ସ୍ୱାର୍ଥପର
ରାଗ (ବଙ୍ଗଳାଶ୍ରୀ )
ଏ ଦୁନିଆଁ ଭାଇ ବଡ ସ୍ୱାର୍ଥପର
ବିଶ୍ୱାସରେ ବିଷଭରି
ଦିଅନ୍ତି ଘାତକେ ମଧୁରବଚନ
ତୁମ୍ଭ ଅଗ୍ରେକହି କରି |1|
ଗିଲିଟି ଦେଖାଇ ସୁନାକହିଥାନ୍ତି
ସ୍ୱାର୍ଥପର ପ୍ରିୟହୋଇ
ବିଛୁଆତି ପତ୍ର ଦେଖାଇ କହନ୍ତି
ତୁଳସୀ ଦେଇଛି ଥୋଇ |2|
ବେଇମାନ ମାନେ ଜୀବନୁ ମାରନ୍ତି
ସାଧୁରୂପେ ଶୟିତାନ
ଯେତେ କାନ୍ଦିଲେବି ନଶୁଣନ୍ତି କିଛି
ବୁଝିଥାନ୍ତି ଆଖିକାନ |3|
ଦୁନିଆଁରେ ଯେତେ ବନ୍ଧୁଓ ବାନ୍ଧବ
କିମ୍ବା ସହୋଦର ଭାଇ
ଟାକିରହିଛନ୍ତି ବିଷ ଦେବାପାଇଁ
ନମିଳଇ ଲବେ ତ୍ରାହି |4|
ମୋଜୀବନେ ଯାହା ଘଟିଅଛି ଆଜି
ବଖାଣୁଛି ତାହା ଶୁଣ
ସ୍ୱାର୍ଥପର ଲୋକ ପ୍ରକୃତି କିପରି
ଅନ୍ତରର ଖଳ ଗୁଣ |5|
ମାଇନର ଠାରୁ ହାଇସ୍କୁଲ ଯାଏ
ଗଢ଼ିଅଛି ନିଜହାତେ
କାମଶେଷ ପରେ ମାଡମାରିମୋତେ
କନ୍ଦାଇଲେ ସ୍ଵାର୍ଥୀ କେତେ |6|
ତୁଳସୀ ବୋଲିମୁଁ ଯାହାକୁ ରଖିଲି
ପାଲଟିଲେ ବିଛୁଆତି
କୁଣ୍ଡାଇ କୁଣ୍ଡାଇ ଦିନସରେ ନାହିଁ
ଛାତିରେ ଭୂଷନ୍ତି କାତି |7|
ଦୃଷ୍ଟିପଥ ମୋର ଯେତେଦୂର ପଡେ
ଦେଖେଖାଲି ସ୍ୱାର୍ଥପର
ଶରୀରରୁ ମୋର ପ୍ରାଣ ନେବାପାଇଁ
ହେଉଛନ୍ତି ହରବର |8|
ମାଷ୍ଟରଙ୍କଠାରୁ ପିଅନ ପର୍ଯ୍ୟନ୍ତ
ବିଶ୍ୱାସରେ ବିଷଢାଳି
ସମ୍ମୁଖେ କହନ୍ତି ମଧୁର ବଚନ
ପଛରେ ଦିଅନ୍ତି ଗାଳି |9|
ମଧୁରେ ମଧୁରେ ହାସଲ କରନ୍ତି
ମୋହଠାରୁ ଯେତେକାମ
ପଶ୍ଚାତରେ କିନ୍ତୁ କାଟିଥାନ୍ତି ଚେର
ପାଲଟନ୍ତି ବଡବାମ |10|
ସଂସାର ସାଗରେ ଚଳିବାଟା କଷ୍ଟ
ବହୁରୂପୀ ଖାଲି ନର
ଚାହୁଁଚାହୁଁ ଲୋକେ ବଦଳାନ୍ତି ରୂପ
ବିଶ୍ଵରୂପ ଧରେ ନର |11|
ସ୍ୱାର୍ଥପର ଲୋକ ବିଷଜ୍ୱାଳା ସହି
ପାରୁନାହିଁ ଆଉ ଭାଇ
ମୋର ନିଜଭାଇ ଏପରି ମାରୁଛି
ତାହାର ତୁଳନା ନାହିଁ |12|
ରାଜନୀତି ଭାଇ ହେଲାଣି ଜଟିଳ
ପଶିଲେଣି ସ୍ୱାର୍ଥପର
ସୁଯୋଗ ପାଇଲେ ସବୁ ଗିଳିଥାନ୍ତି
ନବିଚାରି ସୁଵିଚାର |13|
ସମାଜେ ଚିହ୍ନିବା ସହଜ ନୁହଁଇ
କିଏ ସାଧୁ କିଏ ଚୋର
ସ୍ୱାର୍ଥପର ଲୋକ ପାଖେ ପାଖେଥାନ୍ତି
ବାହାପିଆ ଚକ୍ମଚୋର |14|
ବୋଲେ ବିଦ୍ୟାଧର ସରଳ ପାଇଁତ
ଥାଏ କେତେ ହଳାହଳ
ସ୍ୱାର୍ଥବାଦୀ ତାହା ଖଞ୍ଜି ଦେଇଥାନ୍ତି
ପ୍ରାଣନାଶେ ଅବିରଳ |15|
ଶ୍ରୀ ବିଦ୍ୟାଧର ମହାନ୍ତ,
ତମ୍ବାହରା ,ହରିଚନ୍ଦନପୁର, କେନ୍ଦୁଝର