ଲାଞ୍ଜିଗଡ,୩୦/୦୯(ମନିସ)-କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗର ଅପାରଗତା ଓ ଦୁର୍ନୀତିଖୋର ମନୋଭାବର ଫଳ ଭୋଗୁଛନ୍ତି ସାଧାରଣ ଲୋକେ । ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗଠାରୁ ଛତିକୁଡା ୧୦ କିଲୋମିଟର ରାସ୍ତା ସାରା ପାଂଚଶହରୁ ଉର୍ଦ୍ଧ୍ୱ ଛୋଟବଡ ଖାଲ ଭର୍ତି ହୋଇଥିବାବେଳେ ଏହି ଖାଲ ଯୋଗୁଁ ଦିନ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ତେବେ ସବୁ ଜାଣି ସବୁ ଶୁଣି କଳାହାଣ୍ଡି ଜିଲ୍ଲା ପୂର୍ତ ବିଭାଗ ଆଖି ବୁଜି ବସିଥିବାବେଳେ ଏହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବର୍ଷ ତମାମ ପୂର୍ତ ବିଭାଗ ପକ୍ଷରୁ ଏହି ରାସ୍ତାକୁ ମରାମତି ନାମରେ ଥୁକ୍ପାଲିସ କାମ ଓ ଠିକାଦାର ପୋଷା ଚାଲିଥିବାବେଳେ ଲୋକଙ୍କ ଧନଜୀବନ ସହିତ ବିଭାଗ ଖେଳ ଖେଳୁଥିବା ଅଭିଯୋଗ ହୋଇଆସୁଛି । ଏହିପରି ଭାବେ ଆଜି ରାତି ନଅଟା ସମୟରେ ବିଶାଖାପାଟଣାରୁ ଆଲୁମିନିୟମ୍ ପାଉଡର ବୋଝେଇ କରି ଝାରସୁଗୁଡା ଯାଉଥିବା ଏକ ଭଲଭୋ କଣ୍ଟେନର ରାସ୍ତା ମଝିରେ ଥିବା ବିରାଟ ଖାଲରୁ ବଂଚିବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । କଣ୍ଟେନରଟିର ସାମ୍ନାପଟ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ଅଳ୍ପକେ ଚାଳକ ଜଣକ ବର୍ତିଯାଇଛନ୍ତି । କେବଳ ଏଇ ଗୋଟିଏ ନୁହେଁ ଦିନ ତମାମ ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟୁଥିବାବେଳେ ଲୋକଙ୍କ ସମସ୍ୟାକୁ ନଜରଅନ୍ଦାଜ କରିଚାଲିଛି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ । ଏ ସଂପର୍କରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଗହନ ନିଦ ଭାଙ୍ଗୁନାହିଁ । ଏଣୁ କଳାହାଣ୍ଡି ପୂର୍ତ୍ତ ବିଭାଗର ଅବହେଳା ଓ ଉଦାସୀନତା ବିରୁଦ୍ଧରେ କିଛି ସଚେତନ ଲୋକେ ଆଇନ୍ ଅଦାଲତର ଆଶ୍ରୟ ନେବାକୁ ସଜବାଜ ହେଉଥିବା ଜଣାପଡିଛି ।
ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍