ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏସ୍‌ଏଚ୍ ୬ କଦଳୀଘାଟି ରାସ୍ତାର ବିପଦସଂକୁଳ ଖାଲ ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହେଲା ଆଲୁମିନିୟମ ବୋଝେଇ କଣ୍ଟେନର

ଲାଞ୍ଜିଗଡ,୩୦/୦୯(ମନିସ)-କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗର ଅପାରଗତା ଓ ଦୁର୍ନୀତିଖୋର ମନୋଭାବର ଫଳ ଭୋଗୁଛନ୍ତି ସାଧାରଣ ଲୋକେ । ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗଠାରୁ ଛତିକୁଡା ୧୦ କିଲୋମିଟର ରାସ୍ତା ସାରା ପାଂଚଶହରୁ ଉର୍ଦ୍ଧ୍ୱ ଛୋଟବଡ ଖାଲ ଭର୍ତି ହୋଇଥିବାବେଳେ ଏହି ଖାଲ ଯୋଗୁଁ ଦିନ ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ତେବେ ସବୁ ଜାଣି ସବୁ ଶୁଣି କଳାହାଣ୍ଡି ଜିଲ୍ଲା ପୂର୍ତ ବିଭାଗ ଆଖି ବୁଜି ବସିଥିବାବେଳେ ଏହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବର୍ଷ ତମାମ ପୂର୍ତ ବିଭାଗ ପକ୍ଷରୁ ଏହି ରାସ୍ତାକୁ ମରାମତି ନାମରେ ଥୁକ୍‌ପାଲିସ କାମ ଓ ଠିକାଦାର ପୋଷା ଚାଲିଥିବାବେଳେ ଲୋକଙ୍କ ଧନଜୀବନ ସହିତ ବିଭାଗ ଖେଳ ଖେଳୁଥିବା ଅଭିଯୋଗ ହୋଇଆସୁଛି । ଏହିପରି ଭାବେ ଆଜି ରାତି ନଅଟା ସମୟରେ ବିଶାଖାପାଟଣାରୁ ଆଲୁମିନିୟମ୍ ପାଉଡର ବୋଝେଇ କରି ଝାରସୁଗୁଡା ଯାଉଥିବା ଏକ ଭଲଭୋ କଣ୍ଟେନର ରାସ୍ତା ମଝିରେ ଥିବା ବିରାଟ ଖାଲରୁ ବଂଚିବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । କଣ୍ଟେନରଟିର ସାମ୍ନାପଟ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ଅଳ୍ପକେ ଚାଳକ ଜଣକ ବର୍ତିଯାଇଛନ୍ତି । କେବଳ ଏଇ ଗୋଟିଏ ନୁହେଁ ଦିନ ତମାମ ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟୁଥିବାବେଳେ ଲୋକଙ୍କ ସମସ୍ୟାକୁ ନଜରଅନ୍ଦାଜ କରିଚାଲିଛି କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ । ଏ ସଂପର୍କରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଗହନ ନିଦ ଭାଙ୍ଗୁନାହିଁ । ଏଣୁ କଳାହାଣ୍ଡି ପୂର୍ତ୍ତ ବିଭାଗର ଅବହେଳା ଓ ଉଦାସୀନତା ବିରୁଦ୍ଧରେ କିଛି ସଚେତନ ଲୋକେ ଆଇନ୍ ଅଦାଲତର ଆଶ୍ରୟ ନେବାକୁ ସଜବାଜ ହେଉଥିବା ଜଣାପଡିଛି ।

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍‌

Related posts

ଧର୍ମଗଡ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ଜୁଲାଇ ୧ରୁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ

Sunil Chandra Nayak

ବିଦାୟ ସମ୍ବର୍ଦ୍ଧନା ଜଣାଇଲା ନିଳମଣି ମହାବିଦ୍ୟାଳୟ 

Sunil Chandra Nayak

Leave a Comment

error: Content is protected !!