ଡାଲ ଖାଇରେ
ଚନ୍ଦ୍ରକଳା ଦେବୀ
ଡାଲ ଖାଇରେ ଡାଲ ଖାଇ
ଆସିଛି ପରବ ନୂଆ ଖାଇ |ଘୋଷା|
ଆମ ଉତ୍କଳରେ ବାର ମାସେ ଭାଇ
ତେର ପର୍ବ ପଡିଥାଇ,
ଭାଦ୍ରବ ଶୁକୁଳ ପଞ୍ଚମୀ ତିଥିରେ
ଏଇ ପରଵ ଆସଇ |
ଡାଲ ଖାଇରେ……………………….. ||
ପଶ୍ଚିମ ଓଡିଶା ଗଣପର୍ବ ଏଇ
ନୂଆଖାଇ ଯେ ଅଟଇ,
ଦେଶବିଦେଶରେ ଯିଏଯେତେ ଦୂରେ
ଥିଲେ ଘରକୁ ଆସଇ |
ଡାଲ ଖାଇରେ…………………………||
ସମ୍ବଲପୁରର ମାଆ ସମଲେଇ
ଅଧିଷ୍ଠାତ୍ରୀ ଦେବୀ ତୁହି,
ମହା ଗଣପର୍ବ ଆମ ନୂଆଖାଇ
ଭାଇଚାରା ସୃଷ୍ଟି ପାଇଁ |
ଡାଲ ଖାଇରେ…………………………||
ଵିଧି ଅନୁଯାୟୀ ନୂଆ ଚାଉଳରେ
ପିଠାପଣା ହୋଇ ଥାଇ,
ନୂଆ ଧାନ, ନୂଆ ଚୁଡା, ଅନ୍ନ ଲାଗି
ଇଷ୍ଟଦେବୀ ଠାରେ ହୋଇ |
ଡାଲ ଖାଇରେ…………………………….||
ଚାଷୀ ଭାଇ ଆଜି ଅତ୍ୟନ୍ତ ବିଭୋର
ନମଇଁ ମା’ସମଲେଇ,
ନୂଆ ଚାଉଳର କ୍ଷୀରି ଓ କାକରା
ନେଇ କ୍ଷେତରେ ପୁଜଇ |
ଡାଲ ଖାଇରେ……………………………||
ପୂର୍ବମୁଖା ହୋଇ ପରିବାର ଲୋକେ
ନବାନ୍ନ ଭୂଞ୍ଜି ବସଇ,
କୃଷି ଭିତ୍ତିକ ଏ ପରଵ ଅଟଇ
ଚାଷୀମନ ଖୁସିହୋଇ |
ଡାଲ ଖାଇରେ……………………………||
ନବାନ୍ନ ଖାଇଣ ଲଘୁଜନ ମାନେ
ଗୁରୁଜନେ ପ୍ରଣମଇ,
ଗୁରୁ ଗୁରୁଜନ ଆଶିଷ ଲଭିଣ
ପଥେ ଅଗ୍ରସର ହୋଇ |
ଡାଲ ଖାଇରେ…………………………… ||
ରଙ୍ଗ ବୋଳାବୋଳି ହାତ ଛନ୍ଦାଛନ୍ଦି
ପାଦରେ ପାଦ ମେଳାଇ,
ନୂଆ ଖାଇ ଗୀତେ ସର୍ବେ ଝୁମି ଯିବା
ରାଗ ରୁଷା ଭୁଲି ଯାଇ |
ଡାଲ ଖାଇରେ…………………………. ||
ସରବ ଶେଷରେ ଜଣାଏଁ ପ୍ରଣତି
ଘେନ ମୋର ସମଲେଇ,
ତଵ ଆଶୀର୍ବାଦୁ ସାରା ଦୁନିଆରେ
ହସ ଖୁସି ଖେଳୁ ଥାଇ |
ଡାଲ ଖାଇରେ…………………………. ||
ବନ୍ଧୁଗାଁ, କୋରାପୁଟ



