ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ବିଶ୍ଵକର୍ମା ଆସିଛନ୍ତି

  ବିଶ୍ଵକର୍ମା ଆସିଛନ୍ତି

 

     ଅପର୍ତ୍ତି ସେଠୀ

        (ରମ୍ୟ ରଚନା)
ଗଜ ବାହନରେ‌ ପ୍ରଭୁ ବିଶ୍ଵକର୍ମା
     ମର୍ତ୍ତ୍ୟପୁର ଆସିଛନ୍ତି,
ସମୁଦ୍ର କୂଳରେ ପାରାଦୀପଠାରେ
      ସେ ପୁଣି ପହଞ୍ଚିଛନ୍ତି।
ଦେଖନ୍ତି ସେ ଭଳି ଆଡମ୍ବର ନାହିଁ
      ଫିକା ଲାଗେ ପୂଜା ପର୍ବ,
ଗଜକୁ ପୁଚ୍ଛନ୍ତି କହିବୁ ବାବୁରେ
      କରୁଛୁ କି ଅନୁଭବ?
ଗଜ ବିନୟରେ କହୁଛି ପ୍ରଭୁ ହେ
      ଆସି କରୋନା ରାକ୍ଷସ, 
ଏକତ୍ର କରାଇ ଦେଉନାହିଁ ପୁଣି
       କଷ୍ଟ ପାଉଛି ମଣିଷ।
ଅବେଳେ ଅନେକ ସଂସାରକୁ ଦୁଷ୍ଟ
       ନଷ୍ଟ କରିସାରିଲାଣି,
ଦୁଇବର୍ଷ ହେବ ଏ ମର୍ତ୍ତ୍ୟରୁ ହସ
      ଖୁସି ଛଡେଇ ନେଲାଣି।
ଯେତେ କଟକଣା ତାହା ପାଇଁ ସିନା
       ପୂଜା ପର୍ବ ହେଉନାହିଁ,
ଆପଣ ଏହାର କର ପ୍ରତିକାର
       ଗୁହାରୀ କରୁଛି ମୁହିଁ।
ପ୍ରଭୁ ବିଶ୍ଵକର୍ମା ଦିବ୍ଯ ଚେତନାରେ
       ସବୁ ସେଠି ନିରେଖିଲେ,
କରୋନା ଭୂତାଣୁ ଦୁଇପ୍ରକାରର
       ଅବିଳମ‌୍ଵେ ଜାଣିଗଲେ।
ଏ ଯେଉଁ ଭୂତାଣୁ ସଂକ୍ରମିତ ହୁଏ
       ଶରୀର ବିନାଶ ପାଇଁ,
ଅନ୍ଯ ଭୂତାଣୁଟି ମଣିଷ ମନକୁ
       ଊଈଭଳି ଚରୁଥାଇ।
ରୋଗ ଭୂତାଣୁଠୁଁ ବେଶୀ ଭୟଙ୍କର
       ଈର୍ଷା କରୋନା ଭୂତାଣୁ,
ସ୍ନେହ ସମ୍ପର୍କର ଅମୃତ ଭାବକୁ
       ନଷ୍ଟ କରେ ଜାଣୁ ଜାଣୁ।
ଅର୍ଥ, ସ୍ଵାର୍ଥ, ହିଂସା, ଦ୍ୱେଷ ଅହଂକାର
       ରୂପରେ ଏହି ଭୂତାଣୁ,
ସମସ୍ତ ବ୍ୟବସ୍ଥା ଅବ୍ୟବସ୍ଥା କରେ
      ସତେ ଯେହ୍ନେ ପରମାଣୁ।
ଏହି ଭୂତାଣୁର ପ୍ରତିକାର ପରା
      ନୁହେଁ ସହଜ ବ୍ୟାପାର,
ସହନଶୀଳ ଓ ଧୈର୍ଯ୍ୟର ମାସ୍କଟି
      ମୁହେଁ ଦେବା ଦରକାର।
ଭଲ ପାଇବାର ସାନିଟାଇଜରେ
      ମନ ଧୋଇବା ଦର୍କାର,
 ଦୁର୍ନୀତି ଦୁଷ୍କର୍ମ ବ୍ୟଭିଚାର ଠାରୁ
      ଡିଷ୍ଟାନ୍‌ସ ମେଣ୍ଟେନ ଭଲ।
ଯେତେଦିନ ଯାଏ ସତ୍ୟର ଭେକ୍ସିନ୍
       ମଣିଷ ନେଉ ନ ଥିବ,
ସେତେଦିନ ଯାଏ ଏ ଦୁଷ୍ଟ ଭୂତାଣୁ
       ସଂକ୍ରମିତ ହେଉଥିବ।
ସମତା ଐକ୍ଯର କ୍ଵାରେଣ୍ଟାଇନରେ
       ରହି ପ୍ରଭୁଙ୍କୁ ଚିନ୍ତିଲେ,
ଈର୍ଷାର କରୋନା ଭୂତାଣୁକୁ ପ୍ରତି-
       ରୋଧ କରାଯାଇ ପାରେ।
ଯେତେଦିନ ଯାଏ ମଣିଷ ଏଠାରେ
        ଅହଂ ଜଳେ ବୁଡୁଥିବ,
ସେତେ ଦିନଯାଏ ସ୍ଵାର୍ଥ ଥଣ୍ଡା ଜରେ
       ଏ କରୋନା ବ୍ଯାପୁଥିବ।
‘ମୁଁ’ କାର ରାକ୍ଷସ କରୋନାକୁ ଡାକେ
       ଯେଣୁ ତାର ଆପଣାର,
‘ଓଁ’ କାର ବ୍ରହ୍ମଙ୍କୁ ପ୍ରାର୍ଥନା କରିଲେ
       ବିନାଶ ହେବ ଅସୁର।
ରୋଗ ଭୂତାଣୁର ପାଇଁ ପ୍ରତିକାର
      ଔଷଧରେ ହୋଇପାରେ,
ଖଳ ପ୍ରବୃତ୍ତିକୁ ପ୍ରତିରୋଧ ପାଇଁ
      କିଛି ନାହିଁ ସଂସାରରେ।
ତେଣୁ ବିଶ୍ଵକର୍ମା ମନସ୍ତାପ ନେଇ
      ଗଜ ବାହନରେ ବସି,
ତୁଳସୀ ଧାମରେ ଶ୍ରୀ ବଳଦେବଙ୍କୁ
      ଦରଶନ କଲେ ଆସି।
ମର୍ତ୍ତ୍ୟପୁର ଦୁଃଖ ଶୁଣି ଧଳାମୁଖ
      ବିଶ୍ଵକର୍ମାଙ୍କୁ ଆଶ୍ଵାସୀ,
ମୁରୂଖ ଅପର୍ତ୍ତି ଭାବି କହୁଅଛି
      ପ୍ରଭୁଙ୍କ ଶରଣ ପଶି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

ଉତ୍କଳ ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳନ

Sunil Chandra Nayak

ନର୍ଲା ଏବିଇଓ ଓ ମୁଖ୍ୟ କିରାଣୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ମମତା ସାହୁ ଙ୍କ କବିତା ଘୋଷ ଯାତ୍ରା

Leave a Comment

error: Content is protected !!