ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମହାପାତ୍ର ଙ୍କ ପ୍ରବନ୍ଧ ଜଗନ୍ମାତା ଜଗନ୍ମୟୀ ନବଦୁର୍ଗା

 ଜଗନ୍ମାତା ଜଗନ୍ମୟୀ ନବଦୁର୍ଗା

 

ଦୈବୀ ସନ୍ଦେଶର ମହାପାର୍ବଣ ଶାରଦୀୟ ନବରାତ୍ରି ଆସି ଚାଲିଯାଇ ନାହିଁ ବରଂ ଚତୁର୍ଦ୍ଦିଗରେ ବିସ୍ତାର ଲାଭ କରିଛି।ଏ ସମୟ ହେଉଛି ଶକ୍ତି ସାଧନାର ଏକ ବିଲକ୍ଷଣ ସମୟ,ଏହି ଦିବ୍ୟ ମୁହୂର୍ତ୍ତରେ ଯେଉଁ ସାଧନା ସଂପନ୍ନ କରାଯାଏ ତାର ଲାଭ ଅନନ୍ତଗୁଣ ହୋଇଥାଏ।ନବରାତ୍ରି ରେ ପ୍ରକୃତିର ବିଶେଷ ପରିବର୍ତ୍ତନ ହୋଇଥାଏ ଏବଂ ଋତୁଗୁଡିକ ଧୀରେଧୀରେ କଡ ଲେଉଟାଇ ଥାନ୍ତି।ଏଇ ପରିବର୍ତ୍ତନର ପ୍ରଭାବ ଆମ ଶରୀରରେ ପଡେ।ସେଇ ପରିଵର୍ତ୍ତନକୁ ସହ୍ୟ କରିବା, ନିଜର ଆହାର ବିହାରରେ ପରିବର୍ତ୍ତନ କରି ସଂଯମ ସାଧିବାକୁ ପଡେ।ଜଗନ୍ମାତା ହେଉଛନ୍ତି ପ୍ରକୃତି ସ୍ବରୂପା, ପ୍ରକୃତି କୋଳରେ ହିଁ ଜୀବନର ସବୁ ରୂପ ଅଙ୍କୁରିତ ହୋଇଛି।ଏହାଠାରୁ ବିଚ୍ଛିନ୍ନ-ବିମୁଖ ହେଲେ ଜୀବନ ସଂକଟରେ ପଡିବା ସ୍ବାଭାବିକ।ଜୀବନ ଯଦି ପ୍ରକୃତିକୁ ସିଞ୍ଚିତ କରେ ପ୍ରକୃତି ଜୀବନକୁ ପ୍ରତି ବଦଳରେ ଅଭିସିଞ୍ଚିତ କରେ,ଜୀବନ ଯଦି ପ୍ରକୃତିକୁ ପୋଷିତ କରେ ତ ପ୍ରକୃତି ଜୀବନକୁ ପୋଷିତ କରେ।ଏହାର ବ୍ୟତିରେକ ହେଲେ ପ୍ରକୃତି ମଧ୍ୟ ବିନାଶକ ହୋଇ ଉଠେ।ଯିଏ ମହାଲକ୍ଷ୍ମୀ ହୋଇ ସୌଭାଗ୍ୟ ସୃଷ୍ଟିକରିଥିଲେ,ଯିଏ ସରସ୍ବତୀ ହୋଇ ବୋଧର ବରଦାନ ଦେଉଥିଲେ ସେ ମହାକାଳୀ ସାଜି ବିନାଶର ଲୀଳା ରଚିଥାନ୍ତି।ଏହା କେବଳ ଜଗଦମ୍ବାଙ୍କ ବୁଦ୍ଧିମାନ ସନ୍ତାନ ମଣିଷର ନିର୍ବୋଧତା କାରଣରୁ ହୋଇଥାଏ।ମହାକାଳୀଙ୍କ ଏଇ କୋପକୁ ଶାନ୍ତ କରିବାକୁ ହେଲେ ପ୍ରକୃତି ରୂପୀ ଜଗଦମ୍ବାଙ୍କ ନିୟମ ମାନିବାକୁ ପଡିବ।ନବଦୁର୍ଗା ରୂପରେ ଆମପାଇଁ ଆଦିଶକ୍ତି ଅନେକ ସନ୍ଦେଶ ଦିଅନ୍ତି।ଏହି ନଅଟି ସ୍ବରୂପ ଚେତନାର ନଅଟି ଆୟାମ ଯାହାର ଆଧାର କେନ୍ଦ୍ର ଉପାସକର ସୂକ୍ଷ୍ମଶରୀର ସ୍ଥିତ ଚକ୍ର ହୋଇଥାଏ ଯାହା ଏହି ସମୟରେ ଜାଗ୍ରତ ହୋଇଥାଏ।ନବରାତ୍ରରେ ଶିବ ଓ ଶକ୍ତି ଉଭୟଙ୍କ ଉପାସନା ହୋଇଥାଏ,ଶିବଶକ୍ତି ଏକ ଅଟନ୍ତି,ଜଣକ ବିନା ଅନ୍ୟର ଅସ୍ତିତ୍ବ ନାହିଁ।ଶକ୍ତିଙ୍କ ଅନ୍ତର୍ମୁଖ ହେବା ହେଉଛନ୍ତି ଶିବ ଓ ଶିବଙ୍କର ବହିର୍ମୁଖ ହେବା ହେଉଛନ୍ତି ଶକ୍ତି,ଗୋଟିଏ ସତ୍ତାର ଦୁଇଟି ରୂପ।ଶକ୍ତି ହିଁ ଶିବସ୍ବରୂପା,ଶକ୍ତି ହିଁ ଅବ୍ୟାକୃତ ପ୍ରଜ୍ଞା,ଶକ୍ତି ହିଁପ୍ରଜ୍ଞା-ପାରମିତା, ଶକ୍ତି ହିଁ ମୂଳପ୍ରକୃତି।କେବଳ ମହାକାଳ ହିଁ ପରମେଶ୍ବରୀ ମହାକାଳୀଙ୍କ କଳା ବିଷୟରେ ଜାଣନ୍ତି।

     ମାତା ଶୈଳପୁତ୍ରୀ

ବନ୍ଦେ ବାଞ୍ଛିତ ଲାଭାୟ

           ଚନ୍ଦ୍ରାର୍ଦ୍ଧକୃତଶେଖରାମ୍

ବୃଷରୂଢାଂ ଶୂଳଧରାଂ

            ଶୈଳପୁତ୍ରୀଂ ଯଶସ୍ବିନୀମ୍।

ଏହା ମାତା ଦୁର୍ଗାଙ୍କ ପ୍ରଥମ ସ୍ବରୂପ।ସାଧନାର ପ୍ରାରମ୍ଭରେ ଉପାସକର ମନ ମୂଳାଧାର ଚକ୍ରରେ ସ୍ଥିତ ହୋଇଥାଏ।, ଯେଉଁଠି ମା ଶୈଳପୁତ୍ରୀ ବାସ କରନ୍ତି।ଶୈଳପୁତ୍ରୀ ଅର୍ଥାତ ଯିଏ ପାଷାଣ (ଜଡତା)କୁ ଭେଦକରି ପ୍ରକଟ ହୁଅନ୍ତି ଏବଂ ଭକ୍ତର ମନକୁ ପଥର ସମାନ ଶକ୍ତିଶାଳୀ କରି ସ୍ଥିରତା ପ୍ରଦାନ କରନ୍ତି। ପର୍ବତରାଜ ହିମାଳୟଙ୍କ ପୁତ୍ରୀରୂପେ ଜନ୍ମ ନେଇ ଶିବ ଅର୍ଦ୍ଧାଙ୍ଗିନୀ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ।ବୃଷରୂଢା,ଦକ୍ଷିଣ ହସ୍ତରେ ତ୍ରିଶୂଳ,ବାମହସ୍ତରେ କମଳପୁଷ୍ପ , ମଥାରେ ଅର୍ଦ୍ଧଚନ୍ଦ୍ର ଧାରଣ କରି ମହାଦେବୀ ଅତ୍ୟନ୍ତ ସୌମ୍ୟ ଓ ଆକର୍ଷଣୀୟ ଦେଖାଯାନ୍ତି୍।ଭକ୍ତ ମନରୁ କୁସଂସ୍କାର,ଦୁର୍ବାସନା, ତଥା ଆସୁରୀ ପ୍ରବୃତ୍ତିଗୁଡିକର ଵିନାଶକରି ମନରେ ଉତ୍ସାହ ଭରିଦିଅନ୍ତି।ପୂର୍ବଜନ୍ମରେ ଦେବୀଙ୍କର ସ୍ବରୂପ ଦକ୍ଷପ୍ରଜାପତିଙ୍କ କନ୍ୟା ସତୀରୂପରେ ପରିଚିତ ହୋଇଥିଲେ।

                                    ରାଧେକୃଷ୍ଣ

                                ସତ୍ୟ ନାରାୟଣ ମହାପାତ୍ର

                                               ଭବାନୀ ପାଟଣା 

Related posts

ରୁପ୍ରା ରୋଡ ରେ ଅଗ୍ରେସନ ଜୟନ୍ତୀ ପାଳିତ

Sunil Chandra Nayak

ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି – ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବନି କୌଣସି ଫି

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!