ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଏ ଜୀବନ ଗଣିତ ବହି

ଏ ଜୀବନ ଗଣିତ ବହି

ଅପର୍ତ୍ତି ସେଠୀ

ଏ, ଜୀବନ ଗଣିତ ବହି,
କେତେବେଳେ ଶହେ,
କେତେବେଳେ ଶୂନ 
          କେବେ ସେ ସମାନ ନାହିଁ,
ଏ ଜୀବନ ଗଣିତ ବହି…….୧
ଆୟୂଷର ସଂଖ୍ୟା କେତେ ଦିନ ଦଣ୍ଡ 
       ମନେ ରଖି ହେଉ ନାହିଁ,
ଏତେ ଜଟିଳ ଏ ଭାଗ୍ୟ କର୍ମଫଳ 
        ମୂଳଚୂଳ ମିଳୁନାହିଁ।
କପାଳର ରେଖା ବାଜିମାରି ଏଠି
        ଅଟ୍ଟହାସ କରୁଥାଇ…
ଏ ଜୀବନ ଗଣିତ ବହି…..୨
ମିଶାଣ ଫଳଟି ସୁଖ ମିଳେ ଏଠି
      ସ୍ନେହରେ ପ୍ରେମ ମିଶିଲେ,
ବର୍ଗଫଳ ହୋଇ ପୁଣ୍ୟ ଆସୁଥାଇ
       ଭାବରେ ଜ୍ଞାନ ଗୁଣିଲେ।
ଭଲ ପାଇବାରୁ କ୍ରୋଧକୁ ଫେଡିଲେ‌
        ମମତା ଊଣା ହୁଅଇ …
ଏ ଜୀବନ ଗଣିତ ବହି……୩
ଜ୍ଞାନ ଭାଜକକୁ ଅହଂର ଭାଜ୍ଯରେ
      ବିଭାଜନ କରିଦେଲେ,
ଭାଗ ଶେଷ ଘୃଣା ରହିଯାଏ ସିନା
       ଭାଗଫଳ ଦୁଃଖ ମିଳେ।
ବଳକା ସଂଖ୍ୟାଟି ଅବଶୋଷ ରୂପେ
       ବନ୍ଧନୀରେ ଯାଏ ରହି….
ଏ ଜୀବନ ଗଣିତ ବହି……୪ 
ବୁଦ୍ଧି କଲମକୁ‌ ବିବେକ‌ ଖାତାରେ ‌
       ଗଣିତକୁ‌ କଷୁଥାଅ,
ସମୟ ନ‌ଈରେ ଜୁଆର ଭଟ୍ଟାର‌ 
       ଖେଳ ନିତି ଦେଖୁଥାଅ।
କେବେ ଋଦ୍ଧଦ୍ଵାର କେବେ ଶୁଦ୍ଧପ୍ରାଣ
       ପୁଣି ଧୈର୍ଯ୍ୟ ରହେ ନାହିଁ….
ଏ ଜୀବନ ଗଣିତ ବହି…..୫
ବନ୍ଧନରୁ‌ ମୁକ୍ତି ଦୁଃଖ ଠାରୁ ଶାନ୍ତି
      ରାସ୍ତାଟି କେତେ ଦୂରତା,
ସ୍ଵପ୍ନ ଓ ବାସ୍ତବ କେତେ କିଲୋଗ୍ରାମ
       କିଏ ଦାମୀ କିଏ ଶସ୍ତା?
ତୈଳ ସମ ମାନଅଭିମାନ ସବୁ
      ଲିଟରରେ ମାପ ନେଇ….
ଏ ଜୀବନ ଗଣିତ ବହି……୬
ସତ୍ୟ ଓ ଅସତ୍ୟ ଡେଙ୍ଗାକି ବାଙ୍ଗେରା
      କେତେ ଫୁଟ ଉଚ୍ଚତାରେ,
ପାପ ପୁଣ୍ୟର ଏ ଜ୍ୟାମିତି ପାଠକୁ
        ମାପ ସେଣ୍ଟିମିଟରରେ।
ଧୈର୍ଯ୍ୟର ପରିଧି ସୀମା ଟପିଗଲେ
       ସବୁ ଅନର୍ଥ‌ ହୁଅଇ…..
ଏ ଜୀବନ ଗଣିତ ବହି….୭
କେବେଅମାବାସ୍ୟା କେବେ ଜହ୍ନରାତି
      ଏହି ସଂସାର ବୃତ୍ତରେ,
ଚେତନା ବ୍ୟାସାର୍ଦ୍ଧ ଚିହ୍ନଟି‌ ହୋଇଛି
       ଜୀବ ମୃତ୍ୟୁ ଚକ୍ର ଘୂରେ।
ସଂସାରଟି ଏଠି ଶିକ୍ଷାଳୟ ବାବୁ
       ଆତ୍ମାଟି‌ ଆମର ଗୁରୁ,
ମନ ସୂତ୍ରରେ ତୁ ଗଣିତ ପାଠକୁ‌
       କଷୁଥିବୁ ହୃଦୟରୁ।
କବି ଟିଏ କିନ୍ତୁ ଜାଣି ବି ଗଣିତ
       ସାହିତ୍ୟ ସେ ଲେଖୁଥାଇ….
ଏ ଜୀବନ ଗଣିତ ବହି…..୮

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

  

Related posts

ନାବାଳିକା ଉଦ୍ଧାର

Sunil Chandra Nayak

ମ.ରାମପୁର ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

Sunil Chandra Nayak

ରାଷ୍ଟ୍ରପତିଙ୍କ ପ୍ରତି କଂଗ୍ରେସ ସାଂସଦ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ: ଜୁନାଗଡ଼ ବିଜେପିର ବିକ୍ଷୋଭ ଓ କୁଶ ପୁତ୍ତଳିକା ଦାହ

Sunil Chandra Nayak

Leave a Comment

error: Content is protected !!