ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଳ୍ପୀ କେଦାର ମହାରଣା ମୃଣ୍ମୟୀ ମୂର୍ତ୍ତି ତିଆରିରେ ୫୦ବର୍ଷ

ମ.ରାମପୁର:୨୮/୯(ମସୀହା): କଞ୍ଚା ମାଟି ଆଉ ଅନ୍ୟାନ୍ୟ ସାମଗ୍ରୀର ମିଶ୍ରଣ ରେ ତିଆରି ହୁଏ ମାଁଙ୍କ ମୃଣ୍ମୟୀ ମୂର୍ତ୍ତି । ଏକାନ୍ତ ନିଷ୍ଠା ଆଉ ଭକ୍ତିରେ ଶିଳ୍ପୀ ନିଜର କଳା ପ୍ରୟୋଗ କରି ମୂର୍ତ୍ତିକୁ ଜୀବନ୍ତ ପ୍ରତିମାଟିଏ ଭଳି ଆମ ସାମ୍ନାରେ ଉଭା କରିଥାଏ । ମାଁଙ୍କ ପୂଜାରେ ଯିଏ ମୁଖ୍ୟ ଭୂମିକା ନିର୍ବାହ କରେ ସେ ହେଉଛି କାରିଗର ବା ମୃଣ୍ମୟ ଶିଳ୍ପୀ । ଯିଏ ମାଟିକୁ ଜୀବନ୍ତ କରି ଦେବୀ ମାଁରେ ପରିଣତ କରେ । ଆଭୂଷଣରେ ମାଁଙ୍କୁ ସଜେଇ ଆମ ସାମ୍ନାରେ ଦେବୀ ରୂପରେ ଠିଆ କରେ । ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତିଠାରୁ ମାଁଙ୍କ ଏକ ସଂପୂର୍ଣ୍ଣ ରୂପ ଦେଲାବେଳେ ଭାବ ବିହ୍ୱଳ ହେଇପଡ଼ିଥାଏ ଶିଳ୍ପୀ । ଏଇମିତି ଜଣେ ଶିଳ୍ପୀ ହେଉଛନ୍ତି କେଦାର ମହାରଣା । ଯିଏ ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କରିବା ଆଜକୁ ପ୍ରାୟ ୫୦ ବର୍ଷ ହେଇସାରିଲାଣି । ସେ ନିଜ ଅନୁଭୂତି ପ୍ରକାଶ କରିବାକୁ ଯାଇ କୁହନ୍ତି-ମାଁଙ୍କୁ ଶେଷସ୍ପର୍ଶ ଦେବାର ସେ ଅନୁଭୂତି ଚିରକାଳ ସ୍ମରଣୀୟ ରହିଥାଏ । ସେ ଅନୁଭବ ନିଆରା ଓ ଅନନ୍ୟ । ମାଁଙ୍କ ପୂର୍ଣ୍ଣ ଅବୟବ ତିଆରି ପାଇଁ ପ୍ରାୟ ପନ୍ଦର ଦିନ ସମୟ ଲାଗୁଥିବା ବେଳେ ଏହି କାମରେ ତିନିଜଣ ସହଯୋଗୀଙ୍କ ଆବଶ୍ୟକତା ରହିଥାଏ । ନିଜ ସହିତ ଆଉ ତିନିଜଣ ସହଯୋଗୀଙ୍କ ପାଇଁ ମୂର୍ତ୍ତି ତିଆରି ବାବଦକୁ ମିଳୁଥିବା ଅର୍ଥ ଯଥେଷ୍ଟ ହେଉ ନଥିଲେ ହେଁ କଳାକାର ଜୀବନ ହୋଇଥିବା କାରଣରୁ କଳାପ୍ରଦର୍ଶନରେ ଆତ୍ମସନ୍ତୋଷ ମିଳିଥାଏ I ଯାହା ଫଳରେ ଏହି କାରିଗରୀ ବଂଚିରହିଛି । ତେବେ ଏହି ଶିଳ୍ପୀଙ୍କ ଜଣକ କେବଳ ମ.ରାମପୁର ଦୁର୍ଗା ପୂଜା ନୁହେଁ ବରଂ ବିଭିନ୍ନ ସମୟରେ ଗଂଜାମ ଜିଲ୍ଳା ବଢେୟାପଲ୍ଲୀ, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା,କଳାହାଣ୍ଡି ଜିଲ୍ଲାର ମ.ରାମପୁର, ଉର୍ଲଦାନୀ, ବାରବନ୍ଧା, ରୁପ୍ରାରୋଡ଼,କର୍ଲାମୁଣ୍ଡା,ରିଷିଡ଼ା, ଭଳି ଅନେକ ସ୍ଥାନରେ ମୂର୍ତ୍ତି ତିଆରି କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବିିଭିନ୍ନ ସ୍ଥାନରେ ସେ ଏକାଧିକ ବର୍ଷ ଧରି ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କରିବା ସହିତ ଲୋକପ୍ରୀୟତା ହାସଲ କରିପାରିଛନ୍ତି । କେବଳ ଯେ ମାଁ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରନ୍ତି ତା ନୁହେଁ ଗଣେଷ,ସରସ୍ୱତୀ,ମାଁ ଲକ୍ଷ୍ମୀ, ଗଜଲକ୍ଷ୍ମୀ ଆଦି ମୂର୍ତ୍ତି ତିଆରି କରନ୍ତି । ଏବଂ ତାଙ୍କରି ଚିତ୍ରକଳାର ପ୍ରମୁଖ ନମୁନା ହେଉଛି ମ.ରାମପୁରଠାରେ ଥିବା ଜଗନ୍ନାଥ ମନ୍ଦିର । ନିଜ ହାତରେ ସେ ଏହି ମନ୍ଦିର ଗଢିବା ସହିତ ଏଠାରେ ଲାଗିଥିବା ପଥର ମୂର୍ତ୍ତି,ସିମେଣ୍ଟମୂର୍ତ୍ତିି ତିଆରି କରି ନିଜ କଳାଚାତୁରୀର ନିଦର୍ଶନ ପ୍ରଦର୍ଶନ କରିଛନ୍ତି । ଚଳିତ ବର୍ଷ ସେ ନିଜ ସହଯୋଗୀ ମାନଙ୍କୁ ନେଇ ମ.ରାମପୁର ଠାରେ ମାଁ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କରୁଛନ୍ତି । କିନ୍ତୁ ଏହି କଳାକାର ଆଜକୁ ପ୍ରାୟ ପଚାଷ ବର୍ଷ ନିଜ ଜୀବନକୁ କଳାପାଇଁ ସମର୍ପଣ କରିଥିବାବେଳେ କିନ୍ତୁ ବର୍ତ୍ତମାନ ଯାଏଁ ସରକାରଙ୍କ କଳାକାର ଭତ୍ତାଟିଏ ବାରମ୍ବାର ଦରଖାସ୍ତ କରିବା ପରେ ନ ପାଇବା ଘୋର ପରିତାପର ବିଷୟ ବୋଲି ନିଜେ କ୍ଷୋଭ ପ୍ରକାଶ କରିକୁହନ୍ତି । ଏଥି ସହିତ ଏହି କଳାକାରଙ୍କୁ ସରକାରଙ୍କ କୌଣସି ଯୋଜନାରେ ଗୃହଟିଏ ମଧ୍ୟ ମିଳିନାହିଁ,ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । 

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଜୟ କୁମାର ମିଶ୍ର ଙ୍କ କବିତା ସାଇବର ଠକ, ସେ ପରା ଘାତକ

Sunil Chandra Nayak

ରାଜସ୍ଥାନ ପରିଷଦ ତରଫରୁ କାବ୍ୟସଂଧ୍ୟା ଆସନ୍ତା ୧୨ ରେ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହେରା ପଞ୍ଚମୀର ମାହାତ୍ମ୍ୟ

Leave a Comment

error: Content is protected !!