ଭୋଦୁଅ ଆସିଛି
ଉପେନ୍ଦ୍ର କୁମାର ବସ୍ତିଆ
ଭୋଦୁଅ ଆସିଛି ଓଢ଼ଣୀ ପକାଇ
ଭିଜାଭିଜା ପଣତରେ
ନାନା ଜାତି ଫୁଲ ହସି ଉଠିଲାଣି
କିଏ ଦେବ ମୂଲ୍ୟ ତାରେ ।
ବାଦଲ କୋଳରେ ସୁରୁଜ ଲୁଚଇ
ଲାଗେ ଲୁଚକାଳି ଖେଳ
କେତେବେଳେ ଖରା କେବେବା ବରଷା
ହୁଏନା କାହାରି ମେଳ ।
ସବୁଜ ପଣତେ ଧରଣୀ ହସଇ
ସତେକି ନୂଆ ସମ୍ଭାର
ସରୋବରେ ଫୁଟି କୁମୁଦ ହସଇ
ବାସନା କିଆ ଫୁଲର ।
ପର୍ବ ପର୍ବାଣୀରେ ପୁର ପଲ୍ଲୀଠାରେ
ଗାଆଁ ଦାଣ୍ଡ ହସି ଉଠେ
ଖୁଦୁରୁକୁଣୀର ସଙ୍ଗୀତର ସ୍ୱର
ଜହ୍ନି ଓଷା ଗୀତ ଛୁଟେ ।
ଗଣପତି ପୂଜା ହୁଏ ବିଦ୍ୟାପୀଠେ
ସବୁରୀ ମନ ରଙ୍ଗାଏ
ପିଲାଙ୍କ ଆନନ୍ଦ ପୂଜି ବିଘ୍ନ ରାଜ
ସକଳ ବାଧା ଘୁଞ୍ଚାଏ ।
ଅନନ୍ତ ବ୍ରତର ନାଗ ପୂଜା ବିଧି
ପିଠାପଣା ମଉଛବ
ଭୋଦେଇ ଓଷାକୁ ପୂଜନ୍ତି ଲଳନା
ମନେ ଧରି ଗଉରବ ।
ଶରତ ଋତୁର ଭାଦ୍ରବ ମାସଟି
ଛୁଟେ ପରବର ସୁଅ
ଜାନିଯାତରାକୁ ପାଳିବାର ମଜା
ମାସଟି ଅଟେଇ ପ୍ରିୟ ।
ରାଉରକେଲା