ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

।। ତାରୁଣ୍ୟ।।

ତାରୁଣ୍ୟ ମୋହର ହଜି ଯାଇନାହିଁ
ମନ ବେଳାଭୂମି ପରେ,
ସ୍ନିଗ୍ଧ ଚାହାଣୀ ଓଠର କମ୍ପନ
ସାଇତା ଅଛି ହୃଦରେ।।୧।।
ଦେହ ଉପତ୍ୟକା ନରମି ଯାଇଛି
ଉତ୍ତାପରେ ଶିଝି ଶିଝି,
ମନ ଉପତ୍ୟକା ଏବେବି ସବୁଜ
କଥା କହେ କିଛି କିଛି।।୨।
 ଅନୁରାଗ ଭରା ପ୍ରୀତିର ନୟନ
ଏବେବି ଛଲକୁ ଅଛି,
ଅଜଣା ଆବେଗେ ଚମକୁଛି ଚିତ୍ତ
ପ୍ରଣୟରେ ଭିଜି ଭିଜି।।୩।।
ଏବେବି ଝୁରୁଛି ପ୍ରୀତି ମହକର
ଅଭୁଲା ଅଲିଭା ସ୍ମୃତି,
ଗୋପନରେ କିବା ଅଭିସାର ସାଜେ
ସପନରେ ମାତି ମାତି।।୪।।।
କି ଏକ ଦୂରନ୍ତ ଗଗନରେ ଆଜି
ଉଡ଼ଇ ପ୍ରେମ ପଣତ,
ମଳୟ ସମୀର ଧିରେ ବୋହି ଆଣେ
ସ୍ମୃତି ଭରା ସେଇ ଗୀତ।।୫।।
ପ୍ରଥମ ପ୍ରେମର ପ୍ରଥମ ସ୍ମୃତିଟି
ଅଲେଖା କାଗଜେ ଅଛି,
ଚପଳଟା କିଛି ହଜି ଯାଇନାହିଁ
ବୟସ ଜୁଆରେ ଭାସି।।୬।।
ମନ ତରୁଡ଼ା ଳେ ଏବେବି କୋଇଲି
ଗାଉଛି ପଞ୍ଚମ ତାନେ,
ବୟସ ଭାରରେ ନଇଁ ଯାଇନାହିଁ
ମାଦକତା ଭରେ ପ୍ରାଣେ।।୭।।
ଶବ୍ଦ କୁଞ୍ଜରେ କବୀର ଲେଖନୀ
ଭରିଯାଏ ପୃଷ୍ଠା ପୃଷ୍ଠା,
ବିରାମ ନିଏନା ଥକିଯାଇ କେବେ
ସ୍ଥବିର ହୁଏନି ଚେଷ୍ଟା।।୮।।
ଶାଶ୍ଵତ ପ୍ରେମର ଚିରନ୍ତନୀ ଗାଥା
ହୃଦୟ ଶୁଣାଏ ଆଜି,
ଅପୂର୍ବ ପୁଲକେ ଭରିଯାଏ ପ୍ରାଣ
କଥା ସବୁ ହେଜି ହେଜି।।୯।।

           ।। ଚିତ୍ରା ରାଣୀ ପାତ୍ର।।

                      ।।ବାଲେଶ୍ଵର।।

Related posts

କବିୟତ୍ରୀ ଦୀପିକା ଦାଶ ଙ୍କ କବିତା ସଙ୍କଳନ ‘ ଅସ୍ତରାଗ ‘ଉନ୍ମୋଚିତ

Sunil Chandra Nayak

ଭିନ୍ନକ୍ଷମ କୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

ଶ୍ରୀମଦ୍ ଭଗବଦ୍ ଗୀତାର ପ୍ରଥମ ଅଧ୍ଯାୟର ସାରକଥା– ୧

Sunil Chandra Nayak

Leave a Comment

error: Content is protected !!