ମାନେ ବହୁ ଦୂର ଦୁରାନ୍ତରେ ନିଜର ଜୀବିକା ସ୍ଥଳୀରେ ରହିଥାନ୍ତି । ତେଣୁ ଅନେକ କ୍ଷେତ୍ରରେ ନବାନ୍ନ ସମୟରେ ସେମାନେ ପୈତୃକ ଗ୍ରାମ ବା ଗୃହକୁ ଆସିବା ସମ୍ଭବ ହେଇ ନ ଥାଏ । ତେଣୁ ଏକ ପରମ୍ପରା ଅନୁସାରେ ସେହି କ୍ଷେତ୍ରରେ ସେହି ପରିବାର ଦଶହରାର ଅଷ୍ଟମୀ ତିଥିରେ ନବାନ୍ନ ଯଥାରିତ ପାଳନ କରନ୍ତି ।

ଲଗ୍ନ….

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।

ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ ।ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।

କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ପଞ୍ଚମୀ ଓ ଗଡଜାତ ଜମିଦାରୀ ଅଞ୍ଚଳରେ ଦଶମୀ ତିଥିରେ ପାଳନ କରାଯାଇଥାଏ ।

ପୂର୍ବାଞ୍ଚଳରେ ଏହା ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ବ୍ୟବହୃତ ହୋଇଥାଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି ।

ଅଞ୍ଚଳ….

ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି । ବିଶେଷକରି ଗୁଜରାଟର ସୁରତ, ଛତିଶଗଡ଼ର ରାୟପୁର, ବିଶାଖାପାଟଣା, ଚେନ୍ନାଇ, ମୁମ୍ବାଇ ଓ ଦିଲ୍ଲୀ ଆଦି ସହରରେ ଏହା ପାଳନ କରାଯାଇଥାଏ ।

ପାଳନ ବିଧି….

ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କଦ୍ୱାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି ।ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।

ନୂଆାଖାଇ ବାସି….

ନୂଆଖାଇ ପରଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ । ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ । ସେଥିପାଇଁ ଏହି ଦିନ ଆଇଁଷ ଖାଇଥାନ୍ତି ।

କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ଉପସ୍ଥାପନା…..

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଖାଇ। ନୂତନ ଶସ୍ୟ କୁ ପ୍ରଥମେ ଇଷ୍ଟ ଦେବୀଙ୍କ ପାଖରେ ସମର୍ପଣର ପର୍ବ। ଯିଏ ଯେଉଁଠି ବି ଥାଉ ନା କାହିଁକି ଏହି ଦିନ ଗାଁ କୁ ଫେରିବାର ପ୍ରଥା ରହିଛି। ତେବେ ଏବେ ବ୍ୟସ୍ତ ବହୁଳ ଜୀବନ ନୂଆଖାଇ ର ଖୁସିକୁ ଛଡ଼ାଇ ନେଇଛି। ନିଜ ଗାଁ ଓ ପରିବାର ପାଖକୁ ଆସିପାରୁ ନଥିବା ଲୋକ ମାନେ ନିଜ ନିଜ କର୍ମ ସ୍ଥଳୀରେ ପାଳନ କରୁଛନ୍ତି ନୂଆଖାଇ ପର୍ବ। ତେଣୁ ଏହି ପର୍ବ ଆଉ ପଶ୍ଚିମ ଓଡ଼ିଶା ବା ଓଡିଶା ଭିତରେ ସୀମିତ ରହିନାହିଁ। ଏବେ ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରେ, ବିଦେଶରେ ମଧ୍ୟ ଏହି ପର୍ବ ପାଳନ କରାଯାଉଛି।

ପ୍ରତାପ କିଶୋର ମୁଣ୍ଡ, ସାହିତ୍ୟିକ ତଥା ଶିକ୍ଷାବିତ୍।

ନୂଆଖାଇ ହେଉଛି ଭାଇ ଚାରାର ପର୍ବ…ଭିନ୍ନତା ଭିତରେ ଏକତାର ପର୍ବ। ଭାଇ ଭାଇ ଭିତରେ ଥିବା ଶତ୍ରୁତା, ବାପ ପୁଅ ଭିତରେ ଥିବା ମନୋମାଲିନ୍ୟ ସବୁ କୁ ପାଶୋରି ସମସ୍ତେ ଗୋଟିଏ ଛାତ ତଳେ ଗୋଟିଏ ଘରେ ନୂଆ ଖାଇଥାନ୍ତି। ଯିଏ ଯେଉଁଠି ଥାଉ ନା କାହିଁକି ସମସ୍ତେ ସପରିବାର ଆସିଥାନ୍ତି ଘରକୁ। ଛୋଟ ମାନେ ବଡ ମାନଙ୍କୁ ମୁଣ୍ଡିଆ ଓ ବଡ ମାନେ ଛୋଟ ମାନଙ୍କୁ ଆଶିର୍ବାଦ କରନ୍ତି। ଏହା ହେଉଛି ନୂଆଖାଇର ଅନନ୍ୟ ପରମ୍ପରା।

ଘନଶ୍ୟାମ ମେହେର, ଚିଚୈଗୁଡା

ଆଦିମ ସଂସ୍କୃତିର ପାରମ୍ପାରିକ ପର୍ବ ପର୍ବାଣୀ ମଧ୍ୟରୁ ନୂଆଖାଇ ଅନ୍ୟତମ। ଏହା ଆଦିବାସୀ ସଂସ୍କୃତିର ଏକ ମହନୀୟ ପାରମ୍ପରିକ ପୁରାତନ ପର୍ବ। ପ୍ରାଚୀନ କାଳରୁ ଅନ୍ନ କୁ ଈଶ୍ବରଙ୍କ ଅନ୍ୟରୁପ ବୋଲି ଗ୍ରହଣ କରାଯାଇଛି। ନୂତନ ଶସ୍ୟକୁ ଈଶ୍ୱରଙ୍କୁ ସମର୍ପଣ କରିବାର ବିଧି ଓ ପରମ୍ପରା ନିଆରା।

ମକୁନ୍ଦ ଶବର, ସରପଞ୍ଚ, ବଡବସୁଲ।

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଓ ଏଥିରେ ସମସ୍ତେ ସାମିଲ ହୋଇଥାନ୍ତି । ଆନନ୍ଦର ସହ ନୂଆଖାଇ ଭେଟଘାଟର ଆସର ଜମିଥାଏ । ଦୁଇବର୍ଷ ହେଲା କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଥିଲା ଏହି ଗଣପର୍ବ। ମାଟି ମା ପ୍ରତି,ପ୍ରଥମ ଉତ୍ପାଦିତ ଶସ୍ୟ ପ୍ରତି, ଇଷ୍ଟ ଦେବ ଦେବୀଙ୍କ ପ୍ରତି ହୃଦୟର ଗଭୀର ଭକ୍ତି ନୈବେଦ୍ୟ ଅର୍ପଣ କରିବାର ଏକ ମହାନ୍ ଗଣପର୍ବ ନୂଆଖାଇ।
ଅଶୋକ କୁମାର ପଟ୍ଟନାୟକ, ଛୋରିଆଗଡ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଧର୍ମଗଡ଼ ଅଂଚଳର ସମସ୍ତ ଜନସାଧାରଣ ଭାଇ ଭଉଣୀ ମାନଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ।ଏହି ମହାନ ପର୍ବ ସମସ୍ତଙ୍କର ପାଇଁ ସୁଖ,ଶାନ୍ତି ଓ ସଂବୃଦ୍ଧି ଆଣିଦେଉ… ଏହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା..ଜୟ ଜଗନ୍ନାଥ।

ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଅଧ୍ୟକ୍ଷ, ଜଗନ୍ନାଥ ସେବା ସମିତି।

Related posts

ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଚୟନ

Sunil Chandra Nayak

ସାନମହେଶ୍ୱର ପଂଚାୟତ ରେ ଜନ ଶୁଣାଣି

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!