ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଚକରା ମକରା

 ଚକରା ମକରା

ଉପେନ୍ଦ୍ର କୁମାର ବସ୍ତିଆ

ଆମ ଗାଁ ମକରା ଅତି ଡରକୁଳା
       ଅନ୍ଧାରକୁ ଦେଖି ଡରୁଚି
ହଲିଲେ ପତର ହୁଏ ଥରହର
    
 ଛାତିରେ ଛେପକୁ ଥୁକୁଚି
        ଅଳପଟା ଦିନ ହେଇଚି 
ଗଳେ ରଶି ଦେଇ ମଲା ରଙ୍ଗୀ ଆଈ
       ରାତିରେ ପଥର ଫିଙ୍ଗୁଚି ll
ବାଟେ ଯେବେ ଯାଏ ମକରାଟା କହେ
              ଚୁଡ଼ି ଝଣଝଣ ହଉଚି
ସଞ୍ଜ, ପାହାନ୍ତାରେ ମଶାଣି ଭୁଇଁରେ
             ଚିରିଗୁଣି ପିଲା ସେକୁଚି
             ବରଗଛ ଡାଳେ ବସୁଚି
ଦି’ ଗୋଡ଼ ଝୁଲେଇ ସେଇ ରଙ୍ଗୀ ଆଈ
             ଡାଳ କଡ଼ମଡ଼ କରୁଚି ll
ମକରା ଦେହରେ ରଙ୍ଗୀଆଈ କାଳେ
          ସକାଳେ ସବାର ହେଇଚି
ମରିଲା କେମିତି କହେ ଗୋଟି ଗୋଟି
              ହଲି, ଝୁଲିଝୁଲି କହୁଚି
             ଚକରା ଗୁଣିଆ ହୋଇଛି 
ଝୁଣା ଧୂପ ଦେଇ ବେତରେ ବାଡ଼େଇ
           ଛାଞ୍ଚୁଣିରେ ସେକି ଦଉଚି ll
ଆଖି ବଡ଼ବଡ଼ ଦାନ୍ତ କଡ଼ମଡ଼
         ମୁଣ୍ଡକୁ ହଲେଇ କହୁଚି
ନେବି ମୁଣ୍ଡ ଦଶ କହେ ହସହସ
          କହୁକହୁ ପୁଣି କାନ୍ଦୁଚି
           ଗୁଣିଆ ଚୂଟିକୁ ଧରିଚି
ଆସିଲୁ କାହିଁକି କହ ଗୋଟିଗୋଟି
       ନହେଲେ ତୋତେ କି’ ଛାଡ଼ୁଚି ll
ଚକରା ଗୁଣିଆ ଦେଲା ଠୋଅ ଠାଆ
         ଯାଆ ଯାଆ ପରା କହୁଚି
ସାଲୁକନା ଗୁଡ଼ା ହାଡ଼ ଦୁଇ ଯୋଡ଼ା
        ଖପୁରୀରେ ଝୁଣା ଦଉଚି
        ଲୋକଙ୍କ ଗହଳି ଶୁଭୁଚି
ମକରା ଦେହରେ ପ୍ରେତ ଆତ୍ମା ବୋଲେ
         ମୁଣ୍ଡ ନବାପାଇଁ ଆଇଚି ll
ଦୁଇ ଗରା ପାଣି ନେବୁ ରଙ୍ଗିନାନୀ
         ରହରହ ରଙ୍ଗୀ ଦଉଚି
ଦୁଇ ହାତେ ଦୁଇ ଗରା ନେବୁ ତୁହି
        ଦାନ୍ତରେ ବାଲଟି ଧରିଚି
        ଧାଇଁଧାଇଁ ଯାଇ ପଡୁଛି
ସୋରିଷ ମନ୍ତୁରା ଫିଙ୍ଗୁଚି ଚକରା
         ଘର ବି’ ଖେଳେଇ ଦଉଚି ll
             
ମକରା ଶରୀର ଶହେ ଆଠ ଜର
         ଜରେ ଦେହ ଖଇ ଫୁଟୁଚି
ମେଲେରିଆ ଜର କମ୍ପୁଚି ଶରୀର
          ବାଉଳି ଚାଉଳି ହଉଚି 
          ଗୁଣିଆ ଯେ ଗଦ ଦଉଚି
ଭାରି ଡରକୁଳା ସତରେ ଚକରା
           ଗୁଣିଆ ହୋଇ ସେ ଝାଡୁଛି ll
ମଫସଲ ପଡ଼ା ଚକରା, ମକରା
          ଅଶିକ୍ଷିତେ ଗାଆଁ ପୂରିଚି
ଦେହ ପା’ ହେଲେ ଦିଶାରୀ ପାଖରେ
           ଝଡ଼ା ଫୁଙ୍କା ଯାଇ କରୁଚି
            ଡାକତର କିଏ ଯାଉଚି?
ସେଥିପାଇଁ ପରା ଭୂତ ପ୍ରେତ ଆଡ଼ା
            ତୋଟା, ମଶାଣିରେ ଯମୁଚି
            ମକରାଠି ଭୂତ ଲାଗୁଚି
            ଚକରା ଗୁଣିଆ ଝାଡ଼ୁଚି 

      ରାଉରକେଲା

Related posts

ଖପରାମାଲ ଗାଁ କୁ ନିଶା ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

Sunil Chandra Nayak

ଆଇନ ମହାବିଦ୍ୟାଳୟର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ରେଳରୋକ ଆନ୍ଦୋଳନ ପାଇଁ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!